ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲେଶ୍ୱରସ୍ଥିତ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ଗୁପ୍ତ ତଥ୍ୟ ଲିକ୍ କରିବା ମାମଲାରେ ଏଯାଏଁ ୫ ଜଣଙ୍କୁ ଗିରଫ କରାଯାଇଛିା ଏହି ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚର ଅଧିକାରୀମାନେ ବାଲେଶ୍ୱର ଓ ଚାନ୍ଦିପୁର ଅଞ୍ଚଳ ଗସ୍ତ କରି ଯାଞ୍ଚ କରିଛନ୍ତି। ତଥ୍ୟ ଲିକ୍ କରିଥିବା ଡିଆରଡିଓର ଏହି ଠିକା କର୍ମଚାରୀମାନେ ହିନଟ୍ରାପର ଶିକାର ହୋଇ ପାକିସ୍ତାନ ଗୁଇନ୍ଦା ସଂସ୍ଥାକୁ ସୂଚନା ଦେଇଥିବା ଜଣାପଡ଼ିଛିା ତେବେ ଏହି ହନିଟ୍ରାପ କ’ଣ ଓ କିଭଳି ଏହି ଜାଲ ବିଛାଯାଇଥାଏ?
ହନିଟ୍ରାପ୍ କ’ଣ?
ବିଶ୍ୱର ପ୍ରତ୍ୟେକ ଦେଶର କୌଣସି ନା କୌଣସି ଦେଶ ସହିତ ବିଭିନ୍ନ କାରଣରୁ ଶତ୍ରୁତା ରହିଥାଏ। ଶତ୍ରକୁ ମାତ୍ ଦେବା ପାଇଁ ବିଭିନ୍ନ ପ୍ରକାର ଯୋଜନା ଚାଲିଥାଏ। କେତେବେଳେ ଯୁଦ୍ଧ ହୋଇଥାଏ ତ ଆଉ କେତେବେଳେ ଅନ୍ୟ ଉପାୟ ଆପଣାଯାଏ। ଏମିତିକି ତଥ୍ୟ ଚୋରି କରିନେଇ ବଡ଼ ଧରଣର ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର ରଚାଯାଇଥାଏ। ଏହି ତଥ୍ୟ ଚୋରିରେ ହନିଟ୍ରାପ୍ ଏକ ବଡ଼ ଧରଣର ଭୂମିକା ଗ୍ରହଣ କରେ।
ହନିର ଅର୍ଥ ହେଉଛି ମହୁ ଓ ଟ୍ରାପର ଅର୍ଥ ହେଉଛି ଜାଲା। ଅର୍ଥାତ ମିଠା ଜାଲ। ଏହି ଜାଲରେ କେତେବେଳେ କେମିତି ଜଣେ ବ୍ୟକ୍ତି ଫସେ ତାହା ସେ ନିଜେ ବି ଜାଣିପାରେନି। ମୁଖ୍ୟତଃ ମହିଳାମାନେ ପ୍ରଥମେ ଟଙ୍କା, ପରେ ବିଦେଶ ବୁଲାଇ ନେବାର ଲୋଭ, ଅଶ୍ଲୀଳ ଭିଡ଼ିଓ ଓ ଫଟୋ ଦେଖାଇ ଗୋପନୀୟ ତଥ୍ୟ ହାସଲ କରିବାକୁ ଚେଷ୍ଟା କରନ୍ତି।
ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଏହି ଉପାୟ ଆପଣାଇଥାଏ। ପୂର୍ବରୁ ଏହି ଜାଲରେ ଭାରତୀୟ ବାୟୁ ସେନା ଅଧିକାରୀ, ନୌସେନା ଅଧିକାରୀ ଫସିଥିବାର ଉଦାହରଣ ରହିଛି।
ସୋସିଆଲ ମିଡିଆ ପାଲଟେ ମାଧ୍ୟମ
ହନିଟ୍ରାପ୍ ପାଇଁ ସୋସିଆଲ ମିଡିଆ ଏକ ବଡ଼ ମାଧ୍ୟମ ପାଲଟିଛି। ଫେସବୁକ୍, ଇନଷ୍ଟାଗ୍ରାମ ଆଦିକୁ ଆଧାର କରି ତଥ୍ୟ ଚୋରି ପାଇଁ ଲୋକଙ୍କୁ ବ୍ୟବହାର କରାଯାଉଛି। କେବଳ ମହିଳା ନୁହଁନ୍ତି ପୁରୁଷ ଏଜେଣ୍ଟମାନେ ମହିଳା ନକଲି ପ୍ରୋଫାଇଲ୍ ସୃଷ୍ଟି କରି ବଡ଼ ବଡ଼ ଅଧିକାରୀମାନଙ୍କ ଫସାଇଥାଆନ୍ତି। ସମ୍ପର୍କ ବଢ଼ିବା ପରେ ମୋବାଇଲ ନମ୍ବର ମଧ୍ୟ ଆଦାନ ପ୍ରଦାନ ହୁଏ। ବିଶ୍ୱାସ ବଢ଼ିବାରେ ହ୍ୱାଟସଆପ୍ ଚାଟିଂ କରାଯାଏ। ଚାଟିଂ ବଢ଼ିବା ପରେ ବ୍ୟକ୍ତିଗତ କଥାବାର୍ତ୍ତା, ଫଟୋ ଦିଆନିଆ ହୋଇଥାଏ। ପରେ ଏହାକୁ ବ୍ୟବହାର କରି ଶିକାରୀ ବ୍ଲାକମେଲ କରାଯାଇଥାଏ।
ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନଙ୍କ ହୋଇଥିଲେ ଶିକାର
୨୦୧୮ରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇକୁ ସାହାଯ୍ୟ କରିବା ଓ ଗୋପନୀୟ ତଥ୍ୟଗୁଡିକ ପ୍ରଘଟ କରିବା ଘଟଣାରେ ଦିଲ୍ଲୀ ପୋଲିସ୍ର ସ୍ପେଶାଲ୍ ସେଲ୍ ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ୍ ଅରୁଣ ମାରବାହ(୫୧ ବର୍ଷ)ଙ୍କୁ ଗିରଫ୍ କରାଯାଇଥିଲା। ଆଇଏସଆଇର ଏକ ଏଜେଣ୍ଟ୍ ନିଜକୁ ଜଣେ ମହିଳାର ପରିଚୟ ଦେଇ ମାରବାହଙ୍କ ସହ ସମ୍ପର୍କ ରଖିଥିଲା।
ସଂସଦରେ ବରୁଣ ଗାନ୍ଧୀଙ୍କ ଉପରେ ଲାଗିଥିଲା ଆରୋପ
ବିଜେପି ସାଂସଦ ବରୁଣ ଗାନ୍ଧୀ କିଛି ବିଦେଶୀ ମହିଳାଙ୍କ ସହ ଫଟୋ ଉଠାଇଥିଲେ। ଏଥିପାଇଁ ଉକ୍ତ ମହିଳାଙ୍କ ମକ୍ଷରୁ ତାଙ୍କୁ ବ୍ଲାକ୍ମେଲ୍ କରାଯାଇଥିଲା। ବାଧ୍ୟ ହୋଇ ବରୁଣ କୁଆଡେ ଭାରତୀୟ ରକ୍ଷା ମନ୍ତ୍ରାଳୟର ସହ ଜଡ଼ିତ କିଛି ତଥ୍ୟ ସେମାନଙ୍କୁ ଦେବାର ଅଭିଯୋଗ ହୋଇଥିଲା। ୨୦୧୬ରେ ପିଏମଓ କାର୍ଯ୍ୟାଳୟ ପକ୍ଷରୁ ଏହି ଅଭିଯୋଗ ହୋଇଥିଲା। କିନ୍ତୁ ଏହାକୁ ଖଣ୍ଡନ କରିଥିଲେ ବରୁଣ ଗାନ୍ଧୀ।
ପଠାନକୋର୍ଟରୁ ବି ଆସିଥିଲା ଏଭଳି ମାମଲା
ପଠାନକୋର୍ଟ ଏୟାରଫୋର୍ସ ଷ୍ଟେସନ୍ରେ ଥିବା ଜଣେ ଏୟାର୍ମ୍ୟାନ୍ ସୁନୀଲ କୁମାର ଅଜଣା ମହିଳାଙ୍କୁ ଗୋପନୀୟ ତଥ୍ୟ ଇମେଲ୍ କରିବା ଆରୋପରେ ଗିରଫ୍ କରାଯାଇଥିଲା। ସୁନୀଲ କୁମାର ମୀନା ରାଇନା ନାମକ ଜଣେ ମହିଳାଙ୍କ ସହ ସୋସିଆଲ୍ ମିଡ଼ିଆରେ ସମ୍ପର୍କ ରଖିଥିଲେ। ୨୦୧୬ରେ ପଠାନକୋର୍ଟ ଏୟାରଫୋର୍ସ ଷ୍ଟେସନ୍ର କିଛି ତଥ୍ୟ ସେ ଉକ୍ତ ମହିଳାଙ୍କୁ ଦେଉଥିବାର ଅଭିଯୋଗ ଉଠିଥିଲା।
ଫସିଥିଲେ ସେନାର ଯବାନ୍
୨୦୧୪ରେ ସିକନ୍ଦରାବାଦରେ କାର୍ଯ୍ୟରତ ଜଣେ ଜବାନ୍ ପାଟନ କୁମାର ପୋଦାର ପାକିସ୍ତାନର ଜଣେ ମହିଳାଙ୍କ ମାୟା ଜାଲରେ ଫସିଯାଇଥିଲେ। ଉକ୍ତ ମହିଳା ଜଣକ ପାଟନ କୁମାରଙ୍କଠାରୁ ଟଙ୍କା ନେଇ ତାଙ୍କୁ ଅଶ୍ଲୀଳ ଭିଡ଼ିଓ ଓ ଫଟୋ ସେୟାର୍ କରୁଥିଲେ। ଏହାସହ ପାଟନ କୁମାରଙ୍କୁ ଲଣ୍ଡନ ବୁଲାଇ ନେବାର ସ୍ଵପ୍ନ ବି ଦେଖାଇଥିଲା ସେହି ମହିଳା।
୨୦୧୪ରେ ମଧ୍ୟ ଇଶ୍ୱର ବେହେରା ନାମକ ଣେ ଠିକା ଫଟୋଗ୍ରାଫର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ଗୁପ୍ତ ତଥ୍ୟ ପାକିସ୍ତାନ ଗୁଇନ୍ଦା ସଂସ୍ଥ ଆଇଏସଆଇକୁ ଯୋଗାଇ ଦେଇଥିଲ। ଉକ୍ତ ଘଟଣାରେ ଇଶ୍ୱରଙ୍କୁ ଆଜୀବନ ଜେଲ୍ ହୋଇଥିଲା। ଏବେ ପୁଣି ସେହି ଘଟଣାର ପୁନରାବୃତ୍ତି ଘଟିଛି।