ଓଡ଼ିଶାଲାଇଭ୍ ବ୍ୟୁରୋ
- ଆହୁରି ୨ ଘଣ୍ଟା ବଢ଼ିଲା ଦର୍ଶନ ଅବଧି
- ସକାଳ ୭ରୁ ରାତି ୯ ଯାଏଁ ମିଳିବ ଜଗା ଦର୍ଶନ
- ଶ୍ରୀମନ୍ଦିର ପ୍ରବେଶ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ କିମ୍ଵା ଟିକାକରଣ ପ୍ରମାଣପତ୍ର ଆବଶ୍ୟକ
ପୁରୀ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାରେ ସାମାନ୍ୟ କୋହଳ କରାଯାଇଛି। ଏଣିକି ୫ ଦିନ ପରିବର୍ତ୍ତେ ୬ ଦିନ ଖୋଲା ରହିବ ଶ୍ରୀମନ୍ଦିର। ଭକ୍ତମାନେ ଶନିବାର ବି ଜଗା ଦର୍ଶନ କରିପାରିବେ। କେବଳ ସାନିଟାଇଜ୍ ପାଇଁ ରବିବାର ଶ୍ରୀମନ୍ଦିର ବନ୍ଦ ରହିବ। ବୁଧବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ସାନି ଏସ୍ଓପିରେ ଏହି ସୂଚନା ଦିଆଯାଇଛି।ସେହିପରି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ଅବଧିକୁ ଆହୁରି ୨ ଘଣ୍ଟା ବୃଦ୍ଧି କରାଯାଇଛି। ପୂର୍ବରୁ ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏଁ ସାଧାରଣ ଦର୍ଶନ ହେଉଥିବା ବେଳେ ଏଣିତି ରାତି ୯ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଜଗା ଦର୍ଶନ କରିପାରିବେ।ସପ୍ତାହାନ୍ତ ସଟ୍ଡାଉନ୍ ପାଇଁ ଶନି, ରବି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହୁଥିଲା। ହେଲେ ରାଜ୍ୟରେ ଏବେ କରୋନା ସଂକ୍ରମଣ ଗ୍ରାଫ୍ ଖସିବା ପରେ ସରକାର ସେପ୍ଟେମ୍ଵର ଗାଇଡଲାଇନ୍ରେ କଟକ, ଭୁବନେଶ୍ଵର ସମେତ ପୁରୀରୁ ସପ୍ତାହାନ୍ତ ସଟ୍ଡାଉନ୍ କଟକଣାକୁ ଉଠାଇ ଦେଇଛନ୍ତି। ତେଣୁ ପୂର୍ବପରି ସାତଦିନ ଜଗା ଦର୍ଶନର ସୁବିଧା ମିଳିବ ବୋଲି ଭକ୍ତ ମହଲରେ ଚର୍ଚ୍ଚା ହେଉଥିଲା। ଏହାରି ମଧ୍ୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶନିବାର ସାଧାରଣ ଦର୍ଶନ ପାଇଁ ଅନୁମତି ମିଳିଛି।ଶ୍ରୀମନ୍ଦିର ଦର୍ଶନ କଟକଣାରେ ସାମାନ୍ୟ କୋହଳ ହୋଇଥିବା ବେଳେ କରୋନା କଟକଣାକୁ ପୂର୍ବପରି ବାଧ୍ୟତାମୂଳକ ରଖାଯାଇଛି। ଶ୍ରୀମନ୍ଦିର ପ୍ରବେଶ ପାଇଁ କୋଭିଡ ଆର୍ଟିପିସିଆର୍ ନେଗେଟିଭ୍ ରିପୋର୍ଟ କିମ୍ଵା ଦୁଇ ଡୋଜ୍ ଟିକାକରଣର ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ଏଥିସହିତ ମାସ୍କ ପିନ୍ଧିବା, ସାମାଜିକ ଦୂରତା ପାଳନ କରିବା ଏବଂ ସାନିଟାଇଜର ବ୍ୟବହାରକୁ କଡ଼ାକଡ଼ି ଭାବେ ପାଳନ କରାଯିବ।