ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ପଦକୁ ନେଇ କଂଗ୍ରେସ ଦଳରେ ଟଣାଓଟରା ଲାଗି ରହିଛି। ପୂର୍ବାପେକ୍ଷା ଏବେ ଏହି ପ୍ରସଙ୍ଗଟି ଜୋରଦାର ହୋଇଛି। ଗୋଟିଏ ପଟେ ପଞ୍ଜାବ କଂଗ୍ରେସରେ ସୃଷ୍ଟି ହୋଇଥିବା କନ୍ଦଳ ତୁଟି ନଥିବା ବେଳେ ଏବେ ଛତିଶଗଡ଼ରେ ଦଳର ସ୍ଥିତି ଜାତୀୟ ସ୍ତରରେ କଂଗ୍ରେସକୁ ଅଡୁଆରେ ପକାଇଛି।

ଛତିଶଗଡ଼ରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ନିକଟରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଓ ସ୍ୱାସ୍ଥ୍ୟମନ୍ତ୍ରୀ ଟିଏସ୍‌ ସିଂହଦେଓ ଦିଲ୍ଲୀ ଆସି ରାହୁଲ ଗାନ୍ଧୀଙ୍କ ସହ ବୈଠକ କରିଥିଲେ। ତେବେ ରାହୁଲ ଉଭୟଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ କରିଦେଇଛନ୍ତି ବୋଲି ଲାଗୁଥିଲା। ହେଲେ ଅସନ୍ତୋଷର ବହ୍ନି ଏବେ ବି ଜାରି ରହିଛି।ଦିଲ୍ଲୀ ଦରବାରରେ ଶକ୍ତି ପ୍ରଦର୍ଶନ କରିବେ ବାଘେଲ

ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୁଇ ନେତାଙ୍କ ଭିତରେ ଦିନକୁ ଦିନ ବିବାଦ ବଢୁଥିବାରୁ ଦିଲ୍ଲୀ ଦରବାରରେ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବାଘେଲ ନିଷ୍ପତ୍ତି ନେଇଛନ୍ତି। ସେ ପୁଣିଥରେ ରାହୁଲ ଗାନ୍ଧୀଙ୍କ ସହ ବୈଠକ କରିବା ସହ ତାଙ୍କ ସମର୍ଥନରେ ଥିବା କଂଗ୍ରେସ ବିଧାୟକମାନଙ୍କୁ ମଧ୍ୟ ରାହୁଲ ଗାନ୍ଧୀଙ୍କ ଆଗରେ ପ୍ୟାରେଡ କରାଇ ନିଜର ଓଜନ ଦେଖାଇବେ ବୋଲି କହିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ବାଘେଲ ନିଜ ସମର୍ଥିତ ବିଧାୟକ ଓ ମନ୍ତ୍ରୀମାନଙ୍କୁ ମଧ୍ୟ ଦିଲ୍ଲୀ ଡାକିଥିବା ଜଣାପଡ଼ିଛି।

ତେଣେ ସ୍ଵାସ୍ଥ୍ୟମନ୍ତ୍ରୀ ଟିଏସ୍ ସିଂହଦେଓ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅଡ଼ି ବସିଥିବା ବେଳେ କଂଗ୍ରେସ ହାଇ କମାଣ୍ଡଙ୍କ ନିଷ୍ପତ୍ତି ତାଙ୍କ ପକ୍ଷରେ ଆସିବା ନେଇ ଆଶାବାଦୀ ଅଛନ୍ତି।ଛତିଶଗଡ଼ କଂଗ୍ରେସରେ କାହିଁକି ଲାଗିଛି କନ୍ଦଳ?

୨୦୧୮ରେ ଛତିଶଗଡ଼ରେ କଂଗ୍ରେସ କ୍ଷମତା ଦଖଲ କରିବା ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଭୁପେଶ ବାଘେଲ ଏବଂ ଟିଏସ୍ ସିଂହଦେଓଙ୍କ ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଥିଲା। ବହୁ ବିଚାର ବିମର୍ଷ ପରେ କଂଗ୍ରେସ ହାଇକମାଣ୍ଡ ଭୂପେଶ ବାଘେଲଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦେଇଥିଲେ। ଏଥିସହ ଟିଏସ୍‌ ସିଂହଦେଓଙ୍କୁ ଅଢ଼େଇ ବର୍ଷ ପରେ ମୁଖ୍ୟମନ୍ତ୍ରୀ ପଦ ମିଳିବ ବୋଲି ମଧ୍ୟ ଦଳ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ତେବେ ୨୦୨୧କୁ ବାଘେଲ ମୁଖ୍ୟମନ୍ତ୍ରୀ ହେବାର ଅଢ଼େଇ ବର୍ଷ ପୂରିସାରିଥିଲେ ହେଁ ଏଯାଏଁ ତାଙ୍କୁ ବଦଳାଇବାକୁ ହାଇକମାଣ୍ଡ କୌଣସି ପଦକ୍ଷେପ ନେଉ ନାହାନ୍ତି। ଫଳରେ ସିଂହଦେଓଙ୍କ ଗୋଷ୍ଠୀ ହାଇକମାଣ୍ଡଙ୍କ ଉପରେ କ୍ଷୁବ୍ଧ ରହିଛନ୍ତି।ଦୁଇ ନେତାଙ୍କ ମଧ୍ୟରେ ଲାଗିରହିଥିବା ବିବାଦ ଉପରେ ତାଳି ପକାଇବାକୁ ଚେଷ୍ଟା କରିଛନ୍ତି ଛତିଶଗଡ଼ କଂଗ୍ରେସ ପ୍ରଭାରୀ ପିଏଲ ପୁନିଆ। ତାଙ୍କ କହିବା ଅନୁଯାୟୀ ଛତିଶଗଡ଼ କଂଗ୍ରେସରେ କୌଣସି ନେତୃତ୍ୱ ସଙ୍କଟ ନାହିଁ। ମୁଖ୍ୟମନ୍ତ୍ରୀ ବାଘେଲ ହାଇକମାଣ୍ଡଙ୍କ ସବୁ ପ୍ରକାରର ନିଷ୍ପତ୍ତି ମାନିବାକୁ ପ୍ରସ୍ତୁତ ରହିଛନ୍ତି। ତେଣୁ ବିବାଦ କିଛି ନାହିଁ ବୋଲି ସେ ଦମ୍ଭୋକ୍ତି କରିଛନ୍ତି।

ଉଭୟ ବାଘେଲ ଓ ସିଂହଦେଓ ନିଜ ନିଜ ଜିଦରେ ଅଟଳ ରହିଥିବାରୁ କଂଗ୍ରେସ ହାଇକମାଣ୍ଡ କାହା ପକ୍ଷ ରଖିବେ ଏବଂ ଛତିଶଗଡ଼ରେ କଂଗ୍ରେସର ଭବିଷ୍ୟତ କ’ଣ ହେବ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

Comment