ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି. ଏସ୍ ୟେଦ୍ୟୁରପ୍ପା। ସୋମବାର ଅପରାହ୍‌ଣରେ ରାଜ୍ୟପାଳ ଥାଓ୍ଵରଚାନ୍ଦ ଗେହଲଟ୍‌ଙ୍କୁ ଭେଟି ସେ ନିଜର ଇସ୍ତଫା ପତ୍ର ଦେଇଛନ୍ତି।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଭାବରେ ଚଳିତ ପାଳିରେ ବି. ଏସ୍ ୟେଦ୍ୟୁରପ୍ପାଙ୍କ କାର୍ଯ୍ୟକାଳକୁ ଆଜି ଦୁଇ ବର୍ଷ ପୂରଣ ହୋଇଛି। ସେ ଚତୁର୍ଥ ଥର ପାଇଁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ।

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ସୋମବାର ସକାଳେ ୟେଦ୍ୟୁରପ୍ପା ଘୋଷଣା କରିଥିଲେ। ଘୋଷଣାର କିଛି ସମୟ ପରେ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ପରେ କର୍ଣ୍ଣାଟକ ପାଇଁ ନୂଆ ନେତୃତ୍ଵ ଖୋଜିବାରେ ଲାଗିପଡ଼ିଛି ବିଜେପି।  କର୍ଣ୍ଣାଟକରେ ନେତୃତ୍ୱ ପରିବର୍ତ୍ତନ ନେଇ ବେଶ୍ କିଛିଦିନ ହେଲା ଅନେକ କଳ୍ପନାଜଳ୍ପନା ଲାଗି ରହିଥିଲା। ଏହାରି ମଧ୍ୟରେ ଗତ ଶନିବାର ଦିନ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ୟେଦ୍ୟୁରପ୍ପା କହିଥିଲେ ଯେ, ଦଳର କେନ୍ଦ୍ରୀୟ ନେତୃତ୍ୱର ନିଷ୍ପତ୍ତିକୁ ସେ ପାଳନ କରିବେ। ଯଦି ଦଳ ଆଉ କାହାକୁ ତାଙ୍କର ଉତ୍ତରାଧିକାରୀ ଭାବେ ଘୋଷଣା କରିବ, ତା’ହେଲେ ସେ ଆଗାମୀ ୧୦ରୁ ୧୫ ବର୍ଷ ପାଇଁ ଦଳକୁ ଆହୁରି ମଜବୁତ କରିବାକୁ ଚେଷ୍ଟା କରିବାରେ ଲାଗି ପଡ଼ିବେ। ତେଣୁ ଦଳ ଯାହା ନିଷ୍ପତ୍ତି ନେବ ସେଥିରେ ସେ ସନ୍ତୁଷ୍ଟ ହେବେ।

ଅନ୍ୟପକ୍ଷେ ରବିବାର ଦିନ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା କହିଥିଲେ ବି.ଏସ୍ ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଭଲ କାମ କରିଛନ୍ତି। ଜେ. ପି ନଡ୍ଡାଙ୍କ ଏହି କଥାରୁ ୟେଦ୍ୟୁରପ୍ପାଙ୍କ ଇସ୍ତଫା ନେଇ ସ୍ପଷ୍ଟ ସଙ୍କେତ ମିଳି ସାରିଥିଲା।

LEAVE A REPLY

Please enter your comment!
Please enter your name here