ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀ ଭୁବନେଶ୍ଵରରେ ଦେଖା ଦେଇଛି ଡେଙ୍ଗୁ ଆତଙ୍କ। ଚଳିତ ବର୍ଷ ଭୁବନେଶ୍ଵରରେ ପ୍ରଥମ ଡେଙ୍ଗୁ ମୃତ୍ୟୁ ନେଇ ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଏହାକୁ ଖଣ୍ଡନ କରିଛନ୍ତି ବିଏମସି କମିସନର ସଞ୍ଜୟ ସିଂ।

ସେ କହିଛନ୍ତି, “ଏ ପର୍ଯ୍ୟନ୍ତ ଡେଙ୍ଗୁ ରୋଗୀ ମୃତ ନେଇ ମୋ ପାଖକୁ କୌଣସି ଖବର ଆସିନାହିଁ। ଡେଙ୍ଗୁର ପ୍ରତିକାର ପାଇଁ ବିଏମସି ପକ୍ଷରୁ ଭିନ୍ନ ଭିନ୍ନ ପଦକ୍ଷେପ ନିଆଯାଉଛି। ପ୍ରତିଦିନ ସର୍ଭିଲାନ୍ସ କରାଯାଉଛି। ସୋମବାର ସୁଦ୍ଧା ୪୫୦ଜଣଙ୍କ ଘରେ ସର୍ଭିଲାନ୍ସ କରାଯାଇଛି। ବିଏମସି କର୍ମୀଙ୍କ ସମେତ ଆଶା, ଅଙ୍ଗନବାଡ଼ି ଦିଦିମାନେ ଘରକୁ ଘର ବୁଲି ଡେଙ୍ଗୁ ରୋଗ ସମ୍ପର୍କରେ ସଚେତନ କରୁଛନ୍ତି।”ସେ ଆଉ ମଧ୍ୟ କହିଛନ୍ତି, “ବର୍ତ୍ତମାନ ସୁଦ୍ଧା ଭୁବନେଶ୍ଵରରୁ ୩୯୧ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇସାରିଲେଣି। ଏଥିସହ ଡେଙ୍ଗୁ ମଶା ବଂଶ ବିସ୍ତାର କରୁଥିବା ୪୬୪ ସ୍ଥାନ ଚିହ୍ନଟ କରିବା ସହ ଏପର୍ଯ୍ୟନ୍ତ ୧ହଜାର ୯୩ଟି ସ୍ଥାନକୁ ନଷ୍ଟ କରାଯାଇଛି।”

ସେହିପରି ଡେଙ୍ଗୁ ରୋଗୀ ମୃତ୍ୟୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜୋନାଲ ଡେପୁଟି କମିସନର ପୁରନ୍ଦର ନନ୍ଦ।

ସେ କହିଛନ୍ତି, “ଡେଙ୍ଗୁ ରୋଗୀ ମୃତ୍ୟୁ ହୋଇଥିବା ଖବର ପାଇବାପରେ ଗୋଟିଏ ଟିମ୍ ତାଙ୍କ ଘରକୁ ଯାଇ ତନାଘନା କରୁଛନ୍ତି। ମୃତକ ଜଣଙ୍କ କେଉଁ ହସ୍ପିଟାଲରେ ଟେଷ୍ଟ କରିଥିଲେ, କ’ଣ ଲକ୍ଷଣ ରହିଥିଲା, କେଉଁ ମେଡିସିନ ଖାଇଥିଲେ, ଏସବୁର ତନାଘନା ଚାଲିଛି। ସବୁ ତଥ୍ୟ ସଂଗ୍ରହ କରିବାପରେ, ଏହା ଡେଙ୍ଗୁ ଜନିତ ମୃତ୍ୟୁ କି ଆଉ କିଛି, ତାହା ସ୍ପଷ୍ଟ କରାଯିବ।”ସୂଚନା ଥାଉକି, ଭୁବନେଶ୍ଵର ସ୍ଥିତ ଶୈଳଶ୍ରୀବିହାର ଅଞ୍ଚଳର ଜଣେ ଯୁବତୀ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିବା ସମୟରେ ଆଖି ବୁଜିଛନ୍ତି। ଯୁବତୀ ଜଣଙ୍କର ମୃତ୍ୟୁ ଡେଙ୍ଗୁ କାରଣରୁ ହୋଇଥିବା ଚର୍ଚ୍ଚା ହେଉଛି। ସେ ସପ୍ତାହକ ତଳେ ଜରରେ ପୀଡ଼ିତ ଥିଲେ। ପରେ ପରିବାର ଲୋକ ତାଙ୍କର ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଡେଙ୍ଗୁ ରିପୋର୍ଟ ପଜିଟିଭ୍ ମଧ୍ୟ ଆସିଥିଲା। ତେଣୁ ତାଙ୍କର ଡେଙ୍ଗୁରେ ମୃତ୍ୟୁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।

Comment