ଓଡ଼ିଶାଲାଇଭ୍ ବ୍ୟୁରୋ

ଫୁଲନଖରାସ୍ଥିତ ଆମ୍ର ପଲ୍ଲୀ ରିସୋର୍ଟଠାରେ ଓଡ଼ିଶାର ନଦୀଗୁଡ଼ିକର ସୁରକ୍ଷା ପାଇଁ କାମ କରୁଥିବା କର୍ମୀମାନଙ୍କୁ ନେଇ ଏକ ସମ୍ମିଳନୀ ଆୟୋଜନ କରାଯାଇଥିଲା। ମହାନଦୀ ବଞ୍ଚାଅ ଆନ୍ଦୋଳନ ଓ ପ୍ରାଚୀ ପ୍ରଜ୍ଞା ପରିଷଦର ମିଳିତ ପ୍ରାୟାସରେ ଆୟୋଜିତ ଏହି ସମ୍ମିଳନୀରେ ‘ଇଣ୍ଡିଆନ ପେନିନସୁଲାର ରିଭର ବେଶିନ କାଉନସିଲ୍’ର ଓଡ଼ିଶା ଶାଖା ଗଠିତ ହୋଇଥିଲା। ଯାହାର ନାମ ‘ଓଡ଼ିଶା ନଦୀ ସୁରକ୍ଷା ସମିତି’ ରଖିବା ନେଇ କର୍ମୀମାନେ ନିଷ୍ପତ୍ତି ନେଇଥିଲେ।

ଏହି ସମ୍ମିଳନୀରେ ଓଡ଼ିଶାର ୧୧ଟି ମୁଖ୍ୟ ନଦୀ ସହିତ ଅନେକ ଶାଖା ଓ ପ୍ରଶାଖା ନଦୀଗୁଡ଼ିକର ସୁରକ୍ଷା ପାଇଁ କାମ କରୁଥିବା ସାମାଜିକ କର୍ମୀମାନଙ୍କୁ ନେଇ ଏକ ୨୨ ଜଣିଆ କମିଟି ଗଠିତ ହୋଇଥିଲା ଏବଂ ଏହି କମିଟିରେ ୪ଟି ପ୍ରସ୍ତାବ ପାରିତ ହୋଇଯାଇଛି।

ପାରିତ ହୋଇଥିବା ପ୍ରସ୍ତାବଗୁଡ଼ିକ ମଧ୍ୟରେ ରହିଛି, ଭାରତ ସରକାରଙ୍କ ଜଳ ଶକ୍ତି ମିଶନର ନିର୍ଦ୍ଦେଶ ମୁତାବକ ରାଜ୍ୟର ପ୍ରତି ଜିଲ୍ଲା, ବ୍ଲକ ଓ ପଞ୍ଚାୟତଗୁଡିକରେ ଜଳ ସ୍ଵାକ୍ଷରତା କାର୍ଯ୍ୟକ୍ରମ ତୁରନ୍ତ ଚାଲୁ କରିବାକୁ ସରକାରଙ୍କୁ ନିବେଦନ, ନଦୀଗୁଡ଼ିକୁ ବଞ୍ଚାଇ ରଖିବା ପାଇଁ ବର୍ଷା ଜଳ ସଂରକ୍ଷଣ, ରାଜ୍ୟ ସ୍ତରରେ ଜଳ ଯୋଦ୍ଧା, ଜିଲ୍ଲା ସ୍ତରରେ ଜଳ ନାୟକ, ବ୍ଲକ ଓ ମୁନିସିପାଲଟି ପାଇଁ ଜଳ ସେବକ, ପଞ୍ଚାୟତ ସ୍ତରରେ ଜଳ ଦୂତ, ଗାଁ ସ୍ତରରେ ଜଳ ସୈନିକ ସୃଷ୍ଟି କରିବା, ବୈତରଣୀ ବା ଅନ୍ୟ କୌଣସି ନଦୀର ପାଣିକୁ ମାଲ ପରିବହନ ପାଇଁ ବ୍ୟବହାର ନକରିବା, ପ୍ରାଚୀ ନଦୀର ପୁନରୁଦ୍ଧାର ପାଇଁ ପ୍ରସ୍ତୁତ ଦିପିଆରକୁ ସରକାର କାର୍ଯ୍ୟକାରୀ କରିବା ଇତ୍ୟାଦି।

ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ସମ୍ମିଳନୀର ସଭାପତିତ୍ଵ କରିଥିଲେ। ତେଲେଙ୍ଗାନା ଜଳ ଆୟୋଗର ଅଧ୍ୟକ୍ଷ ଭି ପ୍ରକାଶ ରାଓ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗର ପୂର୍ବତନ ମୁଖ୍ୟ ଯନ୍ତ୍ରୀ ରମେଶ ଚନ୍ଦ୍ର ତ୍ରିପାଠୀ, ଉତ୍କଳ ବିଶ୍ୱିଦ୍ୟାଳୟର ପୂର୍ବତନ କୁଳପତି ଡକ୍ଟର ବିନାୟକ ରଥ, ପ୍ରାଚୀ ପ୍ରଜ୍ଞା ପରିଷଦର ଅଧକ୍ଷ ଅଶ୍ଵିନୀ ମହାପାତ୍ର, ବାବା ହଂସ ନାଥ ସାହୁ, ସନ୍ୟାସୀ ପଣ୍ଡା, ନିରଦ ବରଣ ଖୁଣ୍ଟିଆ, ସଚି ପ୍ରଧାନ, ଅଶୋକ ଥକର, କେଦାର ଚୌଧୁରୀ, ଅକ୍ଷୟ ଜେନା, ରଘୁନାଥ ମଣ୍ଡଳ, ପ୍ରଭାସିନୀ ରାଉତ, ପ୍ରସନ୍ନ ବିଶୋଇ, ରବି ସାହୁ, କବିନାରାୟଣ ଜେନା, ସନ୍ତୋଷ ସ୍ୱାଇଁ, ଯୁଧିଷ୍ଟିର ଖଟୁଆ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତ ରଖିଥିଲେ। ‘ଓଡିଶା ନଦୀ ସୁରକ୍ଷା ସମିତି’ର ଆବାହକ ଭାବରେ ଅଶ୍ଵିନୀ ମହାପାତ୍ର ଡିସେମ୍ବର ମାସ ପର୍ଯ୍ୟନ୍ତ ଦାୟିତ୍ଵ ତୁଲାଇବେ।

LEAVE A REPLY

Please enter your comment!
Please enter your name here