ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା କଟକଣା ମଧ୍ୟରେ ସୋମବାରଠାରୁ ସର୍ବସାଧାରଣଙ୍କ ପାଇଁ ଜଗା ଦର୍ଶନ ଆରମ୍ଭ ହୋଇଛି।

୪ ମାସ ପରେ ଆଜି ଭକ୍ତ ଭଗବାନଙ୍କର ଅପୂର୍ବ ମିଳନ ହୋଇଛି। ରତ୍ନ ସିଂହାସନରୁ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମହାବାହୁ। ଏତେଦିନ ପରେ ଭାବର ଠାକୁରଙ୍କୁ ଦେଖି ଭକ୍ତମାନେ ମଧ୍ୟ ଭାବ ବିହ୍ୱଳ ହୋଇପଡ଼ିଛନ୍ତି। କାଳିଆର ଚକାଆଖିକୁ ଦେଖି ଭକ୍ତଙ୍କ ଆଖିରୁ ଭାବର ଲୁହ ଝରି ପଡ଼ିଛି।

ମନରେ ଯେତକ ଦୁଃଖ ଥିଲା ସବୁ ଦୂର ହୋଇଗଲା

ଦୀର୍ଘ ୪ ମାସର ପରେ ଚତୁର୍ଦ୍ଧା ମୂରତିଙ୍କୁ ଦର୍ଶନ କରିବା ପରେ ଜଣେ ଭକ୍ତ କହିଛନ୍ତି, “କାଳିଆର ଚକା ଆଖିକୁ ଦେଖିଲା ବେଳେ ଏମିତି ଲାଗିଲା, ଯେମିତି ମୋ ମନରେ ଯେତକ ଦୁଃଖ ଥିଲା ସବୁ କୁଆଡ଼େ ଉଭେଇଗଲା। ଏତେଦିନ ପରେ ଆଜି କାଳିଆକୁ ଦର୍ଶନ କରି ବହୁତ ଆନନ୍ଦ ଲାଗୁଛି।”

ସେହିପରି ମହାପ୍ରଭୁଙ୍କ ଦର୍ଶନ ପରେ ଆଉଜଣେ ଭକ୍ତ କହିଛନ୍ତି ଯେ, ଜଗା ଦର୍ଶନ ପାଇଁ ୩ ଦିନ ହେଲା ଆସି ପୁରୀରେ ରହିଥିଲୁ। ଆଜି କାଳିଆର ଡୋରି ଲାଗିବାରୁ ଦର୍ଶନ କରିପାରିଲୁ। ଦେଉଳ ଭିତରେ ଚକାଆଖିକୁ ଦେଖିଲା ବେଳେ ଭାବ ବିହ୍ଵଳ ହୋଇ ପଡ଼ିଥିଲି। ଠାକୁରଙ୍କୁ କେବଳ ଏତିକି ମାଗିଲି, ପ୍ରଭୁ ଦୁନିଆରୁ କରୋନାକୁ ନାଶ କରିଦିଅ। ସମସ୍ତେ ଶାନ୍ତିରେ ରହନ୍ତୁ। ସବୁଦିନ ପାଇଁ ତୁମ ଦୁଆର ଭକ୍ତମାନଙ୍କ ପାଇଁ ଖୋଲୁ।ମନର କଥା ବୁଝିଲେ କଳାଠାକୁର

ସର୍ବସାଧାରଣଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ପରେ ବରଗଡ଼ରୁ ଜଗା ଦର୍ଶନ ପାଇଁ ଆସିଥିବା ଜଣେ ଭକ୍ତ ତାଙ୍କ ଅନୁଭୂତିକୁ ବଖାଣି କହିଛନ୍ତି, “୪ ମାସ ହେଲା କାଳିଆ ଦର୍ଶନ ପାଇଁ ଛଟପଟ ହେଉଥିଲି। ଆଜି ମହାପ୍ରଭୁ ମୋ ମନର କଥା ବୁଝିଲେ। ଡୋରି ଲଗେଇ ବରଗଡ଼ରୁ ପୁରୀ ନେଇଆସିଲେ। ଖୁବ ଭଲ ଦର୍ଶନ ହେଲା। ଏବେ ଯାଇ ମନକୁ ଶାନ୍ତି ମିଳିଲା। ପ୍ରଶାସନର ବ୍ୟବସ୍ଥା ବି ଖୁବ ଭଲ ଥିଲା। ଏବେ ଭୋଗରାଗ କିଣି ଘରକୁ ଫେରୁଛି।”

