ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋଭିଡ୍ ମହାମାରୀ ପରିପ୍ରେକ୍ଷୀରେ ଶିଶୁମାନଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା, ସେମାନଙ୍କ ମାନସିକ ଓ ବୌଦ୍ଧିକ ବିକାଶକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ୟୁନିସେଫ୍‌ର ମିଳିତ ସହଯୋଗରେ ଶିଶୁମାନଙ୍କ ପାଇଁ ‘ସମ୍ପର୍କ’ ନାଁରେ ଏକ ହେଲ୍ପ୍ ଡେସ୍କ୍ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି।

ଏହି ହେଲପ୍‌ ଡେସ୍କ ଜରିଆରେ କୋଭିଡ୍ ପରିସ୍ଥିତିରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଶିଶୁମାନଙ୍କୁ ସହାୟତା ଯୋଗାଇ ଦିଆଯିବ।  ଏଥିପାଇଁ ସରକାରଙ୍କ ପକ୍ଷରୁ ଏକ ଟୋଲ୍ ଫ୍ରି ନମ୍ବର ୧୮୦୦୪୧୯୧୮୧୩ ଜାରି କରାଯାଇଛି।

ଏହି ଡେସ୍କ ସକାଳ ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ। ଶିଶୁମାନଙ୍କ ସମସ୍ୟାର ସମାଧାନ ନିମନ୍ତେ ଜଣେ କାଉନସିଲର ଏବଂ ଜଣେ ପ୍ରକଳ୍ପ ଅଧିକାରୀ ନିୟୋଜିତ ହେବେ।

ଏହାଦ୍ୱାରା କୋଭିଡ୍‌ ୧୯ ଦ୍ୱାରା ପ୍ରଭାବିତ ହୋଇଥିବା ପିଲାମାନେ ମନସ୍ତାତ୍ତ୍ୱିକ ସହାୟତା ପାଇପାରିବେ। ସେହିପରି କୋଭିଡରେ ଅଭିଭାବକ କିମ୍ବା ପାଳନକର୍ତ୍ତାଙ୍କୁ ହରାଇଥିବା ପିଲାମାନଙ୍କୁ ଆଶ୍ରୟ, ଦେଖାଶୁଣା, ସୁରକ୍ଷା ସମ୍ପର୍କରେ ଫୋନ ଯୋଗେ ପରାମର୍ଶ ଦିଆଯିବ।

ଏହାଛଡ଼ା ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁମାନଙ୍କୁ ଶିଶୁ ସୁରକ୍ଷା ସେବା ସହ ସଂଯୋଗ କରାଯିବା ସହିତ ଶିଶୁମାନଙ୍କ ସୁରକ୍ଷା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଯଥା ଆଶୀର୍ବାଦ ଯୋଜନା, ଶିଶୁ ସୁରକ୍ଷା ଯୋଜନା ସମ୍ପର୍କରେ ସୂଚନା ଦିଆଯିବ।

LEAVE A REPLY

Please enter your comment!
Please enter your name here