ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନାରେ ସଂକ୍ରମିତ ହେଉଛନ୍ତି ଛୋଟ ପିଲା। କର୍ଣ୍ଣାଟକର ରାଜଧାନୀ ବେଙ୍ଗାଳୁରୁରୁ ଏହି ଚିନ୍ତାଜନକ ଖବର ଆସିଛି। ବାଙ୍ଗାଲୋରରେ ଚଳିତ ମାସର ୧୦ ଦିନ ଭିତରେ ୪୮୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଖାଲି କର୍ଣ୍ଣାଟକ ନୁହେଁ  ମିଜୋରାମରେ ମଧ୍ୟ ୧୨୮ ଶିଶୁ ମହାମାରୀରେ ଆକ୍ରାନ୍ତ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି।

କର୍ଣ୍ଣାଟକ ଓ ମିଜୋରାମରେ ଅଗଷ୍ଟର ପ୍ରଥମ ୧୦ ଦିନରେ ୫୭୬ ଶିଶୁ ଓ କିଶୋର କରୋନାରେ ସଂକ୍ରମିତ ହୋଇଛନ୍ତି। କର୍ଣ୍ଣାଟକ ଓ ମିଜୋରାମରେ ଛୋଟପିଲା ଆକ୍ରାନ୍ତ ହେବା ତୃତୀୟ ଲହର ଚର୍ଚ୍ଚାକୁ ବଢାଇ ଦେଇଛି। ଶିଶୁଙ୍କୁ କିପରି ସଂକ୍ରମଣରୁ ରୋକା ଯାଇପାରିବ ତାହା ପ୍ରାୟ ସବୁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି।

ଏପଟେ ଓଡ଼ିଶାରେ ବୁର୍ଲା ଭିମସାରରେ ୨ ଶିଶୁ କରୋନା ସଂକ୍ରମିତ ହୋଇଥିବା ଖବର ଆସିଛି। ରାଜ୍ୟରେ କରୋନା ସଂକ୍ରମଣ ହଜାରେ ତଳକୁ ଖସୁନଥିବା ବେଳେ, ଭିମସାରରେ ୨ ଶିଶୁଙ୍କ କରୋନା ପଜିଟିଭ୍ ବାହାରିବା ଚିନ୍ତାର ବିଷୟ ପାଲଟିଯାଇଛି।

ଏହି ସ୍ଥିତିର ମୁକାବିଲା ପାଇଁ ଓଡ଼ିଶା ପ୍ରସ୍ତୁତ ହେଉଛି। ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକଙ୍କ ଅନୁଯାୟୀ ଓଡ଼ିଶା ସରକାର ତୃତୀୟ ଲହରକୁ ମୁକାବିଲା କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ସବୁ ଶିଶୁଙ୍କର ଆରଟିପିସିଆର ପରୀକ୍ଷା କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ଶିଶୁ ୱାର୍ଡରେ ଆଡମିସନ ହେବା ପୂର୍ବରୁ ଶିଶୁମାନଙ୍କ ପରୀକ୍ଷାକୁ ସୁନିଶ୍ଚିତ କରାଯିବ। ଆରଟିପିସିଆର ରିପୋର୍ଟ ନଥିଲେ ବି ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ଶିଶୁଙ୍କୁ ଚିକିତ୍ସା କରାଯିବ। ରାଜ୍ୟସ୍ତରୀୟ ଶିଶୁ କୋଭିଡ୍ କେୟାର ଟାସ୍କ ଫୋର୍ସ ବୈଠକରେ ଏସବୁ ନିଷ୍ପତ୍ତି ନିଆଯାଇଛି।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରାଯାଇଛି। ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ଟାସ୍କ ଫୋର୍ସ ଗଠନ ହେବ। ଏଥିରେ ସିଡିଏମ୍ଓଙ୍କ ସମେତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ, ବରିଷ୍ଠ ଶିଶୁରୋଗ ବିଶେଷଜ୍ଞ ଓ ନିଶ୍ଚେତକ ବିଶେଷଜ୍ଞ ସାମିଲ ରହିବେ।

ସ୍ୱାବ୍ ନମୁନା କିପରି ସଂଗ୍ରହ କରାଯିବ ଜିଲ୍ଲାପାଳମାନେ ସପ୍ତାହରେ ଥରେ ବୈଠକ କରିବା ପାଇଁ କୁହାଯାଇଛି। ଏହାସହ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କୁ ଏ ସଂପର୍କରେ ସମସ୍ତ ରଣନୀତି ପ୍ରସ୍ତୁତ ସହିତ ନିରୀକ୍ଷଣ କରିବାକୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here