ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସୀମାରେ ଲାଗିରହିଛି ସମସ୍ୟା। ଗୋଟିଏ ପଟେ ସିଲ ହୋଇଥିବା ଅଙ୍ଗନବାଡ଼ି କେନ୍ଦ୍ର ଖୋଲି ପିଲାମାନଙ୍କୁ ଅଣ୍ଡା ବାଣ୍ଟୁଛି ଆନ୍ଧ୍ର ପ୍ରଶାସନ ଏବଂ ଅନ୍ୟପଟେ ସୀମା ଭିତରେ ଥିବା ଉଦୟପୁର ବେଳାଭୂମିରେ ବେଆଇନ ପାଚେରୀ ନିର୍ମାଣ କରୁଛି ପଶ୍ଚିମବଙ୍ଗ।

ଓଡ଼ିଶାକୁ ଲାଗି ରହିଥିବା ରାଜ୍ୟଗୁଡ଼ିକ ପକ୍ଷରୁ ଯେଉଁଭଳି ନିରନ୍ତର ସମସ୍ୟା ସୃଷ୍ଟି କରାଯାଉଛି ତାହା ଅତି ଉଦବେଗଜନକ। ବହୁ ବର୍ଷ ଧରି କୋଟିଆ ଗ୍ରାମପୁଞ୍ଜକୁ ନେଇ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଭିତରେ ବିବାଦ ଚାଲି ଆସିଛି ଏବଂ ଏହି ବିବାଦ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଛି। ଏବେ ପୁଣିଥରେ ଦାଦାଗିରି ଦେଖାଇଛି ଆନ୍ଧ୍ର ପ୍ରଦେଶ। ସିଲ ହୋଇଥିବା ଅଙ୍ଗନବାଡି କେନ୍ଦ୍ରକୁ ଖୋଲି ପିଲାଙ୍କୁ ପାଠ ପଢାଇବା ସହ ଅଣ୍ଡା ବାଣ୍ଟିଛି ଆନ୍ଧ୍ର ପ୍ରଶାସନ। ଖାଲି ସେତିକି ନୁହେଁ ଅଙ୍ଗନାବାଡି କେନ୍ଦ୍ର ସିଲ କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଧମକ ଦେଇଛନ୍ତି ଆନ୍ଧ୍ରର ଜଣେ ମନ୍ତ୍ରୀ।

ସୂଚନା ଅନୁସାରେ, ଗଜପତି ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତ ମାଣିକପାଟଣାଠାରେ ଆନ୍ଧ୍ର ପକ୍ଷରୁ ଏକ ଅସ୍ଥାୟୀ ଅଙ୍ଗନବାଡ଼ି କେନ୍ଦ୍ର ଖୋଲାଯାଇଥିଲା। ଏ ସମ୍ପର୍କରେ ଗଜପତି ଜିଲ୍ଲା ପ୍ରଶାସନ ଖବରପାଇ ଉକ୍ତ ଅଙ୍ଗନବାଡ଼ି କେନ୍ଦ୍ରଟିକୁ ସିଲ୍ କରି ଦେଇଥିଲା। କିନ୍ତୁ ଆନ୍ଧ୍ରର କିଛି ଅଧିକାରୀ ସେଠାରେ ପହଞ୍ଚି ସିଲ ହୋଇଥିବା ଅଙ୍ଗନବାଡ଼ି କେନ୍ଦ୍ରଟିକୁ ଖୋଲି କିଛି ଜଣ ପିଲାଙ୍କୁ ଅଣ୍ଡା ଦେବାର ପ୍ରଲୋଭନ ଦେଖାଇ ପାଠ ପଢ଼ାଇଛି। ଏଥିସହ ଆନ୍ଧ୍ର ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଡକ୍ଟର ଆପାଲା ରାଜୁ ଶତାଧିକ ଲୋକଙ୍କୁ ନେଇ ବୈଠକ କରିବା ସହ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଏତେ ସବୁ ଘଟଣା ସତ୍ତ୍ଵେ ସେଠାରେ ଓଡ଼ିଶାର କୌଣସି ଅଧିକାରୀଙ୍କ ଦେଖା ମିଳିନାହିଁ। ଆନ୍ଧ୍ର ପୋଲିସ ପକ୍ଷରୁ ଓଡ଼ିଶା ସରକାରଙ୍କ କିଛି ଅଧିକାରୀ ଓ ଜନପ୍ରତିନିଧିଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରାଯାଇଛି ସୂଚନା ରହିଛି।

