ଓଡ଼ିଶାଲାଇଭ୍ ବ୍ୟୁରୋ

ପୋଲାଣ୍ଡ ଆଥଲେଟ୍ ମାରୀୟା ଆଣ୍ଡ୍ରେଜିକ୍। ଏକ ଶିଶୁର ଅସ୍ତ୍ରୋପଚାର ପାଇଁ ନିକଟରେ ଟୋକିଓ ଅଲିମ୍ପିକ୍ସରୁ ହାସଲ କରିଥିବା ରୌପ୍ୟ ପଦକକୁ ନିଲାମ କରିଛନ୍ତି।

ଅଲିମ୍ପିକ୍ସରେ ପଦକ ଜିତିବା ସବୁ ଖେଳାଳିଙ୍କ ସ୍ଵପ୍ନ। ସେହିପରି ଜଣେ ପଦକ ବିଜେତା ହେଉଛନ୍ତି ପୋଲାଣ୍ଡର ଜଣାଶୁଣା ଆଥଲେଟ୍ ମାରୀୟା ଆଣ୍ଡ୍ରେଜିକ୍। ଦୁଇ ସପ୍ତାହ ପୂର୍ବରୁ ଟୋକିଓ ଅଲିମ୍ପିକ୍ସରେ ହାସଲ କରିଥିଲେ ରୌପ୍ୟ ପଦକ। କିନ୍ତୁ ଏଭଳି ପରିସ୍ଥିତି ସୃଷ୍ଟି ହେଲାଯେ, ଯେଉଁ ପଦକ ଜିତିବା ପାଇଁ ତାଙ୍କୁ ମାସ ମାସ ଧରି ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡ଼ିଥିଲା, ଶେଷରେ ସେହି ପଦକକୁ ନିଲାମ କରିବାକୁ ପଡ଼ିଲା। ଆଥଲେଟ୍ ମାରୀୟା ଏଭଳି ନିଷ୍ପତ୍ତି ନେବା ପଛରେ ରହିଛି ବଡ଼ କାହାଣୀ।

କାହିଁକି ନିଲାମ କଲେ ଟୋକିଓ ପଦକ?

ଟୋକିଓ ଅଲିମ୍ପିକ୍ସରେ ଖେଳାଯାଇଥିବା ଜାଭେଲିନ୍ ଥ୍ରୋ’ରେ ମାରୀୟା ରୌପ୍ୟ ପଦକ ହାସଲ କରିଥିଲେ।  ଏହି ପଦକ ଜିତି ସେ ବେଶ୍ ଖୁସି ମଧ୍ୟ ଥିଲେ।

ଦିନେ ସୋସିଆଲ ମିଡିଆ ମାଧ୍ୟମରେ ତାଙ୍କ ପାଖରେ ଏକ ଦୁଃଖଦ ଖବର ପହଞ୍ଚିଥିଲା। ଖବର ଥିଲା, ପୋଲାଣ୍ଡର ଏକ ଶିଶୁର ଚିକିତ୍ସା ପାଇଁ ପ୍ରାୟ ୨କୋଟି ୮୬ ଲକ୍ଷ ଟଙ୍କା ଦରକାର ଏବଂ ତା’ର ଚିକିତ୍ସା ଆମେରିକାରେ ହେବ। କିନ୍ତୁ ଶିଶୁଟିର ଅଭିଭାବକଙ୍କ ପାଖରେ ଏତେ ଟଙ୍କା ନଥିବାରୁ, ସେମାନେ ତା’ର ଚିକିତ୍ସା କରାଇପାରୁନାହାଁନ୍ତି।

ଏଭଳି ବିପଦ ସମୟରେ ଶିଶୁଟିକୁ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ମାରୀୟା ତାଙ୍କର ପ୍ରିୟ ଟୋକିଓ ପଦକକୁ ନିଲାମ କରିବାକୁ ପଛାଇନଥିଲେ। ତେଣୁ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ନିଲାମୀ ସମ୍ପର୍କରେ ଲେଖିଥିଲେ। ପରେ ତାଙ୍କ ପୋଷ୍ଟକୁ ଦେଖି ପୋଲାଣ୍ଡର ବଡ଼ ବଡ଼ ନାମିଦାମୀ କମ୍ପାନି, ବ୍ୟକ୍ତି, ରାଜନେତାମାନେ କିଣିବାକୁ ଇଚ୍ଛା ପ୍ରକାଶ କରିଥିଲେ।ଶିଶୁର ଜୀବନ ବଞ୍ଚାଇବା ପାଇଁ ନିଲାମ କଲେ ଟୋକିଓ ପଦକ

