ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ସାଙ୍ଗଠନିକ ସ୍ଥିତିକୁ ନେଇ ସମୀକ୍ଷା କରିଥିଲେ। ମଙ୍ଗଳବାର ଦିନ ଏହି ସମୀକ୍ଷା ବୈଠକ ଭିଡିଓ କନଫରେନ୍ସିଂ ଜରିଆରେ ଅନୁଷ୍ଠିତ ହୋଇଯାଇଛି। ପର୍ଯ୍ୟାୟକ୍ରମେ ମୁଖ୍ୟମନ୍ତ୍ରୀ ବିଭିନ୍ନ ନିର୍ବାଚନ ମଣ୍ଡଳୀର ବିଧାୟକ ଓ ଦଳର ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ସମୀକ୍ଷା ଆଉ କିଛି ଦିନ ଚାଲିବ ବୋଲି ଜଣାପଡ଼ିଛି। ସମୀକ୍ଷାର ପ୍ରଥମ ଦିନରେ କଟକ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ବିଧାୟକଙ୍କ ସହ ଆଲୋଚନା କରିଥିବାବେଳେ, ଆଗାମୀ ଦିନରେ ଅନ୍ୟ ଜିଲ୍ଲାର ବିଧାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ଏଣେ କିଛି ଦିନ ମଧ୍ୟରେ ମୋଦୀ ସରକାରଙ୍କ ଭଳି ନବୀନ ସରକାର ମଧ୍ୟ ତାଙ୍କ ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ କରିବେ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି। କ୍ୟାବିନେଟରୁ କିଛି ମନ୍ତ୍ରୀଙ୍କୁ ବାଦ ଦିଆଯାଇ ଦଳର ସଙ୍ଗଠନ କାର୍ଯ୍ୟରେ ନିୟୋଜିତ କରାଯିବ ବୋଲି ଏକ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ତେବେ କେଉଁ ମନ୍ତ୍ରୀ ବାଦ ପଡ଼ିବେ ଏବଂ କେଉଁ ମନ୍ତ୍ରୀଙ୍କୁ ସୁଯୋଗ ଦିଆଯିବ, ତାହା ମନ୍ତ୍ରୀମଣ୍ଡଳ ପରିବର୍ତ୍ତନ ହେବା ପରେ ହିଁ ଜଣାପଡ଼ିବ।

ବିଧାୟକମାନଙ୍କଠାରୁ ସାଙ୍ଗଠନିକ ସ୍ଥିତି ସମ୍ପର୍କରେ ପଚାରି ବୁଝିବା ସହ ଦଳକୁ କିଭଳି ସୁଦୃଢ଼ କରାଯାଇପାରିବ ଏବଂ ଦଳ ଦେଇଥିବା ପ୍ରତିଶ୍ରୁତିଗୁଡ଼ିକୁ କିଭଳି ରକ୍ଷା କରାଯିବ ସେ ସମ୍ପର୍କରେ  ବିଧାୟକମାନଙ୍କୁ ବୁଝାଇଥିଲେ ମୁଖ୍ୟମନ୍ତ୍ରୀ।

ପର୍ଯ୍ୟବେକ୍ଷକଙ୍କ ଆକଳନ ଅନୁଯାୟୀ, ଯେହେତୁ କରୋନା ଯୋଗୁଁ ବିଶେଷଭାବେ ଦଳୀୟ କାର୍ଯ୍ୟଗୁଡ଼ିକ ହୋଇପାରୁନାହିଁ ସେହି ଦୃଷ୍ଟିରୁ ସଙ୍ଗଠନକୁ ସଜାଡ଼ିବା ପାଇଁ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି ବିଜେଡ଼ି ସୁପ୍ରିମୋ। ଆସନ୍ତା ବର୍ଷ ହେବାକୁଥିବା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଏବେଠୁ ଆରମ୍ଭ ହୋଇଯାଇଛି ଦଳୀୟ ପ୍ରସ୍ତୁତି। ଏଥିପାଇଁ ନିକଟରେ ବିଭିନ୍ନ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ଓ ବରିଷ୍ଠ ପର୍ଯ୍ୟବେକ୍ଷକମାନଙ୍କୁ ଦଳ ପକ୍ଷରୁ ନିଯୁକ୍ତି ଦିଆଯାଇଛି। ସେହିଭଳି ବିଜେଡିର ମହିଳା ଉଇଙ୍ଗକୁ ମଧ୍ୟ ସଜାଡ଼ି ଦିଆଯାଇଛି।

Comment