ସେହିପରି ସୁଦୂର ହରିୟାଣାର ଫରିଦାବାଦରୁ ପୁରୀ ଆସିଥିବା ଦମ୍ପତି ମହାପ୍ରଭୁଙ୍କୁ ଦର୍ଶନ ପରେ କହିଛନ୍ତି ଯେ, ଦୁଇଦିନ ପୂର୍ବରୁ ହଠାତ୍ ପୁରୀ ଆସିବାକୁ ଯୋଜନା କରିଥିଲୁ। ଟିକେଟ୍ ମିଳିବ କି ନାହିଁ ଭାବୁଥିଲୁ। କିନ୍ତୁ ତତ୍‌କାଳରେ ଟିକେଟ ହୋଇଗଲା। ପୁରୀରେ ଆସି ପହଞ୍ଚିଲୁ। ହେଲେ ଆମକୁ ମନ୍ଦିର ଭିତରକୁ ପ୍ରବେଶ ମିଳିବ କି ନାହିଁ, ତାକୁ ନେଇ ମନରେ ଦ୍ଵନ୍ଦ୍ଵ ଥିଲା। କିନ୍ତୁ ବଡ଼ଦେଉଳକୁ ଆମେ ଯାଇ ଭଲରେ ଦର୍ଶନ କରିପାରିଲୁ। ଏବେ ଆମେ ଆନନ୍ଦରେ ହରିୟାଣା ଫେରିପାରିବୁ।୪ ମାସ ପରେ ଚଳଚଞ୍ଚଳ ହେଲା ଶ୍ରୀମନ୍ଦିର

କରୋନା ପାଇଁ ଶୂନଶାନ ହୋଇପଡ଼ିଥିଲା ଶ୍ରୀମନ୍ଦିର ପରିସର। ଭକ୍ତଙ୍କ ପାଇଁ ବନ୍ଦ ହୋଇଥିଲା ସିଂହଦୁଆର। ମାତ୍ର ଅଳ୍ପ କେତେଜଣ ସେବାୟତଙ୍କୁ ନେଇ ମହାପ୍ରଭୁଙ୍କ ନୀତିକାନ୍ତି ଚାଲିଥିଲା। ଅନ୍ୟପକ୍ଷେ ଗତବର୍ଷ ପରି ଦିଅଁଙ୍କ ରଥଯାତ୍ରା ବି ବିନା ଭକ୍ତରେ ହେଲା। ବଡ଼ଦାଣ୍ଡକୁ ଠାକୁର ସିନା ଆସିଲେ, ହେଲେ ଭକ୍ତଙ୍କ ପାଇଁ ବି ବଡ଼ଦାଣ୍ଡରେ ବାଡ଼ ପଡ଼ିଲା। ଫଳରେ ଭକ୍ତମାନେ କେବେ ମହାପ୍ରଭୁଙ୍କୁ ରତ୍ନ ସିଂହାସନରେ ଦର୍ଶନ କରିବେ ତାକୁ ନେଇ ବ୍ୟାକୁଳ ହେଉଥିଲେ।

କରୋନା ପାଇଁ ଏପ୍ରିଲ ମାସରୁ ୪ ମାସ ଧରି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବା ପରେ ଅଗଷ୍ଟ ୧୨ରୁ ଶ୍ରୀମନ୍ଦିର ଖୋଲିବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିଲେ। ଅଗଷ୍ଟ ୧୨ ଓ ୧୩ ସେବାୟତଙ୍କ ପରିବାର ସଦସ୍ୟଙ୍କୁ ଦର୍ଶନ ପାଇଁ ଅନୁମତି ମିଳିଥିଲା। ଏହାପରେ ଶନି, ରବି ସଟ୍‌ଡାଉନରେ ଦୁଇଦିନ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବା ପରେ ୧୬ରୁ ୨୦ ଯାଏଁ ପୁରୀ ସହରବାସୀଙ୍କୁ ଦର୍ଶନ ସୁବିଧା ମିଳିଥିଲା। ପୁରୀ ସହରବାସୀଙ୍କ ଦର୍ଶନ ପରେ ଅଗଷ୍ଟ ୨୩ରୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ହୋଇଥିଲା। ତେଣୁ ଆଜିଠାରୁ କରୋନା କଟକଣା ମଧ୍ୟରେ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ପୁଣି ଚଳଚଞ୍ଚଳ ହୋଇ ଉଠିଛି ଶ୍ରୀମନ୍ଦିର। ଭକ୍ତଙ୍କ ଗହଣରେ ପୂଜା ପାଇଛନ୍ତି କଳାଠାକୁର।  କରୋନା କଟକଣାରେ ଦର୍ଶନ  