ପୋଲାଣ୍ଡର ଜଣେ ଶିଶୁ ହେଉଛନ୍ତି ମିଲୋସଜେକ ମାଲିସା। ତାଙ୍କର ବୟସ ମାତ୍ର ୮ମାସ। ମିଲୋସଜେକ ହୃଦ୍ ରୋଗରେ ପୀଡ଼ିତ। ତାଙ୍କ ଚିକିତ୍ସା ପାଇଁ ପ୍ରାୟ ୨କୋଟି ୮୬ଲକ୍ଷ ଟଙ୍କା ଦରକାର। ଟଙ୍କା ଯୋଗାଡ଼ ହୋଇଗଲେ ତାଙ୍କ ଚିକିତ୍ସା ଆମେରିକାରେ କରାଯିବ। କାରଣ ସେ ଗୁରୁତର ଭାବରେ ଆକ୍ରାନ୍ତ ହୋଇଥିବାରୁ କୌଣସି ୟୁରୋପୀୟ ହସ୍ପିଟାଲ ଅସ୍ତ୍ରୋପଚାର ପାଇଁ ରାଜି ହୋଇନଥିଲେ।

ଅନ୍ୟପଟେ ଏକା ସାଙ୍ଗରେ ଏତେ ଗୁଡ଼ାଏ ଟଙ୍କା ସଂଗ୍ରହ କରିବାରେ ସକ୍ଷମ ହୋଇନଥିଲେ ମିଲୋସଜେକଙ୍କ ପରିବାର। ତେଣୁ ସେ ସୋସିଆଲ ମିଡିଆ ମାଧ୍ୟମରେ ସହାୟତା ପାଇଁ ଅନୁରୋଧ କରିଥିଲେ।

ଏହି ଖବର ମାରୀୟାଙ୍କ ନିକଟରେ ଯେତେବେଳେ ପହଞ୍ଚିଥିଲା, ସେ ଶିଶୁଟିର ଜୀବନ ବଞ୍ଚାଇବାକୁ ଯାଇ ତାଙ୍କର ରୌପ୍ୟ ମେଡାଲ ବିକିବାକୁ ସ୍ଥିର କଲେ ଏବଂ ଅନଲାଇନ ମାଧ୍ୟମରେ ନିଲାମ ଡାକିଥିଲେ।

ମାରୀୟାଙ୍କ ପଦକ ନେଲା ଅବ୍କା ପୋଲସ୍କା ନାମକ ଏକ କମ୍ପାନି

ଟୋକିଓ ଅଲିମ୍ପିକ୍ସରେ ୬୪.୬୧ ମିଟର ଜାଭେଲିନ୍ ଥ୍ରୋ କରି ଦେଶ ପାଇଁ ରୌପ୍ୟ ପଦକ ଜିତିଥିଲେ ପୋଲାଣ୍ଡ ଆଥଲେଟ୍ ମାରୀୟା ଆଣ୍ଡ୍ରେଜିକ୍। ତାଙ୍କ ପାଇଁ ସେହି ପଦକ ଥିଲା ସ୍ଵତନ୍ତ୍ର ପଦକ। ତାଙ୍କର ସେହି ପଦକକୁ ପ୍ରାୟ ୨କୋଟି ୫୦ଲକ୍ଷରୁ ଅଧିକ ଟଙ୍କା ଦେଇ କିଣିଛି ପୋଲାଣ୍ଡର ଅବ୍କା ପୋଲସ୍କା ନାମକ ଏକ କମ୍ପାନି।

୨୦୧୬ରେ ରିଓ ଅଲିମ୍ପିକ୍ସରେ ଚତୁର୍ଥ ସ୍ଥାନ ହାସଲ କରି ପଦକରୁ ବଞ୍ଚିତ ହୋଇଥିଲେ ମାରୀୟା। ତେଣୁ ସେ ୨୦୨୦ ଅଲିମ୍ପିକ୍ସ ପଦକ ପାଇଁ ଅନେକ ସଙ୍ଘର୍ଷ କରିଥିଲେ। ଶେଷରେ ଟୋକିଓ ଅଲିମ୍ପିକ୍ସ ୨୦୨୦ ରୌପ୍ୟ ପଦକ ବିଜେତା ହୋଇପାରିଥିଲେ। ମାରୀୟାଙ୍କୁ ପାଇଁ ବହୁତ ଖାସ୍ ରହିଥିଲା ଏହି ପଦକ।

କିନ୍ତୁ ଜଣଙ୍କ ଜୀବନଠାରୁ ଏହି ପଦକ ବଡ଼ ନୁହେଁ ବୋଲି କହିଥିଲେ ମାରୀୟା। ସେ କହିଥିଲେ ମୁଁ ମଧ୍ୟ ଦିନେ କର୍କଟ ରୋଗରେ ପୀଡ଼ିତ ଥିଲି। ସେ ସମୟରେ ମୋ ପରିବାରର ଅବସ୍ଥା ମଧ୍ୟ ଏପରି କିଛି ରହିଥିଲା। ତେଣୁ ପଦକ ଓ ଜୀବନ ମଧ୍ୟରୁ ସେ ଜୀବନକୁ ବାଛିଥିଲେ।

ମାରୀୟାଙ୍କ ଏଭଳି କାର୍ଯ୍ୟ ପାଇଁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ଏବଂ ଖୁବ୍ ଶୀଘ୍ର ଶିଶୁଟିର ଚିକିତ୍ସା ଆମେରିକାର ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରେ ହେବାକୁ ଯାଉଛି।

Comment