ଓଡ଼ିଶାଲାଇଭ୍ ବ୍ୟୁରୋ

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗଭୀର ଅବପାତରେ ପରିଣତ ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ବିଗତ ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁଁ ଅନେକ ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଏଥିସହ ପୁରୀ ଓ ଭୁବନେଶ୍ଵରରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଥିବା ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଲଘୁଚାପ ପଶ୍ଚିମ-ଉତ୍ତମପଶ୍ଚିମ ଦିଗରେ ଉତ୍ତର ଓଡ଼ିଶା, ଉତ୍ତର ଛତିଶଗଡ଼ ଓ ମଧ୍ୟପ୍ରଦେଶ ଦେଇ ଗତି କରିବାପରେ ରାଜ୍ୟରେ ବର୍ଷା ପ୍ରଭାବ କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। କିନ୍ତୁ ସେପ୍ଟେମ୍ବର ମାସ ମଧ୍ୟ ଭାଗରେ ଯେଉଁ ବର୍ଷା ହୋଇଛି ତାହା ଅତୀତର ସମସ୍ତ ରେକର୍ଡକୁ ଭାଙ୍ଗିଛି।ପୁରୀ ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଥିବାବେଳେ ଅସ୍ତରଙ୍ଗ ଓ କାକଟପୁରରେ ମଧ୍ୟ ବର୍ଷାର ପରିମାଣ ଅଧିକ ରହିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ୮୭ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛି ପୁରୀ। ସେହିପରି ଜଗତସିଂହପୁର ଜିଲ୍ଲାର ବାଲିକୁଦା, କଟକ ଜିଲ୍ଲାର କଣ୍ଟାପଡା ଓ ନିଆଳି ତଥା ଜଗତସିଂହପୁରର ଆଳି ପିଙ୍ଗଳରେ ଖୁବ୍ ବର୍ଷା ହୋଇଛି। ବିଭିନ୍ନ ଜିଲ୍ଲାର ମୋଟ ୫୭ଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି, ଯାହା ବିଗତ ପାଞ୍ଚ ବର୍ଷରେ ଏକ ବ୍ୟତିକ୍ରମ।

ରାଜଧାନୀରେ ଗୋଟିଏ ଦିନରେ ଏତେ ବର୍ଷା ପୂର୍ବରୁ କେବେ ବି ରେକର୍ଡ କରାଯାଇନଥିଲା। ତଥ୍ୟ ଅନୁସାରେ, ଭୁବନେଶ୍ଵରରେ ସର୍ବାଧିକ ୧୬୩ ମିଲିମିଟର ବର୍ଷା ହୋଇଛି। ରବିବାରଠାରୁ ଏହି ବର୍ଷା ଲାଗି ରହିବା ଫଳରେ ଭୁବନେଶ୍ଵରର ବହୁ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଜାତୀୟ ରାଜପଥ ପାର୍ଶ୍ଵବର୍ତ୍ତୀ ଉଠା ଦୋକାନଠାରୁ ଆରମ୍ଭ କରି ନାମୀଦାମୀ ସୋ’ ରୁମଗୁଡ଼ିକ ମଧ୍ୟ ବର୍ଷାପାଣି ଘେରରେ ରହିଛି।

Comment