ଓଡ଼ିଶାଲାଇଭ୍ ବ୍ୟୁରୋ

  • ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବାହାରିନ ଗସ୍ତ
  • ମାନାମାରେ ବାହାରିନ ଓଡ଼ିଆ ସମାଜ ପକ୍ଷରୁ ସ୍ଵାଗତ ସମାରୋହ
  • କାର୍ଯ୍ୟକ୍ରମରେ ସାମିଲ ହେଲେ ଅନେକ ପ୍ରବାସୀ ଭାରତୀୟ

ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବାହାରିନ ଗସ୍ତ କରିଛନ୍ତି। ସେଠାରେ ତାଙ୍କୁ ବାହାରିନ ଓଡ଼ିଆ ସମାଜ ତଥା ପ୍ରବାସୀ ଭାରତୀୟମାନଙ୍କ ପକ୍ଷରୁ ସମ୍ମାନିତ କରାଯାଇଥିଲା। ସେ ତାଙ୍କ ପତ୍ନୀ ସବିତା କୋବିନ୍ଦଙ୍କ ସହ ରାଜ ଅତିଥିଭାବେ ଶନିବାର ବାହାରିନ ଗସ୍ତ କରିଥିଲେ।

ରାମନାଥ କୋବିନ୍ଦଙ୍କ ପାଇଁ ବାହାରିନର ରାଜଧାନୀ ମାନାମାସ୍ଥିତ ଦେବଜୀ ଅଡିଟୋରିୟମରେ ସ୍ଵାଗତ ସମାରୋହ ଆୟୋଜିତ ହୋଇଥିଲା। ଏଠାରେ ତାଙ୍କୁ ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ଡାକ୍ତର ଅରୁଣ କୁମାର ପ୍ରହରାଜ ସମ୍ମାନିତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ରାମନାଥ କୋବିନ୍ଦଙ୍କୁ ଓଡ଼ିଶାର କୋଣାର୍କ ଚକ୍ର ଉପହାରରେ ଦିଆଯାଇଥିଲା। ପୂର୍ବତନ ରାଷ୍ଟ୍ରପତି ଏହି ଉପହାର ଗ୍ରହଣ କରି ବହୁତ ଆନନ୍ଦିତ ହୋଇଥିଲେ।

“ବାହାରିନରେ ଭାରତର ପୂର୍ବତନ ରାଷ୍ଟ୍ରପତିଙ୍କୁ ଗହଣରେ ପାଇ ଆମେ ସବୁ ପ୍ରବାସୀ ଭାରତୀୟ ଗର୍ବ ଅନୁଭବ କରୁଛୁ। ଭାରତର ଜି-୨୦ ସମ୍ମିଳନୀରେ ସାମିଲ ହୋଇଥିବା କୋଣାର୍କ ଚକ୍ରକୁ ନେଇ ଏବେ ବିଶ୍ୱରେ ସମସ୍ତେ ଚର୍ଚ୍ଚା କରୁଛନ୍ତି। ସେହି ପ୍ରସିଦ୍ଧ କୋଣାର୍କ ଚକ୍ର ଦେଇ ଏଠାରେ ରାମନାଥ କୋବିନ୍ଦଙ୍କୁ ସମ୍ମାନିତ କରାଯିବା ଓଡ଼ିଶା ପାଇଁ ଗୌରବର ବିଷୟ”, କହିଛନ୍ତି ଡାକ୍ତର ଅରୁଣ ପ୍ରହରାଜ।

ଏହି କାର୍ଯ୍ୟକ୍ରମରେ ବାହାରିନରେ ଥିବା ଭାରତୀୟ ଦୂତାବାସର ଅଧିକାରୀ ଏବଂ ମାନାମାସ୍ଥିତ ଇସ୍କନ ନାରାୟଣ ମନ୍ଦିରର ବିଶିଷ୍ଟ ଅତିଥିମାନେ ଯୋଗ ଦେଇଥିଲେ। ଏହାସହ ବାହାରିନ ଓଡ଼ିଆ ସମାଜର ସଦସ୍ୟ ଓ ଅନେକ ପ୍ରବାସୀ ଭାରତୀୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Tags: #RamnathKovind #FromerPresidentofIndia #BahrainVisit #BahrainOdiaSamaj #Bahrain

LEAVE A REPLY

Please enter your comment!
Please enter your name here