ଶୃଙ୍ଖଳିତ ଦର୍ଶନ ପାଇଁ ବଡ଼ଦାଣ୍ଡରେ ସ୍ଵତନ୍ତ୍ର ବ୍ୟାରିକେଡ କରି ଭକ୍ତଙ୍କୁ ସିଂହଦ୍ୱାରରେ ପହଞ୍ଚାଇବାକୁ ବ୍ୟବସ୍ଥା କରାଯାଇଛି। ୯୬ ଘଣ୍ଟା ପୂର୍ବର କୋଭିଡ ଆର୍‌ଟିପିସିଆର୍ ନେଗେଟିଭ୍ ରିପୋର୍ଟ ଦେଖାଇ ଭକ୍ତମାନେ ବଡ଼ଦେଉଳକୁ ପ୍ରବେଶ କରିଛନ୍ତି। ସଂକ୍ରମଣକୁ ଦୂରେଇବା ପାଇଁ ଭକ୍ତମାନଙ୍କ ମଧ୍ୟରେ ସାମାଜିକ ଦୂରତା ଏବଂ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯିବା ସହ ପ୍ରଶାସନ ପକ୍ଷରୁ ସାନିଟାଇଜର ବ୍ୟବସ୍ଥା କରାଯାଇଛି। ସେହିପରି ଶ୍ରୀମନ୍ଦିରକୁ ପ୍ରବେଶ ବେଳେ ଭକ୍ତମାନଙ୍କର ଥର୍ମାଲ ସ୍କ୍ରିନିଂ ମଧ୍ୟ କରାଯାଉଛି। ସୋମବାର ସର୍ବସାଧାରଣଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ଆରମ୍ଭ ହୋଇଥିବା ବେଳେ ସକାଳ ୭ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି।

ଦର୍ଶନ ପରେ ଫିଡ୍‌ବ୍ୟାକ୍ ବ୍ୟବସ୍ଥା

ଜଗା ଦର୍ଶନ ପରେ ଭକ୍ତମାନଙ୍କଠାରୁ ମତାମତ ଗ୍ରହଣର ବ୍ୟବସ୍ଥା ହୋଇଛି। ଏଥିଲାଗି ବଡ଼ଦାଣ୍ଡରେ ପୁରୀ ପୋଲିସ ପକ୍ଷରୁ ଏକ ଫିଡ୍‌ବ୍ୟାକ୍ ସେଣ୍ଟର ତିଆରି ହୋଇଛି। ବଡ଼ ଦେଉଳରୁ ଦର୍ଶନ ସାରି ଫେରୁଥିବା ଶ୍ରଦ୍ଧାଳୁମାନେ ଏଠାକୁ ଆସି ଦର୍ଶନ ବ୍ୟବସ୍ଥା ବାବଦରେ ନିଜର ମତାମତ ଦେଉଛନ୍ତି। ଦର୍ଶନ ବ୍ୟବସ୍ଥାକୁ ନେଇ ସେମାନେ କେତେ ଖୁସି ଅଛନ୍ତି, ଆଉ କେଉଁଭଳି ବ୍ୟବସ୍ଥା ହେଲେ ଭଲ ହୋଇପାରିବ। ଏ ବାବଦରେ ଲେଖିକରି ସେମାନେ ଫିଡ୍‌ବ୍ୟାକ୍‌ ସେଣ୍ଟରରେ ଦେଉଛନ୍ତି। ଏହାଦ୍ଵାରା ପୋଲିସ ପ୍ରଶାସନ ଶାନ୍ତି ଶୃଙ୍ଖଳା ବ୍ୟବସ୍ଥାକୁ ସୁଦୃଢ଼ କରିପାରିବେ।

Comment