ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ୮ ମାସ ପରେ ଗାଁକୁ ଫେରିଲେ ହକି ତାରକା ଅମିତ ରୋହିଦାସ୍
  • ଗାଁରେ ଅମିତଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା
  • ପୁଅକୁ ପାଖରେ ପାଇ ଭାବ ବିହ୍ୱଳ ହେଲେ ଅମିତ ମା’
  • ଭଉଣୀ ହାତରୁ ରାକ୍ଷୀ ବାନ୍ଧିଲେ ଅମିତ

ଟୋକିଓ ଅଲିମ୍ପିକ୍ସ ପାଇଁ ଦୀର୍ଘ ୮ ମାସ ହେଲା ଘରୁଠୁ ଦୂରରେ ଥିବା ହକି ତାରକା ଅମିତ ରୋହିଦାସ ଫେରିଛନ୍ତି। ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସେ ନିଜ ଗାଁ ମାଟିରେ ପାଦ ଦେଇଥିଲେ। ସୁନ୍ଦରଗଡ଼ର ଗର୍ବ ଅମିତଙ୍କୁ ପରିବାର ଲୋକ, ଗ୍ରାମବାସୀ ପାରମ୍ପରିକ ନାଚ, ଗୀତର ତାଳେ ତାଳେ ପାଛୋଟି ଆଣିଥିଲେ। ଗ୍ରାମବାସୀଙ୍କ ଭଲ ପାଇବା ଦେଖି ଚକିତ ହୋଇଥିଲେ ଅମିତ।

ଟୋକିଓ ଅଲିମ୍ପିକ୍ସରେ ଯେତେବେଳେ ଭାରତ ଜର୍ମାନୀକୁ ହରାଇ ବ୍ରୋଞ୍ଜ୍‌ ପଦକ ଜିତିଥିଲା, ସେତେବେଳେ ସାରାଦେଶ ଖେଳାଳିମାନଙ୍କ ଜୟ ଜୟକାର କରିଥିଲା। ଦଳରେ ଥିବା ଓଡ଼ିଆ ତାରକାଙ୍କୁ ଓଡ଼ିଶା ସରକାର ଓ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ସମ୍ବର୍ଦ୍ଧିତ କରିଥିଲେ। ଏହାପରେ ହକି ତାରକା ଅମିତ ରୋହିଦାସଙ୍କୁ ତାଙ୍କ ଗାଁରେ ଯେଉଁଭଳି ସ୍ୱାଗତ କରାଯାଇଥିଲା, ତାହା ଦେଖି ସେ ଆତ୍ମବିଭୋର ହୋଇଥିଲେ। ଟୋକିଓ ସଫଳତାର ଅସଲ ଖୁସି ଅମିତଙ୍କୁ ତାଙ୍କ ଗାଁ ମାଟିରେ ମିଳିଛି ବୋଲି କୁହାଯାଇପାରେ।

ପାରମ୍ପରିକ ନାଚ, ଗୀତରେ ଅମିତଙ୍କୁ ସ୍ୱାଗତ

ରବିବାର ଦିନ ସକାଳୁ ସ୍ଥାନୀୟ ନେତା, ଅଞ୍ଚଳବାସୀ ଓ ଅମିତଙ୍କ ପରିବାର ଲୋକ ତାଙ୍କୁ ଅପେକ୍ଷା କରିଥିଲେ। ଗାଁ ମୁଣ୍ଡରେ ପହଞ୍ଚିବା ପରେ ଅମିତଙ୍କୁ ଆଦିବାସୀ ଗୀତ, ପାରମ୍ପରିକ ଢୋଲ ବାଜାର ତାଳେ ତାଳେ ପାଛୋଟି ନିଆଯାଇଥିଲା। ପ୍ରଥମେ ଅମିତ ଘର ପାଖରେ ଥିବା ତାଙ୍କ ସ୍ୱର୍ଗତଃ ବାପା ଗୋପାଳ ରୋହିଦାସଙ୍କ ସମାଧି ପୀଠ ନିକଟକୁ ଯାଇଥିଲେ। ସେଠାରେ ବାପାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ବାପାଙ୍କ ସମାଧୀ ପୀଠରେ କାନ୍ଦି ପକାଇଥିଲେ ଅମିତ। ଏହି ଦୃଶ୍ୟ ଉପସ୍ଥିତ ଲୋକଙ୍କୁ ଭାବ ପ୍ରବଣ କରି ଦେଇଥିଲା।

