ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ଏକ ସଡ଼କ ଦୁର୍ଘଟଣାରେ ଚାଲିଯାଇଛି ୪ ପୋଲିସ କର୍ମଚାରୀଙ୍କ ଜୀବନ। ସୋମବାର ଜଣେ ଯବାନଙ୍କ ଅନ୍ତିମ ସଂସ୍କାର ସାରି ଫେରୁଥିବା ସମୟରେ ଏଭଳି ଦୁର୍ଘଟଣା ଘଟିଛି। ଦୁର୍ଘଟଣାଟି ଶ୍ରୀକାକୁଲମ ଜିଲ୍ଲାର ଇଚ୍ଛାପୁର-ଶ୍ରୀକାକୁଲମକୁ ସଂଯୋଗ କରୁଥିବା ୫ନମ୍ବର ଜାତୀୟ ରାଜପଥରେ ଘଟିଛି।

ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତରେ ଥିବା ଇଚ୍ଛାପୁରମ ନିକଟରେ ଜଣେ ଆର୍ମି ଯବାନଙ୍କ ଅନ୍ତିମ ସଂସ୍କାର ଉତ୍ସବରେ ଯୋଗଦେବା ପରେ ୪ଜଣ ସଶସ୍ତ୍ର ରିଜର୍ଭ ପୋଲିସ କନଷ୍ଟେବଳ ଶ୍ରୀକାକୁଲମ ସହରର ଜିଲ୍ଲା ମୁଖ୍ୟାଳୟକୁ ଫେରୁଥିଲେ। କିନ୍ତୁ ଦୁର୍ଭାଗ୍ୟବସତଃ ପଲାସା ନିକଟରେ ପୋଲିସ ବୋଲେରୋଟିର ଚକା ଫାଟିଯିବାରୁ ବୋଲେରୋଟି ରାସ୍ତାର ଅପରପାର୍ଶ୍ଵକୁ ଚାଲିଯାଇ ଏକ ଟ୍ରକକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୪ କନେଷ୍ଟବଳଙ୍କ ମୃତ୍ୟୁ ହୋଇଯାଇଥିଲା।

ଏ ସମ୍ପର୍କରେ ସୂଚନା ପାଇ ପଲାସା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ପୋଲିସ କର୍ମଚାରୀମାନଙ୍କ ଶବକୁ ଉଦ୍ଧାର କରି ପୋଷ୍ଟମଟମ ନିମନ୍ତେ ଶ୍ରୀକାକୁଲମ ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛି।

Comment