ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ଆନ୍ଧ୍ରପ୍ରଦେଶରେ କ୍ଷମତାସୀନ ୱାଇଏସଆର କଂଗ୍ରେସ ସରକାର ମୋଦୀ କ୍ୟାବିନେଟରେ ସାମିଲ ହେବାକୁ ଯାଉଛି। ଏନେଇ ଗତ କିଛି ଦିନ ହେବ ରାଜନୈତିକ ମହଲରେ ଯେଉଁ ଚର୍ଚ୍ଚା ହେଉଥିଲା, ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ୱାଇଏସଆର କଂଗ୍ରେସ ମୁଖପାତ୍ର ଆଦାଲା ରାଜଶେଖର।

ସେ କହିଛନ୍ତି, “ଏନଡିଏରେ ସାମିଲ ହେବା ପାଇଁ ଏବଂ କେନ୍ଦ୍ର କ୍ୟାବିନେଟରେ ମନ୍ତ୍ରୀ ପଦ ପାଇଁ ବିଜେପି ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଖାରଜ କରିଛି ୱାଇଏସଆର କଂଗ୍ରେସ। ଦଳ କେବେବି କେନ୍ଦ୍ର କିମ୍ବା ରାଜ୍ୟ ସ୍ତରୀୟ ଏନଡିଏରେ ସାମିଲ ହେବନାହିଁ। ଏଥିସହ ଦଳ କେନ୍ଦ୍ରରେ ବିଜେପି, କଂଗ୍ରେସ, ଟିଏମସି କିମ୍ବା ବାମଦଳ ହେଉ ସବୁ ପାର୍ଟି ଠାରୁ ସମ ଦୂରତା ବଜାୟ ରଖିଛି।”ୱାଇଏସଆର କଂଗ୍ରେସ କେବଳ ସାଧାରଣ ଜନତାଙ୍କ ଦଳ। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଭାଜପା ବିଭିନ୍ନ ରାଜ୍ୟରେ ଶାସନାଧୀନ ଆଞ୍ଚଳିକ ଦଳମାନଙ୍କୁ ନିଜ ଅକ୍ତିଆରକୁ ଆଣିବାକୁ ଚେଷ୍ଟା କରୁଥିବାବେଳେ ଜଗନ ମୋହନଙ୍କ ପାର୍ଟି ସହିତ ବୁଝାମଣା ପାଇଁ ମଧ୍ୟ ପ୍ରୟାସ କରୁଥିଲା। କିନ୍ତୁ ୱାଇଏସଆର କଂଗ୍ରେସ ଏହାକୁ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଥିବା କହିଛନ୍ତି ଆଦାଲା ରାଜଶେଖର।ଅନ୍ୟପଟେ ନେତୃତ୍ୱାଧୀନ ରାଜ୍ୟ ସରକାର ଏବଂ କେନ୍ଦ୍ରର ବିଜେପି ସରକାରଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଥିବାବେଳେ, ମମତା ବାନାର୍ଜୀଙ୍କ ଦଳ ସହ କୌଣସି ଘନିଷ୍ଠତା ସମ୍ପର୍କ ସ୍ଥାପନ ହୋଇନଥିବା କହିଛନ୍ତି କଂଗ୍ରେସ ମୁଖପାତ୍ର। ଏଭଳି ନହେବା ପଛର କାରଣ ରହିଛି, ଏ ପର୍ଯ୍ୟନ୍ତ ମମତା ବାନାର୍ଜୀଙ୍କଠାରୁ ଦଳ ନିକଟକୁ କୌଣସି କଲ୍ ଆସିନାହିଁ। ଏଭଳି ପରିସ୍ଥିତିରେ ଦଳ କୌଣସି ମହା ଗଠବନ୍ଧନରେ ଯୋଗଦେବାକୁ ଆଗ୍ରହୀ ନୁହେଁ। ତେବେ ଭବିଷ୍ୟତରେ କ’ଣ କରାଯିବ, ତାହାର ନିଷ୍ପତ୍ତି କେବଳ ଦଳର ସଭାପତି ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନମୋହନ ରେଡ୍ଡୀ ନେବେ ବୋଲି ଦଳ ପକ୍ଷରୁ ସୂଚାଇ ଦିଆଯାଇଛି।ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜନୀତି ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଜାତୀୟ ସ୍ତରରେ ଏକ ବିରୋଧୀ ମହାମେଣ୍ଟ ଗଠନ କରିବାକୁ ଚାହୁଁଛନ୍ତି। ଏହି ସମୟରେ ଏନଡିଏରେ ସାମିଲ ହେବ ୱାଇଏସଆର କଂଗ୍ରେସ ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ତାହାକୁ ନେଇ ରାଜଶେଖର କହିଛନ୍ତି ଆନ୍ଧ୍ରପ୍ରଦେଶରେ କଂଗ୍ରେସ ଦଳ ବୁଡ଼ି ଯାଇଥିବା ଜାହାଜ ସଦୃଶ। ତେଣୁ ୱାଇଏସଆର କଂଗ୍ରେସ ସହିତ ଯିବାର କୌଣସି ସମ୍ଭାବନା ନାହିଁ।

Comment