‘‘ଦୀର୍ଘ ଦିନ ପରେ ଘରକୁ ଫେରିଲି। ପରିବାରକୁ ପାଖରେ ପାଇଲି। ଅଲିମ୍ପିକ୍ସ ପଦକ ନେଇ ଘରକୁ ଫେରିଥିବାରୁ ମତେ ଗର୍ବ ଅନୁଭବ ହେଉଛି। ଜିଲ୍ଲା ପ୍ରଶାସନ, ଗ୍ରାମବାସୀଙ୍କ ଭଲ ପାଇବା ପାଇ ମୁଁ ୠଣୀ’’ କହିଥିଲେ ଅମିତ ରୋହିଦାସ।

ପୁଅକୁ ଫୁଲ ଚନ୍ଦନ ଲଗେଇ କୋଳେଇ ନେଲେ ଅମିତଙ୍କ ମା’

 ଅମିତ ନିଜ ଘରେ ପହଞ୍ଚିବା ପରେ ତାଙ୍କ ମା’ ଗୋଲାପୀ ରୋହିଦାସ ଏକ ନିଆରା ଢଙ୍ଗରେ ପୁଅକୁ ସ୍ୱାଗତ କରିଥିଲେ। ପୁଅର ପାଦକୁ ହଳଦୀ ପାଣିରେ ଧୋଇ ଦେଇ ଫୁଲ ଚନ୍ଦନ ଲଗାଇ ସ୍ୱାଗତ କରିଥିଲେ ମା’ ଗୋଲାପୀ ଦେବୀ।

‘‘ଅମିତ ତା’ ବାପାଙ୍କ ସ୍ୱପ୍ନ ଆଜି ପୂରଣ କରିଛି। ଅଲିମ୍ପିକ୍ସରେ ଖେଳି ସେ ବ୍ରୋଞ୍ଜ୍‌ ପଦକ ଜିତିଛି। ଅମିତ ପାଇଁ ଆଜି ମୁଁ ବହୁତ ଖୁସି’’, କହିଥିଲେ ଅମିତଙ୍କ ମା’ ଗୋଲାପୀ ଦେବୀ।

 ଭଉଣୀ ହାତରୁ ରାକ୍ଷୀ ବାନ୍ଧିଲେ ଅମିତ

ରାକ୍ଷୀ ପୂର୍ଣ୍ଣିମା ଭାରତୀୟ ସଂସ୍କୃତି ଓ ପରମ୍ପରାର ଏକ ନିଆରା ପର୍ବ। କିନ୍ତୁ ଖେଳ ପାଇଁ ପ୍ରାୟ ଥର ଅମିତ ରାକ୍ଷୀରେ ଘରଠାରୁ ଦୂରରେ ଥାଆନ୍ତି। ହେଲେ ଏଥର ସେ ଟୋକିଓରୁ ପଦକ ଜିତି ରାକ୍ଷୀ ଦିନ ଘରକୁ ଫେରି ଭଉଣୀ ସୁସ୍ମିତାଙ୍କ ହାତରୁ ସେଇ ସମ୍ପର୍କର ଡୋରିକୁ ବାନ୍ଧିଛନ୍ତି। ବନ୍ଦାପନା ପରେ ଫୁଲ ଚନ୍ଦନ ଲଗାଇ ଅମିତଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ ସୁସ୍ମିତା।

‘‘ରାକ୍ଷୀ ପୁର୍ଣ୍ଣିମା ଭଳି ଦିନରେ ଭାଇ ମୋର ଘରକୁ ଫେରିଛି। ମତେ ଆଜି ବହୁତ ଖୁସି ଲାଗୁଛି। ମୁଁ ଭାଇ ପାଇଁ ଗର୍ବ ଅନୁଭବ କରୁଛି।  ଭାଇର ବ୍ରୋଞ୍ଜ୍‌ ମେଡାଲ ମୋ ପାଇଁ ରାକ୍ଷୀ ପୂର୍ଣ୍ଣିମାର ଉପହାର ଭଳି’’, କହିଥିଲେ ଅମିତଙ୍କ ଭଉଣୀ ସୁସ୍ମିତା।

