ଓଡ଼ିଶାଲାଇଭ୍ ବ୍ୟୁରୋ

ଟୋକିଓ ଅଲିମ୍ପିକ୍ସରେ ସମସ୍ତଙ୍କ ନଜର ହକି, କୁସ୍ତି, ବ୍ୟାଡ୍ ମିଣ୍ଟନ ଓ ଅନ୍ୟାନ୍ୟ ଖେଳର ପଦକ ଉପରେ ରହିଥିବାବେଳେ, ଜାଭେଲିନ ଥ୍ରୋ ପ୍ରତିଯୋଗିତାରୁ ଭାରତକୁ ମିଳିଛି ସ୍ଵର୍ଣ୍ଣ ପଦକ। ଏହି ପଦକ ଜିତି ଇତିହାସ ରଚିଛନ୍ତି ଆଥଲେଟ୍ ନୀରଜ ଚୋପ୍ରା।  ଅଲିମ୍ପିକ୍ସରେ ପ୍ରଥମେ ଦେଶକୁ ରୌପ୍ୟ ପଦକ ମୀରାବାଇ ଚାନୁ ଦେଇଥିବାବେଳେ, ଶେଷ ଦିନରେ ସ୍ଵର୍ଣ୍ଣ ପଦକ ଉପହାର ଦେଇଛନ୍ତି ନୀରଜ। ଏନେଇ ନୀରଜଙ୍କ ନିକଟକୁ ସବୁ ଦିଗରୁ ଶୁଭେଚ୍ଛାର ସୁଅ ଛୁଟିଛି।ଦୀର୍ଘ ୧୦୦ବର୍ଷରୁ ଅଧିକ ବ୍ୟବଧାନରେ ଜାଭେଲିନ ଥ୍ରୋରେ ଦେଶ ପାଇଁ ପଦକ ହାସଲ କରି ଦେଶକୁ ଗର୍ବିତ କରିଛନ୍ତି ୨୩ ବର୍ଷୀୟ ନୀରଜ। ଚଳିତ ବର୍ଷ ପ୍ରଥମଥର ପାଇଁ ସେ ଅଲିମ୍ପିକ୍ସରେ ଭାଗ ନେଇଥିଲେ।

ନୀରଜଙ୍କ ପଦକକୁ ମିଶାଇ ଟୋକିଓ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଦେଶ  ଏବେ ସୁଦ୍ଧା ୨ଟି ରୌପ୍ୟ ପଦକ ଜିତିଥିବାବେଳେ ୪ଟି ବ୍ରୋଞ୍ଜ ପଦକ ମଧ୍ୟ ହାସଲ କରିଛି। ଭାରତକୁ ମୀରାବାଈ ଚାନୁ ପ୍ରଥମେ ଭାରୋତ୍ତଳନରେ ରୌପ୍ୟ ପଦକ ଦେଇଥିବାବେଳେ ରେସଲିଙ୍ଗରେ ରବି ଦହିୟା ମଧ୍ୟ ରୌପ୍ୟ ପଦକ ଦେଇଥିଲେ। ସେହିପରି ମହିଳା ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ, ବକ୍ସିଂରେ ଲଭଲିନା, କୁସ୍ତିରେ ବଜରଙ୍ଗ ପୁନିଆ ଓ ପୁରୁଷ ହକି ଦଳ ଭାରତକୁ ବ୍ରୋଞ୍ଜ ପଦକ ଉପହାର ଦେଇଛନ୍ତି।ଅନ୍ୟପକ୍ଷରେ ଆଥଲେଟ ନୀରଜ ଚୋପ୍ରା ଓ ତାଙ୍କର ପୂରା ଟିମ୍ ଓଡ଼ିଶାର କଳିଙ୍ଗ ଷ୍ଟାଡିୟମରେ ନିଜର ଅଭ୍ୟାସ କରିଥିଲେ ବୋଲି ଟୁଇଟ କରି ସୂଚନା ଦେଇଛନ୍ତି କ୍ରୀଡ଼ା ସଚିବ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଵତନ୍ତ୍ର ସଚିବ ଆର ଭିନିଲକ୍ରିଷ୍ଣା।

Comment