ଓଡ଼ିଶାଲାଇଭ୍ ବ୍ୟୁରୋ

  • ଶିକ୍ଷାନୁଷ୍ଠାନରେ ଗଣେଶ ପୂଜାକୁ ଅନୁମତି
  • ମଣ୍ଡପରେ ପୂଜା ଆୟୋଜନ ପାଇଁ ପ୍ରଶାସନର ଅନୁମତି ଜରୁରୀ
  • ପୂଜାରେ ଭୋଜିଭାତ ଆୟୋଜନକୁ ବାରଣ
  • ପୂଜା ମଣ୍ଡପରେ ସର୍ବାଧିକ ୭ ଜଣ ରହିବେ

ଆଗକୁ ଆସୁଛି ପାର୍ବଣ ଋତୁ। ହେଲେ କରୋନା ପାଇଁ ଗଲା ବର୍ଷ ପରି ଏ ବର୍ଷ ମଧ୍ୟ ରାଜ୍ୟରେ ପାର୍ବଣ ଫିକା ପଡ଼ିବ। କେବଳ ପରମ୍ପରା ରକ୍ଷା ପାଇଁ ପୂଜା କରିବାକୁ ସରକାର ଅନୁମତି ଦେଇଛନ୍ତି। ତେବେ ଏଥର ବି ଶ୍ରଦ୍ଧାଳୁମାନେ ମଣ୍ଡପରେ ଦର୍ଶନ କରିବାର ସୁଯୋଗ ପାଇବେ ନାହିଁ। ଏନେଇ ସୋମବାର ସ୍ଵତନ୍ତ୍ର ରିଲିଫ୍ କମିସନର ପାର୍ବଣ ଗାଇଡଲାଇନ୍ ଜାରି କରିଛନ୍ତି।  ଏହି ଗାଇଡଲାଇନ୍‌ରେ କୁହାଯାଇଛି ଯେ ଗଣେଶ ପୂଜା, ଦଶହରା, କାଳୀ ପୂଜା, ଲକ୍ଷ୍ମୀ ପୂଜା, କାର୍ତ୍ତିକେଶ୍ଵର ପୂଜା ଆଦି ପାର୍ବଣକୁ ରାଜ୍ୟରେ ନିରାଡମ୍ଵର ଭାବେ ପାଳନ କରାଯିବ। ପୂଜା ମଣ୍ଡପ କିମ୍ଵା ପେଣ୍ଡାଲରେ ପୂଜା ଆୟୋଜନ କରିବାକୁ ହେଲେ ପୂଜା କମିଟିମାନେ ଆଗୁଆ ପ୍ରଶାସନଠାରୁ ଅନୁମତି ଆଣିବେ। ସବୁ ଜିଲ୍ଲାରେ ଜିଲ୍ଲାପାଳ ଏବଂ କଟକ ସହର, ଭୁବନେଶ୍ଵରରେ ପୋଲିସ କମିସନର ସ୍ଥାନୀୟ ସ୍ଥିତିକୁ ଦେଖି ମଣ୍ଡପରେ ପୂଜା କରିବାକୁ କମିଟିଗୁଡ଼ିକୁ ଅନୁମତି ଦେବେ। ତେବେ ଗଲା ବର୍ଷ ପରି ଏଥର ମଧ୍ୟ ଭକ୍ତମାନଙ୍କୁ ମଣ୍ଡପରେ ଦର୍ଶନ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି।ସେହିପରି ପୂଜା ମଣ୍ଡପର ତିନି ପାର୍ଶ୍ଵକୁ ଆବଦ୍ଧ କରି ପୂଜା କରାଯିବ। ମଣ୍ଡପରେ ପୂଜାରୀ ଏବଂ କର୍ତ୍ତାଙ୍କୁ ମିଶାଇ ସର୍ବାଧିକ ୭ ଜଣ ଏକାଠି ରହିପାରିବେ। ଏଥିସହ ପୂଜାରେ ଭୋଜିଭାତ ଆୟୋଜନକୁ ବାରଣ କରିଛନ୍ତି ସରକାର।

ସେହିପରି ସରକାରଙ୍କ ଗାଇଡଲାଇନ୍ ଅନୁସାରେ ପୂଜା ଭଳି ବିସର୍ଜନ ଉତ୍ସବ ମଧ୍ୟ ନିରାଡମ୍ଵର ଭାବେ ଆୟୋଜିତ ହେବ। ବିନା ଭକ୍ତ, ଶୋଭାଯାତ୍ରା ଏବଂ ଆତସବାଜିରେ ଭଷାଣ ହେବ। ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବ। ଯଦି କୌଣସି ପୂଜା କମିଟି ସରକାରଙ୍କ ପାର୍ବଣ ଗାଇଡଲାଇନ୍‌କୁ ଉଲଙ୍ଘନ କରନ୍ତି, ତେବେ ଆଇନ ଅନୁସାରେ ସେମାନଙ୍କ ବିପକ୍ଷରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାର ଚେତାଇ ଦେଇଛନ୍ତି।ତେବେ ରାଜ୍ୟରେ ଏବେ ବିଭିନ୍ନ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ, କଲେଜ ଆଦି ଖୋଲିଥିବାରୁ, ଶିକ୍ଷାନୁଷ୍ଠାନଗୁଡ଼ିକରେ ଗଣେଶ ପୂଜା ପାଳନକୁ ସରକାର ଅନୁମତି ଦେଇଛନ୍ତି। ଅନୁମତି ମିଳିଥିଲେ ମଧ୍ୟ କୋଭିଡର ସମସ୍ତ ନିୟମ ପାଳନ କରି ଛାତ୍ରଛାତ୍ରୀମାନେ ପୂଜା ପାଳନ କରିପାରିବେ ବୋଲି ସରକାର କହିଛନ୍ତି।  ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଥିଲେ ମଧ୍ୟ ଏଯାଏଁ ସମ୍ପୂର୍ଣ୍ଣ ବିପଦ ଟଳିନାହିଁ। ଅନ୍ୟପଟେ ଆଗକୁ ତୃତୀୟ ଲହର ଆସିବା ନେଇ ବିଶେଷଜ୍ଞମାନେ ସତର୍କ କରାଇ ଦେଲେଣି। ତେଣୁ ଏହାକୁ ଦୃଷ୍ଟିରେ ରଖି ଗଲା ବର୍ଷ ପରି ଏ ବର୍ଷ ମଧ୍ୟ କରୋନା କଟକଣା ମଧ୍ୟରେ ସମସ୍ତ ପୂଜା ପର୍ବକୁ ପାଳନ କରିବାକୁ ସରକାର ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି।

Comment