ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ତହସିଲ ଅଫିସକୁ ଶୁକ୍ରବାର ଦିନ ସିଲ୍ କରାଯାଇଛି। ସେପ୍ଟେମ୍ବର ୧୭ ଓ ସେପ୍ଟେମ୍ବର ୧୮ ଦୁଇ ଦିନ ଉଭୟ କାର୍ଯ୍ୟାଳୟ ବନ୍ଦ ରହିବ। ଏହି କାର୍ଯ୍ୟାଳୟରୁ ୫ଜଣ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ବିଏମସି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ସୂଚନା ଅନୁସାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ତିନି ଜଣ ଓ ତହସିଲ ଅଫିସରୁ ଦୁଇ ଜଣ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେଣୁ କର୍ମଚାରୀ ଓ ଜନସାଧାରଣଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି କାର୍ଯ୍ୟାଳୟକୁ ଦୁଇ ଦିନ ପାଇଁ ସିଲ୍ କରି ଦିଆଯାଇଛି।

ବିଏମସି ଜାରି କରିଥିବା ନୋଟିସରେ ଲେଖାଯାଇଛି ଯେ, ଉଭୟ କାର୍ଯ୍ୟାଳୟ ପରିସରରେ ସରକାରଙ୍କ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ବନ୍ଦ ଅବଧି ମଧ୍ୟରେ କାର୍ଯ୍ୟାଳୟ ଭିତରକୁ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଛାଡ଼ିଦେଲେ ଆଉ କାହାକୁ ଛଡ଼ାଯିବ ନାହିଁ। ଉଭୟ କାର୍ଯ୍ୟାଳୟକୁ ବିଶୋଧନ କରାଯିବ।

ଯେଉଁମାନେ ସଂକ୍ରମିତ ସେମାନଙ୍କୁ ନିଜ ନିଜ ଘରେ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି। ଯଦି କୌଣସି କର୍ମଚାରୀ ଅଧିକ ଅସୁସ୍ଥ ଅନୁଭବ କରନ୍ତି, ତେବେ ବିଏମସି ସହ ଯୋଗାଯୋଗ କରିବାକୁ କୁହାଯାଇଛି। ଏଥିସହ ସେପ୍ଟେମ୍ବର ୨୦ ତାରିଖରେ ଦୁଇଟି କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ପାଇଁ ଏକ ଆରଟିପିସିଆର୍ ପରୀକ୍ଷା କେନ୍ଦ୍ର କରାଯିବ। ସେହିଠାରେ ସମସ୍ତ ଅଫିସର, କର୍ମଚାରୀ ଏବଂ ସୁରକ୍ଷା କର୍ମୀଙ୍କର କରୋନା ପରୀକ୍ଷା କରାଯିବ।

Comment