ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୫ଟି ପ୍ରସ୍ତାବ ଉପରେ ମୋହର ମାରିଛନ୍ତି ରାଜ୍ୟ ସରକାର।

ବିଶେଷକରି କ୍ୟାବିନେଟ୍ ବୈଠକରେ ଗ୍ରାମାଞ୍ଚଳର ଲୋକଙ୍କ ପାନୀୟ ଜଳ ଯୋଗାଣକୁ ଗୁରୁତ୍ଵ ଦେଇ କଟକ ଜିଲ୍ଲା ପାଇଁ ବୃହତ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଅନୁମୋଦନ କରିଛନ୍ତି। ଏହାଦ୍ୱାରା ୨.୫୦ ଲକ୍ଷରୁ ଅଧିକ ଲୋକ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ। ଏଥିପାଇଁ ୨୭୫.୩୯କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ। ଏହି ଯୋଜନା ଅଧୀନରେ କଟକର ୪ଟି ବ୍ଲକର ୨୬୨ ଗାଁକୁ ଜଳ ଯୋଗାଣ ପାଇଁ ନିଷ୍ପତ୍ତି ହୋଇଛି।ଓଏମବିଏଡିସି ଯୋଜନାରେ ସୁନ୍ଦରଗଡ଼ ଜିଲ୍ଲାରେ ବୃହତ ଗ୍ରାମୀୟ ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏହି ପ୍ରକଳ୍ପ ଅଧୀନରେ ଜିଲ୍ଲାର ୪ଟି ବ୍ଲକରେ ୪୯ଟି ପଞ୍ଚାୟତରେ ପାନୀୟ ଜଳ ସୁବିଧା ଯୋଗାଇ ଦିଆଯିବ। ପ୍ରକଳ୍ପ ଶେଷ କରିବା ପାଇଁ ୨୪ମାସର ସମୟସୀମା ନିର୍ଦ୍ଧାରଣ କରାଯାଇଛି। ପ୍ରାୟ ୧୦ଟି ବ୍ଲକର ୬ଲକ୍ଷରୁ ଅଧିକ ଲୋକ ଏଥିରେ ଉପକୃତ ହେବେ।

ସେହିପରି ଭୁବନେଶ୍ଵର ସିଇଟି କଲେଜକୁ ଏକକ ବିଶ୍ଵବିଦ୍ୟାଳୟ ମାନ୍ୟତା ଦେବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ଓୟୁଟିଆର ଢାଞ୍ଚାରେ ଏହି ଏକକ ବିଶ୍ଵବିଦ୍ୟାଳୟ ସ୍ଥାପନ ହେବ। ଏଥିସହ ଓଡ଼ିଶା ଷ୍ଟେଟ୍ ୱାଇଡ୍ ଏରିଆ ନେଟୱର୍କ(ଓସ୍‌ୱାନ୍‌) ମଧ୍ୟ ସାମିଲ ରହିଛି। ଏହି ପ୍ରକଳ୍ପରେ ସମୁଦାୟ ୩୩୨ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସୂଚନା ମିଳିଛି। ଏହି ପ୍ରକଳ୍ପ ରାଜ୍ୟରେ ଆଇଟି ଭିତ୍ତିଭୂମିକୁ ସୁଦୃଢ଼ କରିବ।କେନ୍ଦୁଝର ଜିଲ୍ଲାର ଯୋଡ଼ା ଓ ଚମ୍ପୁଆ ବ୍ଲକରେ ଜଳ ଯୋଗାଣ ପ୍ରକଳ୍ପ ଉପରେ ମୋହର ମାରିଛନ୍ତି ରାଜ୍ୟ ସରକାର। ୨୦୨୩ ଅଗଷ୍ଟ ୩୧ ତାରିଖ ସୁଦ୍ଧା ଏହି ପ୍ରକଳ୍ପ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିସହ ସୁନ୍ଦରଗଡ଼ ଜିଲ୍ଲା ଡୁଡୁକା-ଗୋପାଳପୁର-ଟୋପାରିଆ ରାସ୍ତା ୨ ଲେନ୍ ବିଶିଷ୍ଟ କରାଯିବ। ଏଥିପାଇଁ ୧୦୨.୬୫ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ସୂଚନା ମିଳିଛି।

ବିଭିନ୍ନ ପ୍ରକାର କିସମ ଜମିର ସହଜ ହସ୍ତାନ୍ତରଣ ପାଇଁ ଓଡ଼ିଶା ସରକାର ଜମିଜମା ସମାଧାନ ଅଧିନିୟମ-୧୯୬୨ର ସଂଶୋଧନକୁ କ୍ୟାବିନେଟ୍ ବୈଠକରେ ଅନୁମୋଦନ କରିଛନ୍ତି। ଏହାଦ୍ୱାରା ଗଞ୍ଜାମ, ଗଜପତି, କଳାହାଣ୍ଡି ତଥା ଅନ୍ୟ ଅଞ୍ଚଳରେ ଥିବା ଲକ୍ଷାଧିକ ଜମିଜମା ସମସ୍ୟାର ସହଜ ସମାଧାନ ହେବ। ଏହିପରି ଭାବରେ ୧୫ଟି ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର ବାଜିଛି।

Comment