ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତରେ ‘ଏକ ଦେଶ,ଏକ ନିର୍ବାଚନ’ ବ୍ୟବସ୍ଥାର ପର୍ଯ୍ୟବେକ୍ଷଣ ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ କମିଟି।

  • ଭାରତରେ ‘ଏକ ଦେଶ, ଏକ ନିର୍ବାଚନ’ ବ୍ୟବସ୍ଥା ପାଇଁ ପଦକ୍ଷେପ
  • ପର୍ଯ୍ୟବେକ୍ଷଣ ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ କମିଟି
  • ପ୍ରସ୍ତାବ ଉପରେ ବିରୋଧୀ ଦଳଙ୍କ ସହ ହେବ ଆଲୋଚନା

ଭାରତରେ ‘ଏକ ଦେଶ, ଏକ ନିର୍ବାଚନ’ ବ୍ୟବସ୍ଥା ଲାଗୁ କରିବା ପାଇଁ ଆଉ ପାଦେ ଆଗେଇଛନ୍ତି କେନ୍ଦ୍ର ସରକାର। ଏହି ବ୍ୟବସ୍ଥା ପ୍ରସଙ୍ଗରେ ପର୍ଯ୍ୟବେକ୍ଷଣ କରିବା ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଗଠନ ହୋଇଛି କମିଟି। ଏନେଇ ଶୁକ୍ରବାର କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି।

ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଗଠିତ କମିଟି ‘ଏକ ଦେଶ, ଏକ ନିର୍ବାଚନ’ ବ୍ୟବସ୍ଥା ସମ୍ପର୍କରେ ଭାରତର ବିରୋଧୀ ଦଳମାନଙ୍କ ସହ ଆଲୋଚନା କରିବେ। କମିଟି ବିରୋଧୀଙ୍କ ସହ ଆଲୋଚନା କରି ଏହାର ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦେବେ।

ତେବେ ଏହି କମିଟିରେ ରାମନାଥ କୋବିନ୍ଦଙ୍କ ବ୍ୟତୀତ ଅନ୍ୟ କେଉଁମାନେ ସଦସ୍ୟ ରହିବେ ତାହା ଘୋଷଣା କରାଯାଇ ନାହିଁ। ଏହାକୁ ନେଇ ଆଗକୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ।

‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ବ୍ୟବସ୍ଥାରେ ସମଗ୍ର ଦେଶରେ ଗୋଟିଏ ସମୟରେ ସବୁ ରାଜ୍ୟରେ ବିଧାନସଭା ଓ ଲୋକସଭା ଆସନ ପାଇଁ ନିର୍ବାଚନ କରାଯିବା। ସେପ୍ଟେମ୍ବର ୧୮ରୁ ୨୨ ତାରିଖ ମଧ୍ୟରେ ହେବାକୁ ଥିବା ସଂସଦର ସ୍ଵତନ୍ତ୍ର ଅଧିବେଶନରେ କେନ୍ଦ୍ର ସରକାର ‘ଏକ ଦେଶ, ଏକ ନିର୍ବାଚନ’ ବିଲ ଆଣିପାରନ୍ତି ବୋଲି ଅନୁମାନ କରାଯାଉଛି।

ସେହିପରି ଏହି ନୂଆ ନିର୍ବାଚନ ବ୍ୟବସ୍ଥାକୁ ନେଇ ଦେଶରେ ରାଜନୀତି ସରଗରମ ହୋଇଛି। ଭାରତ ଭଳି ବହୁଦଳୀୟ ଗଣତନ୍ତ୍ରରେ ଏକକାଳୀନ ସମସ୍ତ ନିର୍ବାଚନ କରାଇବା କଷ୍ଟସାଧ୍ୟ କହି ବିରୋଧୀ ଦଳମାନେ ଏହି ନିଷ୍ପତ୍ତିକୁ ତୀବ୍ର ସମାଲୋଚନା କରିଛନ୍ତି। ଅନ୍ୟପଟେ ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ ପ୍ରଚଳନ କରାଗଲେ ଦେଶରେ ସମୟ ଓ ନିର୍ବାଚନ ଖର୍ଚ୍ଚ କମିଯିବ ବୋଲି ଏହାର ସମର୍ଥକମାନେ କହିଛନ୍ତି।

Tags: #OneNationOneElection #RamnathKovind #Elections #IndianPolitics

Comment