ଓଡ଼ିଶାଲାଇଭ୍‌ ବ୍ୟୁରୋ

ସଫ୍ଟଓ୍ୱେୟାର କମ୍ପାନି ଆଡୋବ୍‌ ଇଣ୍ଡିଆରେ ଏମ୍‌ଡି (ପରିଚାଳନା ନିର୍ଦ୍ଦେଶକ) ଭାବେ ନିଯୁକ୍ତି ପାଇଛନ୍ତି ଓଡ଼ିଆ ଝିଅ ପ୍ରତିଭା ମହାପାତ୍ର।

ଆଡୋବ ଇଣ୍ଡିଆର ଉପସଭାପତି ସହିତ ପରିଚାଳନା ନିର୍ଦ୍ଦେଶକ ହେଲେ ଜଣେ ଓଡ଼ିଆ ଝିଅ। ସେ ହେଉଛନ୍ତି ପ୍ରତିଭା ମହାପାତ୍ର। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଅନ୍ତରାଷ୍ଟ୍ରୀୟ ସଫ୍ଟଓ୍ୱେୟାର କମ୍ପାନିରେ ଏମ୍‌ଡି  ପଦବୀ ମଣ୍ଡନ କରିବାରେ ସେ ହେଉଛନ୍ତି ପ୍ରଥମ ମହିଳା।

ଆଡୋବ୍‌ରେ ପ୍ରତିଭା ଆଡୋବ୍‌ ଏକ୍ସପିରିଏନ୍ସ କ୍ଲାଉଡ, ଆଡୋବ୍‌ କ୍ରିଏଟିଭ କ୍ଲାଉଡ, ଆଡୋବ ଡକ୍ୟୁମେଣ୍ଟ କ୍ଲାଉଡ ଉପରେ କମ୍ପାନିର ଭାରତ ବ୍ୟବସାୟର ନେତୃତ୍ୱ ନେବେ। ପ୍ରତିଭା ଆଡୋବର ସଭାପତି ଏସିଆ ଫାସିପିକ୍‌ (ଏପିଏସି)ର ସାଇମନ୍‌ ଟେଟେଙ୍କୁ ରିପୋର୍ଟ କରିବେ।

ଆଡୋବ୍ ହେଉଛି ଏକ ଆମେରିକୀୟ ଟେକନୋଲୋଜି କଂପାନି। ଆଡୋବ୍‌ ଇଣ୍ଡିଆ ହେଉଛି ତାହାର ଭାରତୀୟ ଶାଖା। ‘‘ବିଶ୍ୱର ଏକ ପ୍ରମୁଖ ସଫ୍ଟଓ୍ୱୟାର କମ୍ପାନି ଭାବେ ଆଡୋବ୍‌ ଖ୍ୟାତି ଅର୍ଜନ କରିଛି। ଏହି କମ୍ପାନି ପିଡିଏଫ୍‌, ଇଲୁଷ୍ଟ୍ରେଚର, ପ୍ରିମୟର ପ୍ରୋ, ଫଟୋସଫ୍‌ ଭଳି ସଫ୍ଟଓ୍ୱେୟାର ଉଦ୍ଭାବନ କରିଛି। ଏମିତି ଏକ କମ୍ପାନିରେ ନିଯୁକ୍ତି ପାଇବା ମୋ ପାଇଁ ସୌଭାଗ୍ୟ’’, କହିଛନ୍ତି ପ୍ରତିଭା ମହାପାତ୍ର।

