ଓଡ଼ିଶାଲାଇଭ୍ ବ୍ୟୁରୋ

(ଅଭିପ୍‌ସା ବରାଳ) : ଭଦ୍ରକର ଝିଅ ଅର୍ପିତା ପ୍ରିୟଦର୍ଶିନୀ। ବର୍ଜ୍ୟବସ୍ତୁ ଓ ଅଦରକାରୀ ପେପରରେ ବିଭିନ୍ନ କଳାକୃତି ପ୍ରସ୍ତୁତ କରୁଥିବା ସମୟର ଭିଡିଓକୁ ୟୁଟ୍ୟୁବରେ ଅପଲୋଡ୍ କରି କମାଉଛନ୍ତି ଲକ୍ଷାଧିକ ଟଙ୍କା। ଦିନେ ଚାକିରି ଅପେକ୍ଷାରେ ଘରେ ବସି ରହିଥିବା ଅର୍ପିତାଙ୍କୁ ଆଜି ୟୁଟ୍ୟୁବ ଦେଇଛି ନୂଆ ପରିଚୟ। ନିଜର ନିଶାକୁ ସେ ଏବେ ପେସାରେ ପରିବର୍ତ୍ତନ କରି ସ୍ଵାବଲମ୍ବୀ ହୋଇପାରିଛନ୍ତି।

ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ତରାଗୋ ଗାଁର ଝିଅ ହେଉଛନ୍ତି ଅର୍ପିତା ପ୍ରିୟଦର୍ଶିନୀ। ଶିକ୍ଷା ଓ ପ୍ରଶିକ୍ଷଣ ପାଠ୍ୟକ୍ରମ(ସିଟି) ପଢ଼ା ସମାପ୍ତ କରି ଚାକିରି ଖୋଜୁଥିଲେ। ହେଲେ କରୋନା ମହାମାରୀ ବାଧକ ସାଜିଥିଲା, ଆଉ ସେହି ସମୟରେ ଅଦରକାରୀ ପେପର ସଂଗ୍ରହ କରି ଘର ସଜା ସାମଗ୍ରୀ ପ୍ରସ୍ତୁତ କରିବା ଆରମ୍ଭ କଲେ। ଅର୍ପିତାଙ୍କ ଏହି କଳାକୁ ଦେଖି ତାଙ୍କର ଜଣେ ଭାଇ ୟୁଟ୍ୟୁବ ସମ୍ପର୍କରେ ଜଣାଇଥିଲେ। ଏହା ପରଠାରୁ ଅର୍ପିତା ‘କ୍ରାପ୍ଟ ଗ୍ୟାଲେରୀ’ ନାମରେ ନିଜର ଏକ ୟୁଟ୍ୟୁବ ଚ୍ୟାନେଲ କରି ସମସ୍ତ ଭିଡିଓ ପୋଷ୍ଟ କଲେ। କିନ୍ତୁ ସେ ନିଜେ ବି ଜାଣିନଥିଲେ ଯେ, ସେହି ସମୟର ଭିଡିଓ ଆଜି ତାଙ୍କ ପାଇଁ ରୋଜଗାରର ମାଧ୍ୟମ ସାଜିବ।

“ସଫଳତା ଶୀଘ୍ର ମିଳିନଥାଏ। ଏହାର ସ୍ଵାଦ ଚାଖିବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡ଼ିଥାଏ। ଯାହା ମୁଁ ୨୦୧୯ ବର୍ଷରୁ କରି ଆସୁଛି। ସେହି ପରିଶ୍ରମ ପାଇଁ ଆଜି ମୁଁ ସ୍ଵାବଲମ୍ବୀ ହେବା ସହ ଲକ୍ଷାଧିକ ଟଙ୍କା ରୋଜଗାର କରିପାରୁଛି”, କହିଛନ୍ତି ଅର୍ପିତା ପ୍ରିୟଦର୍ଶିନୀ।ସେ ୨୦୧୯ ରେ କୁଞ୍ଜ କାଗଜରେ ଫୁଲ ତିଆରି କରି ପ୍ରଥମ ୟୁଟ୍ୟୁବ ପୋଷ୍ଟ କରିଥିଲେ। ସେହି ପୋଷ୍ଟରେ ଏତେଟା ପ୍ରତିକ୍ରିୟା ମିଳିନଥିଲା। କିନ୍ତୁ ସେଥିରେ ସେ ହାର୍ ନମାନି ଗୋଟିଏ ପରେ ଗୋଟିଏ ଭିଡିଓ କରିଚାଲିଥିଲେ। ଏମିତି କିଛି ମାସ ଯିବା ପରେ ଅର୍ପିତା ପ୍ରସ୍ତୁତ କରିଥିବା ଗୋଟିଏ ଫଟୋ ଫ୍ରେମ ଭିଡିଓକୁ ୟୁଟ୍ୟୁବରେ ଖୁବ୍ ପ୍ରଶଂସା ମିଳିଥିଲା।

