ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିଲେ ହେଁ ଖୋର୍ଦ୍ଧା ଏବଂ କଟକ ଜିଲ୍ଲାରୁ ଚିହ୍ନଟ ହେଉଛନ୍ତି ଶହ ଶହ ପଜିଟିଭ୍। ଏହି ସଂଖ୍ୟାକୁ ନେଇ ଚିନ୍ତାରେ ସ୍ଵାସ୍ଥ୍ୟ ବିଭାଗ।

ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ କରୋନା ସଂକ୍ରମଣ ହାର କମିବାରେ ଲାଗିଛି। ରାଜ୍ୟରେ ଏବେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ତଳକୁ ରହୁଛି। କିନ୍ତୁ ଖୋର୍ଦ୍ଧା ଏବଂ କଟକ ଜିଲ୍ଲାରେ ସଂକ୍ରମଣ ହାର କମିବାରେ ନାଁ ଧରୁନାହିଁ। ପ୍ରତିଦିନ ସେଠାରୁ ଶହ ଶହ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତେଣୁ ରାଜ୍ୟର ୨୮ଟି ଜିଲ୍ଲା ସବୁଜ ବଳୟ ଭିତରେ ରହିଥିବାବେଳେ, ଖୋର୍ଦ୍ଧା ଏବଂ କଟକ ଜିଲ୍ଲା ରେଡ୍, ୟେଲୋ ଜୋନରେ ରହିଛି।

ସୂଚନା ଓ ଲୋକ ସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରୁ ୭୬୧ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ଵାରେଣ୍ଟାଇନ ସେଣ୍ଟରରୁ ୪୪୩ଜଣ ଚିହ୍ନଟ ହୋଇଥିବାବେଳେ, ୩୧୮ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି।

ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ସଂକ୍ରମିତ

ସରକାରୀ ତଥ୍ୟ ଅନୁସାରେ ଗତ ୨୪ଘଣ୍ଟାରେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୨୮୯ଜଣ ରହିଛନ୍ତି। ସେହିପରି ଅଗଷ୍ଟ ୨୨ତାରିଖରେ ଖୋର୍ଦ୍ଧା ଜିଲ୍ଲାରୁ ୨୮୬ଜଣ, ଅଗଷ୍ଟ ୨୧ରେ ୩୫୨, ଅଗଷ୍ଟ ୨୦ରେ ୩୭୩ଜଣ ଚିହ୍ନଟ ହୋଇଥିଲେ।

ସରକାରଙ୍କ ଦ୍ଵାରା ଦିଆଯାଉଥିବା ତଥ୍ୟକୁ ଦେଖିଲେ ପ୍ରତିଦିନ ଖୋର୍ଦ୍ଧା ଜିଲ୍ଲାରୁ ୨ଶହରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେମାନଙ୍କ ମଧ୍ୟର ଅଧିକାଂଶ ଆକ୍ରାନ୍ତ ଭୁବନେଶ୍ଵରର ବୋଲି ଜଣାପଡ଼ିଛି।

ଅଗଷ୍ଟ  ୨୨ରେ ଖୋର୍ଦ୍ଧାରୁ ୨୮୬ଜଣ ଚିହ୍ନଟ ହୋଇଥିବାବେଳେ ବିଏମସିର ତଥ୍ୟ ଅନୁସାରେ ସେମାନଙ୍କ ମଧ୍ୟରେ ଭୁବନେଶ୍ଵରର ଥିଲେ ୨୩୭ଜଣ। ସେହିପରି ଅଗଷ୍ଟ ୨୧ରେ ୩୫୨ ଜଣ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଥିବାବେଳେ, ଭୁବନେଶ୍ଵରର ଆକ୍ରାନ୍ତଙ୍କ ସଂଖ୍ୟା ୨୭୫ ରହିଥିଲା।ଖୋର୍ଦ୍ଧା ଜିଲ୍ଲା ରେଡ୍ ଜୋନରେ କାହିଁକି?

ସ୍ଵାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଭୁବନେଶ୍ଵରର ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହୁଥିବାରୁ ଖୋର୍ଦ୍ଧା ଜିଲ୍ଲା ରେଡ୍ ଜୋନ ପରିସରରେ ରହୁଛି। ଭୁବନେଶ୍ଵର ରାଜ୍ୟର ରାଜଧାନୀ ଏବଂ ସେଠାରେ ସମସ୍ତ ସୁବିଧା ଉପଲବ୍ଧ ଥିବାରୁ ପ୍ରତିଦିନ ଏଠାକୁ ଶହ ଶହ ଲୋକ ଯିବାଆସିବା କରିଥାନ୍ତି। ତେଣୁ ଏହା ସଂକ୍ରମଣ ବୃଦ୍ଧିର ଅନ୍ୟତମ କାରଣ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି।

କଟକର ଦୈନିକ ସଂକ୍ରମଣ ସଂଖ୍ୟା ଶହେ ପାର୍

ସୂଚନା ଓ ଲୋକ ସମ୍ପର୍କ ବିଭାଗର ତଥ୍ୟ ଅନୁସାରେ ଗତ ୨୪ଘଣ୍ଟା ଭିତରେ କଟକରୁ ୧୧୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ଅଗଷ୍ଟ ୨୨ରେ ୧୪୦, ଅଗଷ୍ଟ ୨୧ରେ ୮୮, ଅଗଷ୍ଟ ୨୦ରେ ୧୩୯ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହି ପଜିଟିଭ୍ କାରଣରୁ କଟକ ଜିଲ୍ଲା ୟେଲୋ ଜୋନ୍ ପରିସରରେ ରହିଛି।

କେମିତି ଜୋନ୍ ନିର୍ଦ୍ଧାରିତ କରାଯାଏ?

ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଥିବା କରୋନା ତଥ୍ୟ ଅନୁସାରେ ଜୋନ ନିର୍ଦ୍ଧାରିତ କରାଯାଇଥାଏ। ଏହି ଜୋନକୁ ତିନୋଟି ଭାଗରେ ବିଭକ୍ତ କରାଯାଇଛି। ରେଡ, ୟେଲୋ, ଗ୍ରୀନ । ୧ରୁ ୫ଶହ ଭିତରେ ଥିବା ସକ୍ରିୟ ଆକ୍ରାନ୍ତକୁ ନେଇ ଗ୍ରୀନ ଜୋନ ଗଠିତ ହୋଇଥାଏ। ସେହିପରି ୫ଶହରୁ ୧ହଜାର ସକ୍ରିୟ ଆକ୍ରାନ୍ତ ଥିଲେ ୟେଲୋ ଜୋନ ଏବଂ ଯେଉଁ ଜିଲ୍ଲାରେ ୧ହଜାରରୁ ଅଧିକ ଆକ୍ରାନ୍ତ ସକ୍ରିୟ ରହିଥାନ୍ତି, ସେହି ଜିଲ୍ଲା ରେଡ ଜୋନ ପରିସରରେ ଯାଏ।

Comment