ଓଡ଼ିଶାଲାଇଭ୍ ବ୍ୟୁରୋ

ଜନ୍ମବେଦୀରେ ୯ ଦିନର ଲୀଳାଖେଳା ଶେଷ କରି ଆଜି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ସିଂହଦ୍ୱାର ସମ୍ମୁଖରେ ଲାଗିଛି ତିନି ରଥ। ପୂର୍ବ ନିର୍ଦ୍ଧାରିତ ସମସ୍ତ ନୀତି ନିର୍ଘଣ୍ଟ ଅନୁସାରେ ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଛି।

ପ୍ରଥମେ ବଡ଼ ଠାକୁର ବଳଭଦ୍ର ତାଳଧ୍ୱଜରେ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଥିଲେ। ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଏବଂ ସବା ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଥିଲା। ତିନି ରଥ ଆସି ପହଞ୍ଚିବାପରେ ସେବାୟତମାନେ ଏକ ସ୍ୱରରେ ଗୀତଗୋବିନ୍ଦ ଗାନ କରିଛନ୍ତି।ନୀତି ନିର୍ଘଣ୍ଟ ଅନୁସାରେ ବାହୁଡ଼ାଯାତ୍ରାର ସମସ୍ତ ନୀତି ସମ୍ପନ୍ନ ହୋଇଛି। ରଥଗୁଡ଼ିକ ହଦ୍ୱାର ସମ୍ମୁଖରେ ପହଞ୍ଚିବାପରେ ଯେଉଁ ନୀତି ହେବାକୁ ଅଛି, ତାହା ସମ୍ପନ୍ନ କରିବାକୁ ସେବାୟତମାନେ ଲାଗିପଡ଼ିଛନ୍ତି।

କରୋନା କଟକଣା ଭିତରେ ଶ୍ରୀଜିଉଙ୍କ ବାହୁଡ଼ାଯାତ୍ରା ସରିଛି। ଚଳିତ ବର୍ଷ କରୋନା ପାଇଁ କେବଳ ସେବାୟତ ଏବଂ ପୋଲିସ ପ୍ରଶାସନ ଦ୍ୱାରା ରଥ ଟଣା କାର୍ଯ୍ୟ ହୋଇଥିଲା। ଭଗବାନଙ୍କ ଅପୂର୍ବ ଦୃଶ୍ୟକୁ ଶ୍ରଦ୍ଧାଳୁମାନେ ଘରେ ରହି ଟିଭି ପରଦାରେ ଦେଖିଛନ୍ତି। ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା।ଆସନ୍ତାକାଲି ସୁନାବେଶ

ଶ୍ରୀମନ୍ଦିର ସମ୍ମୁଖରେ ତିନି ରଥ ଲାଗିଛି। ଭକ୍ତମାନେ ଟିଭି ପରଦାରେ ରଥାରୂଢ଼ ଠାକୁରଙ୍କୁ ଦର୍ଶନ କରୁଛନ୍ତି। ବୁଧବାର ତିନି ରଥରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ। ମହଣ ମହଣ ସୁନା ଅଳଙ୍କାରରେ ସଜେଇ ହେବେ ଶ୍ରୀଜିଉ। ଏଥିପାଇଁ ପ୍ରଶାସନ ପକ୍ଷରୁ ପୂରା ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

Comment