ସାଧାରଣତଃ ଅର୍ପିତା ପେପରକୁ ବ୍ୟବହାର କରି ସମସ୍ତ କଳାକୃତି କରିଥାନ୍ତି। ଏହାବ୍ୟତୀତ ଘରେ ବ୍ୟବହାର ହେଉଥିବା ବୋତଲ, ପ୍ଲାଷ୍ଟିକ ଚାମଚ, କାର୍ଡବୋର୍ଡ, ସେପ୍ଟିପିନ୍, ଆଇସକ୍ରିମ ଷ୍ଟିକ୍, ପିସ୍ତା ସେଲ, କଲର ପେପର, ଚାଉଳ, ସୋରିଷ ଇତ୍ୟାଦିକୁ ବ୍ୟବହାର କରି ପେନ୍ ଷ୍ଟାଣ୍ଡ, ଫଟୋ ଫ୍ରେମ, ଫୁଲଦାନୀ, ମେକଅପ୍ ଷ୍ଟାଣ୍ଡ ଭଳି ଅନେକ ଘର ସଜା ଜିନିଷ ପ୍ରସ୍ତୁତ କରିଥାନ୍ତି। ଗୋଟିଏ ଜିନିଷ ପ୍ରସ୍ତୁତ କରିବାକୁ ତାଙ୍କୁ ୧ ରୁ ୨ ଘଣ୍ଟା ସମୟ ଲାଗିଥାଏ।

ଅର୍ପିତା କୁହନ୍ତି, “ହଷ୍ଟେଲରେ ରହିବା ବେଳରୁ ଏସବୁ କରିବା ମୋର ଅଭ୍ୟାସ ରହିଥିଲା। ସାଙ୍ଗମାନଙ୍କୁ ଜନ୍ମଦିନରେ ଏବଂ ନୂଆ ବର୍ଷରେ ଉପହାର ଦେବାପାଇଁ ପେପର ସଂଗ୍ରହ କରି ନୂଆ ନୂଆ କଳାକୃତି ସବୁ କରୁଥିଲି। ସେହି ଅଭ୍ୟାସ ଆଜି ମତେ ସ୍ଵତନ୍ତ୍ର ପରିଚୟ ଦେଇଛି।”ବର୍ତ୍ତମାନ ଅର୍ପିତାଙ୍କ ୟୁଟ୍ୟୁବ ଚ୍ୟାନଲରେ ପାଞ୍ଚ ଲକ୍ଷରୁ ଅଧିକ ସବସ୍କ୍ରାଇବର ରହିଛନ୍ତି। ୟୁଟ୍ୟୁବ ତରଫରୁ ତାଙ୍କୁ ‘ସିଲଭର୍ ଆଓ୍ୱାର୍ଡ’ ମଧ୍ୟ ମିଳିଛି। ଖାଲି ସେତିକି ନୁହେଁ ଇନଷ୍ଟାଗ୍ରାମରେ ମଧ୍ୟ ଅର୍ପିତାଙ୍କ ହସ୍ତକଳା ଭିଡିଓ ବେଶ୍ ଲୋକପ୍ରିୟ ହୋଇପାରିଛି।

ସେ ଆଉ ମଧ୍ୟ କହିଛନ୍ତି, “ମୁଁ ଜଣେ ସିଟି ଛାତ୍ରୀ ହୋଇଥିବାରୁ ଆଗକୁ ଶିକ୍ଷକତା କରିବାର ଯୋଜନା ରହିଛି। କିନ୍ତୁ ମୋର ଏହି ହସ୍ତଶିଳ୍ପ ପ୍ରସ୍ତୁତି ଅଭ୍ୟାସକୁ ଛାଡ଼ିବି ନାହିଁ। ଯଦି ଦରକାର ପଡ଼େ ତେବେ ମୁଁ ମୋ ପେସାକୁ ଛାଡ଼ିବାକୁ ପସନ୍ଦ କରିବି ସତ କିନ୍ତୁ ନିଶାକୁ ନୁହେଁ।”

ଆଗକୁ ଅର୍ପିତା ପେପର କଳାକୃତିକୁ ନେଇ ନିଜର ଏକ ବ୍ୟବସାୟ ଆରମ୍ଭ କରିବା ସହ ପେପର କଳା ପ୍ରତି ଆଗ୍ରହ ରଖିଥିବା ଯୁବକ ଯୁବତୀମାନଙ୍କୁ ରୋଜଗାର ଦେବାକୁ ଲକ୍ଷ୍ୟ ରଖିଛନ୍ତି।

Comment