ସେହିଭଳି ପଶ୍ଚିମବଙ୍ଗ-ଓଡିଶା ସୀମାରେ ମଧ୍ୟ ଦାଦାଗିରି ଚାଳଇଛି ପଶ୍ଚିମବଙ୍ଗ। ଓଡିଶା ସୀମା ଭିତରେ ଥିବା ଉଦୟପୁର ବେଳାଭୂମିରେ ପଶ୍ଚିମବଙ୍ଗ ଜଳ ସମ୍ପଦ ବିଭାଗ ପକ୍ଷରୁ ବେଆଇନ୍ ପାଚେରୀ ତିଆରି କରାଯାଉଛି। ଏହାକୁ ବିରୋଧ କଲେ ସ୍ଥାନୀୟ ଲୋକଙ୍କୁ ନାଲି ଆଖି ଦେଖାଇ ଭୟଭୀତ କରାଉଛି ପଶ୍ଚିମବଙ୍ଗ ପ୍ରଶାସନ। ବେଳାଭୂମିରେ ବଳପୂର୍ବକ ପାଚେରୀ ନିର୍ମାଣ ହେଉଥିବା ଖବରପାଇ ଘଟଣାସ୍ଥଳରେ ଭୋଗରାଇ ଅତିରିକ୍ତ ତହସିଲଦାର, କଖଡା ଆରଆଇ, ତାଳସାରି ସାମୁଦ୍ରିକ ଥାନା ଅଧିକାରୀ ଓ ସ୍ଥାନୀୟ ଜନପ୍ରତିନିଧି ପହଞ୍ଚିଥିଲେ। କିନ୍ତୁ ପଶ୍ଚିମବଙ୍ଗ ଜଳ ସମ୍ପଦ ବିଭାଗର କୌଣସି ଅଧିକାରୀ ଆସିନଥିଲେ। ଶେଷରେ ସ୍ଥାନୀୟ ତହସିଲଦାର ନିର୍ମାଣ କାମ ବନ୍ଦ କରିବା ପାଇଁ ତାଳସାରି ଥାନା ଅଧିକାରୀଙ୍କୁ କହିବା ସହ ଜିଲ୍ଲାପାଳଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ।

ସୀମାରେ ବାରମ୍ବାର ବିବାଦୀୟ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି। ଆଶ୍ଚର୍ଯ୍ୟର ବିଷୟ ପଶ୍ଚିମବଙ୍ଗ ସରକାର ଏହି ଅଭିଯୋଗ ପ୍ରତି କର୍ଣ୍ଣପାତ କରୁନାହାନ୍ତି। ୨୦୧୮ରେ ଉଦୟପୁର ରାସ୍ତାରେ ଏକ ଫଳକ ଲଗାଇ ପ୍ରଥମେ ବିବାଦ ଘେରରୁ ଆସିଥିଲେ ପଶ୍ଚିମବଙ୍ଗ ସରକାର। ୨୦୨୦ ମସିହାରେ ସାହାବଜୀପୁର ରାସ୍ତାରେ ଥିବା କାଜୁ ଜଙ୍ଗଲକୁ ଅଧିକାର କରିବାକୁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲା ପଡୋଶୀ ରାଜ୍ୟ। ୨୦୧୫ରେ ଉଦୟପୁରରେ ଓଡିଶା ପକ୍ଷରୁ ଥାନା ଓ ଶୌଚାଳୟ ନିର୍ମାଣକୁ ବିରୋଧ କରିଥିଲା ପଶ୍ଚିମବଙ୍ଗ। ବାରମ୍ବାର ପଶ୍ଚିମବଙ୍ଗ ସରକାର ଓଡିଶା ମାଟିରେ ବେଆଇନ୍ ଭାବେ ନିର୍ମାଣ କାର୍ଯ୍ୟ କରିବା ସହ ବିବାଦ ସୃଷ୍ଟି କରିବାକୁ ପ୍ରୟାସ କରୁଥିବା ଘଟଣା ନିନ୍ଦନୀୟ।

ଓଡିଶା ମାଟିରେ ପଡ଼ୋଶୀ ରାଜ୍ୟ ଯଥା ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ସରକାରଙ୍କ ଏଭଳି ବିବାଦୀୟ ପଦକ୍ଷେପକୁ ସ୍ଥାନୀୟ ସ୍ତରରେ ପ୍ରତିରୋଧ କରାଯିବା ଦରକାର। ତା’ଛଡ଼ା ସରକାରୀ ସ୍ତରରେ ଏହି ସବୁ ସୀମା ବିବାଦର ସ୍ଥାୟୀ ସମାଧାନ ବିଷୟରେ ଚିନ୍ତା କରିବା ଆବଶ୍ୟକ। ପଡ଼ୋଶୀ ସରକାରଙ୍କୁ ଟକ୍କର ଦେବାରେ ଓଡ଼ିଶା ସରକାରଙ୍କ ଦୁର୍ବଳତା ଓ ସ୍ଥାନୀୟ ପ୍ରଶାସନ ଏହିସବୁ ଜବର ଦଖଲ ପ୍ରତି ସଜାଗ ନରହିବା ଯୋଗୁଁ ହିଁ ଏହିଭଳି ଘଟଣା ବାରମ୍ବାର ଘଟୁଛି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

Comment