ଟେକନୋଲୋଜି ପ୍ରତି ପ୍ରତିଭାଙ୍କ ପ୍ରବଳ ଆଗ୍ରହ ଥିବା ବେଳେ ଦୃଢ଼ ଟିମ୍‌ ଗଠନ କରିବାରେ ତାଙ୍କର ଦକ୍ଷତା ବେଶ ପ୍ରଶଂସନୀୟ। ସେଥିପାଇଁ ଭାରତୀୟ ବ୍ୟବସାୟର ଦାୟିତ୍ୱ ପ୍ରତିଭାଙ୍କୁ ଦେବା ଲାଗି ଆଡୋବ୍ ନିଷ୍ପତ୍ତି ନେଇଛି। ତାଙ୍କ ନିଯୁକ୍ତି ସମ୍ପର୍କରେ ସାଇମନ୍ କହିଛନ୍ତି ଯେ ସଂପ୍ରତି ବ୍ୟାବସାୟିକ ସଂସ୍ଥାଗୁଡ଼ିକ ଲାଗି ଡିଜିଟାଲ୍‌କରଣ ବେଶ ଜରୁରୀ ହୋଇପଡ଼ିଛି। ଆଡୋବ୍‌ ପାଖରେ ବଜାରର ଅନେକ ଅଗ୍ରଣୀ ପ୍ରଯୁକ୍ତି ରହିଛି। ତାହାକୁ ବ୍ୟବସାୟୀଙ୍କ ନିକଟରେ ପହଞ୍ଚାଇ ଅଭିବୃଦ୍ଧିକୁ ପରବର୍ତ୍ତୀ ସ୍ତରରେ ପହଞ୍ଚାଇବା ଦିଗରେ ପ୍ରତିଭା କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି।

ଆଡୋବ ଇଣ୍ଡିଆର ସେଲ୍‌ସ ଟିମ୍‌ର ନୀତିନ ସିଙ୍ଗଲ (ବରିଷ୍ଠ ନିର୍ଦ୍ଦେଶକ ଓ ଏମ୍‌ଡି-ଡିଏସ୍କ ବ୍ୟବସାୟ ଇଣ୍ଡିଆ), ଗିରିଶ ବାଲାଚନ୍ଦ୍ରନ (ନିର୍ଦ୍ଦେଶକ, ଡିଜିଟାଲ ମିଡିଆ ବ୍ୟବସାୟ, ଆଡୋବ ଇଣ୍ଡିଆ), ବ୍ୟାଶକ ଭେନୁଗୋପାଳ (ହେଡ୍‌, ସଲ୍ୟୁସନ୍‌ କନସଲଟିଂ, ଆଡୋବ ଇଣ୍ଡିଆ) ପ୍ରତିଭାଙ୍କୁ ରିପୋର୍ଟ କରିବେ।

ପ୍ରତିଭା ମହାପାତ୍ର ଏନ୍‌ଆଇଟି ରାଉରକେଲାରୁ କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ଓ ଜାଭିୟର ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ ଭୁବନେଶ୍ୱର (ଏକ୍ସଆଇଏମବି)ରୁ ମ୍ୟାନେଜମେଣ୍ଟ ଶିକ୍ଷା କରିଥିଲେ।

ପ୍ରଯୁକ୍ତି ଜ୍ଞାନକୌଶଳରେ କାମ କରିବାରେ ପ୍ରତିଭାଙ୍କ ୨୫ ବର୍ଷରୁ ଅଧିକ ଅନୁଭୂତି ରହିଛି। ୧୯୯୪ରେ ଏପ୍ରିଲରୁ ପ୍ରତିଭା ପିଡବ୍ଲ୍ୟୁସି ଇଣ୍ଡିଆରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ୨୦୦୨ରେ ସେ ଆଇବିଏମରେ ଯୋଗ ଦେଇଥିଲେ। ଆଇବିଏମ୍‌ ପାଇଁ ସେ ଡିଜିଟାଲ ସେଲ୍‌ସର ଉପାଧ୍ୟକ୍ଷା ଭାବେ କାର୍ଯ୍ୟ କରିଛନ୍ତି। ଏବେ ଆଡୋବ୍‌ ଇଣ୍ଡିଆରେ ନିଯୁକ୍ତି ପାଇ ସେ ଆଉ ଏକ ସଫଳତା ହାସଲ କରିଛନ୍ତି।

LEAVE A REPLY

Please enter your comment!
Please enter your name here