ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା କଟକଣା ଯୋଗୁଁ ସମଗ୍ର ରାଜ୍ୟରେ ଦୀର୍ଘ ଦିନ ହେବ ବନ୍ଦ ରହିଥିବା ଧର୍ମାନୁଷ୍ଠାନଗୁଡ଼ିକ ଶ୍ରଦ୍ଧାଳୁଙ୍କ ନିମନ୍ତେ ଖୋଲି ଦିଆଯାଇଛି। ଏହାରି ମଧ୍ୟରେ ପୁରୀ ଶ୍ରୀମନ୍ଦିର ଖୋଲିବା ନିଷ୍ପତ୍ତି ମଧ୍ୟ ନିଆଯାଇଛି। ଅଗଷ୍ଟ ୧୬ରୁ କୋଭିଡ କଟକଣା ଭିତରେ ଶ୍ରୀମନ୍ଦିର ଖୋଲିବାକୁ ଅନୁମତି ମିଳିଛି। ପ୍ରଥମ ପର୍ଯ୍ୟାୟରେ କେବଳ ପୁରୀବାସୀ ଓ ପରେ ଜିଲ୍ଲା ବାହାରର ଲୋକଙ୍କୁ ଦର୍ଶନ ସୁଯୋଗ ଦିଆଯିବ ବୋଲି ଛତିଶାନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି। ସେହିପରି ରାଜ୍ୟର ଆଉ କିଛି ହାତଗଣତି ମନ୍ଦିରକୁ ଛାଡ଼ି ଦେଲେ କଟକ, କେନ୍ଦ୍ରାପଡ଼ା, କୋରାପୁଟ ଆଦି ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ପ୍ରଶାସନ ପକ୍ଷରୁ ଅନୁମତି ମିଳିସାରିଛି।ବୁଧବାରଠାରୁ କଟକ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିଥିବାବେଳେ ସିଏମ୍‌ସି ଅଞ୍ଚଳରେ ଥିବା ଧର୍ମାନୁଷ୍ଠାନଗୁଡ଼ିକ ଏପର୍ଯ୍ୟନ୍ତ ଖୋଲି ନାହିଁ। ସେ ସମ୍ପର୍କରେ କଟକ ମହାନଗର ନିଗମ ନିଷ୍ପତ୍ତି ନେବ। ସେହିପରି ଏବେ ଧବଳେଶ୍ୱର ମନ୍ଦିର ଖୋଲିବ ନାହିଁ ବୋଲି ସ୍ପଷ୍ଟ କରିଛି ଜିଲ୍ଲା ପ୍ରଶାସନ। କେନ୍ଦ୍ରାପଡ଼ାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁମତି ମିଳିଛି।ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲିଛି। ରାଜ୍ୟରେ କୋଭିଡ ପରିସ୍ଥିତି ନିୟନ୍ତ୍ରଣକୁ ଆସିବାପରେ ସରକାର ମନ୍ଦିର ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳଙ୍କୁ ଦେଇଥିଲେ। ସେହି ଅନୁଯାୟୀ ଖୋଲିଛି ବିରଜା ମନ୍ଦିର। ଦୀର୍ଘଦିନ ଧରି ମନ୍ଦିର ବନ୍ଦ ରହିଥିବାରୁ ମା’ଙ୍କ ଦର୍ଶନରୁ ବଞ୍ଚିତ ହୋଇଥିଲେ ଶ୍ରଦ୍ଧାଳୁ। ତେବେ ନିଷ୍ପତ୍ତି ଅନୁସାରେ ଶ୍ରଦ୍ଧାଳୁମାନେ ମା’ଙ୍କ ବେଢ଼ା ପରିକ୍ରମା କରିପାରିବେନାହିଁ। କେବଳ ଦର୍ଶନ କରି ଫେରିବେ। ବେଢ଼ା ପରିସରରେ ବିବାହ କାର୍ଯ୍ୟକୁ ମଧ୍ୟ ବାରଣ କରାଯାଇଛି। ଏଥିସହ ସକାଳ ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ଭକ୍ତମାନେ ମା’ଙ୍କ ଦର୍ଶନ କରିପାରିବେ। ଏଥିପାଇଁ ବ୍ୟାପକ ବ୍ୟବସ୍ଥା ହୋଇଥିବାବେଳେ ଅନେକ କଟକଣା ମଧ୍ୟ ଜାରି କରାଯାଇଛି।ସେହିଭଳି କୋରାପୁଟ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ମଧ୍ୟ ଉନ୍ମୁକ୍ତ କରି ଦିଆଯାଇଛି। ୧୦ ବର୍ଷରୁ କମ୍ ପିଲା, ଗର୍ଭବତୀ ଓ ୬୦ରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ମନ୍ଦିର ଭିତରକୁ ପ୍ରବେଶ ପାଇଁ ବାରଣ କରାଯାଇଛି। ମନ୍ଦିରକୁ ନିୟମିତ ବିଶୋଧନ କରାଯିବା ସହ କୋଭିଡ୍ କଟକଣା ପାଳନ ଉପରେ ଗୁରୁତ୍ୱ ଦିଆଯାଉଛି। କେରାପୁଟ ଜିଲ୍ଲାପ୍ରଶାସନ ଜାରି କରିଥିବା ଏସଓପି ଅନୁସାରେ ପୂଜକମାନଙ୍କର ନିୟମିତ ବ୍ୟବଧାନରେ କୋଭିଡ୍ ପରୀକ୍ଷା କରାଯିବ। କିନ୍ତୁ ଏ ପର୍ଯ୍ୟନ୍ତ କୋରାପୁଟ ଜିଲ୍ଲାର ଶୈବ କ୍ଷେତ୍ର ଗୁପ୍ତେଶ୍ୱର ମନ୍ଦିରକୁ ବନ୍ଦ ରଖାଯାଇଛି। ଅନ୍ୟପଟେ ଶ୍ରାବଣ ମାସ ଚାଲିଥିବାରୁ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ପ୍ରାୟ ଶୈବ କ୍ଷେତ୍ର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

Comment