ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା କଟକଣାରେ ବାହାରିନରେ ଥିବା ଓଡ଼ିଆ ସମାଜ ଓ ସଗାୟାଥରେ ଅବସ୍ଥାପିତ ଇସ୍କନ ମନ୍ଦିର ପ୍ରଶାସନର ମିଳିତ ଆନୁକୂଲ୍ୟରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର ଉତ୍ସବରେ ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ଡକ୍ଟର ଅରୁଣ କୁମାର ପ୍ରହରାଜ, ଇସ୍କନ ମନ୍ଦିର ଅଧ୍ୟକ୍ଷ ବର୍ଦ୍ଧରାଜନ ପ୍ରଭୁ, ଭାରତର ରାଷ୍ଟ୍ରଦୂତ ପୀୟୂଷ ଶ୍ରୀବାସ୍ତବଙ୍କ ସମେତ ଓଡ଼ିଆ ସମାଜର ଅନ୍ୟ ସଦସ୍ୟମାନେ ସାମିଲ ହୋଇଥିଲେ।

୨ଟି ଡୋଜ୍‌ କୋଭିଡ ଟିକା ନେଇଥିବା ୧୦ଜଣ ଲେଖାଏଁ ବ୍ୟକ୍ତି ପର୍ଯ୍ୟାୟକ୍ରମେ ଏହି ଉତ୍ସବରେ ସାମିଲ ହୋଇଥିଲେ। ପୁରୀରେ ନିର୍ଘଣ୍ଟ ହୋଇଥିବା ମହାପ୍ରଭୁଙ୍କ ସମୟ ଓ ନୀତି କାନ୍ତିକୁ ଅନୁସରଣ କରି ବାହାରିନରେ ମଧ୍ୟ ଶୃଙ୍ଖଳିତ ଭାବରେ ରଥଯାତ୍ରା ନୀତି ପାଳନ କରାଯାଇଥିଲା।

ରଥଯାତ୍ରା ପାଳନ କରିବା ଅବସରରେ ସନ୍ଧ୍ୟାରେ ଏକ ବିଶେଷ ଭଜନ ସନ୍ଧ୍ୟା ୱେବ ଜରିଆରେ ଅନୁଷ୍ଠିତ ହୋଇଥିଲା। ଏହି ଭଜନ ସନ୍ଧ୍ୟାରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇ ବାହାରିନ ଓଡ଼ିଆ ସମାଜର ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଏଥିରେ ଓଡ଼ିଶା ବିଧାନସଭାର ବାଚସ୍ପତି ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ର, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବାହରିନରେ ଅବସ୍ଥାପିତ ଭାରତ ରାଜଦୂତଙ୍କ ପ୍ରତିନିଧି ଇଜହାସ ଇସଲାମ, ଭିଏତନାମରେ ଅବସ୍ଥାପିତ ବାଣିଜ୍ୟ ରାଜଦୂତ ମଦନ ମୋହନ ସେଠୀ, ଲଳିତ କଳା ଏକାଡେମୀ ଅଧ୍ୟକ୍ଷ ତଥା ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ବିଶିଷ୍ଟ କଣ୍ଠଶିଳ୍ପୀ ସୁସ୍ମିତା ଦାସ, ଲଳିତ କୃଷ୍ଣ ମହାପାତ୍ର, ଓଡିଶୀ ନୃତ୍ୟାଙ୍ଗନା ସୋନାଲିକା ଓ ଶ୍ରୀନିକା, ଶାଶ୍ୱତ ଯୋଶୀ ପ୍ରମୁଖ ଯୋଗଦେଇ ବାହାରିନ ଓଡ଼ିଆ ସମାଜର ଏହି ବିଶ୍ୱଭ୍ରାତୃତ୍ୱ ବାର୍ତ୍ତାବହନ କରୁଥିବା ଉଦ୍ୟମ ପ୍ରତି ଶୁଭେଛା ଜଣାଇଥିଲେ।

ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମରେ ବାହାରିନ ଓଡ଼ିଆ ସମାଜ ପ୍ରତିଷ୍ଠାତା ଅଧ୍ୟକ୍ଷ ଡକ୍ଟର ଅରୁଣ କୁମାର ପ୍ରହରାଜ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ସେ କହିଥିଲେ, ‘‘ବିଗତ ୨୨ ବର୍ଷ ଧରି ବିଦେଶରେ ନିରବଛିନ୍ନ ଭାବେ ମହାପ୍ରଭୁଙ୍କ ରଥଯାତ୍ରା ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମରେ ପାଳନ କରି ଆସୁଛୁ। ଏଥିସହିତ ଜଗନ୍ନାଥ ଚେତନା ଓ ଦର୍ଶନ, ଓଡ଼ିଆ ଲୋକ କଳା, ସଂସ୍କୃତି, ପରମ୍ପରାକୁ ବିଶ୍ଵବ୍ୟାପୀ ପ୍ରଚାର ପ୍ରସାର ଓ ସୁରକ୍ଷା କରିବାରେ ଗୁଣ୍ଡୁଚିମୂଷା ସଦୃଶ କାର୍ଯ୍ୟ କରିଆସୁଛୁ’’।

ଏହି ଭଜନ ସନ୍ଧ୍ୟାରେ ଓଡ଼ିଶା ସମେତ ଆମେରିକା, ୟୁକେ, ଆୟରଲାଣ୍ଡ, ଜାପାନ, ଇଣ୍ଡୋନେସିଆ, ଥାଇଲାଣ୍ଡ, ମାଲେସିଆ, ମାଲଦୀପ, ଦୁବାଇ, କତାର, ଓମାନ, କୁଏତ, ଭିଏତନାମ, ଇଟାଲୀ ଆଦି ୨୦ଟି ଦେଶର ଜଗନ୍ନାଥ ପ୍ରେମୀ ଯୋଗଦେଇ ଭାବପୂର୍ଣ୍ଣ ଭଜନ ପରିବେଷଣ କରିଥିଲେ।

ଏଥିସହିତ ଓଡ଼ିଶୀ, ରଣପା ଆଦି ଲୋକନୃତ୍ୟ ମଧ୍ୟ ପରିବେଷଣ ହୋଇଥିଲା । କାର୍ଯ୍ୟକ୍ରମକୁ ଅରୁଣିତା ପ୍ରହରାଜ ଓ ମନୋଜ ମନ୍ମୟ ଉପସ୍ଥାପନ କରିଥିବାବେଳେ ରମେଶ ପାଣିଗ୍ରାହୀ, ଅମୀୟ ସ୍ୱାଇଁ, ସ୍ନେହାଞ୍ଜଳି ପାଣିଗ୍ରାହୀ, ସୁଦ୍ଦେଷ୍ନା ଦାସ, ତୃପ୍ତି ବଡ଼ପଣ୍ଡା, ସୋନାଲିକା ରାଉତ, ପ୍ରିୟା ଦାସ, ସୁବାସ କୁମାର ସାହୁ, ତନିମା ସ୍ୱାଇଁ, ତାପସ ରାଜ, ଧୀରେନ୍ଦ୍ର ଦାସ ପ୍ରମୁଖ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ‘ବିଶ୍ୱ ଓଡ଼ିଶା’ ସହଯୋଗ କରିଥିଲା।

କୋଭିଡ୍ କାଳରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା କରିବାକୁ ଅନୁମତି ମିଳିନଥିଲା। କିନ୍ତୁ ବାହାରିନରେ ରଥଯାତ୍ରା କରିବା ପାଇଁ ସ୍ଥାନୀୟ ପ୍ରଶାସନ ସୁଯୋଗ ଦେଇଥିବାରୁ ସେଠାରେ ବାସ କରୁଥିବା ଓଡ଼ିଆଙ୍କ ସମେତ ସମସ୍ତ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦ ଦେଖିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here