ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପି କର୍ମୀଙ୍କୁ ମାରିବା ଘଟଣାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିଜେଡିରୁ ନିଲମ୍ଵନ କରାଯାଇଛି। ବୁଧବାର ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ନିଲମ୍ଵିତ କରିଛନ୍ତି।

ଖୋର୍ଦ୍ଧା ଏନ୍‌ଏସି କାର୍ଯ୍ୟାଳୟରେ ବୁଧବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ରାସନକାର୍ଡ ବଣ୍ଟନ ବେଳେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓ ବିଜେପିର ବାଲୁଗାଁ ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କ ମଧ୍ୟରେ ବିବାଦ ହୋଇଥିଲା। ଏନ୍‌ଏସି କାର୍ଯ୍ୟାଳୟକୁ ପ୍ରଶାନ୍ତଙ୍କ ପ୍ରବେଶକୁ ବିରୋଧ କରିଥିଲେ ନିରଞ୍ଜନ। ଏହାପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଉଭୟ ଦଳର କର୍ମୀମାନେ ପରସ୍ପରକୁ ମାର୍‌ପିଟ୍ କରିଥିଲେ। ବିଧାୟକ ପ୍ରଶାନ୍ତ ମଧ୍ୟ ନିରଞ୍ଜନଙ୍କୁ ମାରିଥିଲେ।ଏହି ଘଟଣାରେ ବିଜେପି ପକ୍ଷରୁ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରାଯିବା ସହ ତାଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ହୋଇଥିଲା। ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ବିଜେପି କର୍ମୀମାନେ ଥାନା ଆଗରେ ଧାରଣାରେ ବସିଥିଲେ।

ଏହାରି ମଧ୍ୟରେ ବିଜୁ ଜନତା ଦଳ ପକ୍ଷରୁ ତ୍ଵରିତ ନିଷ୍ପତ୍ତି କ୍ରମେ ପ୍ରଶାନ୍ତଙ୍କୁ ଦଳରୁ ନିଲମ୍ଵନ କରାଯାଇଛି। ଏଥିସହ ତାଙ୍କୁ ଜିଲ୍ଲା ଯୋଜନା କମିଟିରୁ ମଧ୍ୟ ନିଲମ୍ଵିତ କରାଯାଇଛି।ସବୁବେଳେ ବିବାଦୀୟ ପ୍ରଶାନ୍ତ

ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ନାମରେ ଏପରି ଅଭିଯୋଗ କିଛି ନୂଆ ନୁହେଁ। ପୂର୍ବରୁ ମଧ୍ୟ ଦାଦାଗିରି ପାଇଁ ସେ ବିବାଦୀୟ ହୋଇଥିଲେ। ୨୦୧୬ରେ ପ୍ରଶାନ୍ତ ବେଗୁନିଆର ବିଧାୟକ ଥିବା ବେଳେ ବୋଲଗଡ଼ ତହସିଲଦାର ନିହାରିକା ନାୟକଙ୍କୁ ମାଡ଼ ମାରି ବିତର୍କିତ ହୋଇପଥିଲେ।  ସେ ସମୟରେ ବୋଲଗଡ଼ ତହସିଲର କର୍ମଚାରୀମାନେ କଲମଛାଡ଼ ଆନ୍ଦୋଳନ କରିବା ସହ ବିଧାୟକ ଜଗଦ୍ଦେବଙ୍କୁ ଗିରଫ କରିବାକୁ ଦାବି କରିଥିଲେ। ସେହିପରି ବେଗୁନିଆର ପୂର୍ବତନ ସରପଞ୍ଚ ନବ କିଶୋର ସ୍ୱାଇଁଙ୍କୁ ସର୍ବ ସାଧାରଣରେ ଧମକାଇବା ଭଳି ତାଙ୍କ ନାମରେ ଅଭିଯୋଗ ଆସିଥିଲା। ଏନେଇ ନବକିଶୋର ବେଗୁନିଆ ଥାନାରେ ଏତଲା ଦେଇଥିଲେ।

Comment