 ଗାଁରେ ଅମିତଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଘରେ କିଛି ସମୟ ବିତାଇବା ପରେ ଅମିତ ଅମିତ ପଞ୍ଚାୟତ ଖେଳ ପଡ଼ିଆରେ ଆୟୋଜିତ ଏକ ସ୍ୱାଗତ ସମାରୋହ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ। ପଡ଼ିଆରେ ଶହ ଶହ ଲୋକ ଠିଆ ହୋଇ କରତାଳି ବଜାଇ କାଂସ୍ୟ ପଦକ ଜିତି ଥିବା ପୁରୁଷ ହକି ଦଳର ଦୁଇ ତାରକା ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାପାଳ ନିଖିଲ ପଓ୍ୱନ କଲ୍ୟାଣ ଦୁଇ ଖେଳାଳିଙ୍କୁ ମାନପତ୍ର ଉପଢୌକନ ଦେଇ ସମ୍ମାନୀତ କରିଥିଲେ।

‘‘ସଉନାମୁରା ମାଟିରୁ ଅନେକ ଖେଳାଳି ଜନ୍ମ ନେଇଛନ୍ତି। ଏହି ମାଟିର ପୁଅ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଖେଳି ଜନ୍ମମାଟିକୁ ଗୌରାବାନ୍ୱିତ କରିଛନ୍ତି। ଅଲିମ୍ପିକ୍ସ ବ୍ରୋଂଜ ପଦକ ବିଜେତାଙ୍କୁ ପ୍ରଶାସନ ତରଫରୁ ସମଗ୍ର ସୁନ୍ଦରଗଡବାସୀଙ୍କ ତରଫରୁ ଅଶେଷ ଅଶେଷ ଧନ୍ୟବାଦ’’, ସମ୍ବର୍ଦ୍ଧନା ଉତ୍ସବରେ କହିଥିଲେ ଜିଲ୍ଲାପାଳ।

ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ, ଓଡ଼ିଶା ହକି ପ୍ରମୋସନ କାଉନ୍ସିଲର ଅଧ୍ୟକ୍ଷ ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର, ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା, ସୁନ୍ଦରଗଡ଼ ସ୍ୱତନ୍ତ୍ର ପରିଷଦର ଅଧ୍ୟକ୍ଷ ବିନୟ ଟପ୍ପୋ, ଏନଟିପିସି ଡୁଲଙ୍ଗାର ମୁଖ୍ୟ ମହାପ୍ରବନ୍ଧକ ଚିତ୍ତରଂଜନ ବାରିକ ପ୍ରମୁଖ ଯୋଗ ଦେଇଥିଲେ।

‘‘ଆଜି ମୁଁ ମୋ ଗାଁ ସଉନାମୁରାରେ ଠିଆ ହୋଇଛି। ଏଇ ପଡ଼ିଆରୁ ହକି ଖେଳ ଆରମ୍ଭ କରିଥିଲୁ। କେବଳ ମୁଁ ନୁହେଁ ଅମିତ ରୋହିଦାସ, ବିକାଶ ଟପ୍ପୋ, ସୁଭଦ୍ରା ପ୍ରଧାନ, ଦୀପସାନ୍ ତିର୍କୀ ସମସ୍ତେ ଏଇ ଠୁ ହିଁ ଆଗକୁ ବଢିଛୁ । ସମସ୍ତ ହକି ଖେଳାଳୀଙ୍କ ସ୍ୱପ୍ନ ଥାଏ ଅଲମ୍ପିକ୍ସରେ ମେଡାଲ ଜିତିବା, ଯାହା ଆଜି ସମ୍ଭବ ହୋଇପାରିଛି। କେବଳ ଦେଶରେ ନୁହେଁ ମେଡାଲ ଆଜି ଆମ ଗାଁ ସଉନାମୁରାରେ ମଧ୍ୟ ପହଂଚିଛି । ଯାହା ଆଗାମୀ ପିଢ଼ିକୁ ପ୍ରୋତ୍ସହନ ଯୋଗାଇବ’’, କହିଥିଲେ ଦିଲ୍ଲୀପ ତିର୍କୀ।

ଏହି ଅବସରରେ ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା ସୁଭଦ୍ରା ପ୍ରଧାନ, ଭବିଷ୍ୟତ ତାରକା ଦୀପସାନ୍ ତିର୍କୀ ତଥା ପ୍ରଚ୍ଛଦପଟର ନାୟକ ପ୍ରଶିକ୍ଷକମାନଙ୍କୁ ମଧ୍ୟ ହକି ଷ୍ଟିକ ଦେଇ ସମ୍ମନୀତ କରାଯାଇଥିଲା। ଏଥିସହ ଅତିଥିମାନଙ୍କୁ ମଧ୍ୟ ଗୋଟିଏ ଲେଖାଏଁ ହକି ଷ୍ଟିକ ଭେଟି ଦିଆଯାଇଥିଲା ।

Comment