ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀ ଭୁବନେଶ୍ଵରର ମୁକୁଳା ଡ୍ରେନରେ ଭାସିଯାଇ ନାବାଳକ ଜ୍ୟୋତି ପ୍ରକାଶ ବେହେରା ଆଖି ବୁଜିବା ପରେ ରାଜ୍ୟର ବିଭିନ୍ନ ସହରରେ ଥିବା ମୁକୁଳା ଡ୍ରେନକୁ ନେଇ ପ୍ରତିବାଦ ଆରମ୍ଭ ହୋଇଯାଇଛି। କିଏ ସରକାରଙ୍କୁ ଦାୟୀ କରୁଛି ତ’ ପୁଣି କିଏ ବିଏମସି କର୍ତ୍ତୃପକ୍ଷଙ୍କ ଅପରାଗତା କଥା କହୁଛି। ଏତେ ସବୁ ବିବାଦ ମଧ୍ୟରେ ସରକାରଙ୍କ ପକ୍ଷରୁ ମୁକୁଳା ଡ୍ରେନ ପାଇଁ ଏକ ନିଷ୍ପତ୍ତି ନିଆଯାଇଛି। ଖୁବଶୀଘ୍ର ରାଜ୍ୟର ସବୁ ଜିଲ୍ଲାରେ ଥିବା ମୁକୁଳା ଡେନଗୁଡ଼ିକ ଉପରେ ସ୍ଲାବ ପକାଯିବ। ଯଦ୍ଵାରା ରାଜ୍ୟର କୌଣସି ବି ସ୍ଥାନରେ ଯେଭଳି ନାବାଳକ ମୃତ୍ୟୁ ଘଟଣାର ପୁନରାବୃତ୍ତି ନ ହେବ।

ମୁକୁଳା ଡ୍ରେନ ପାଇଁ ୩ ଶହ କୋଟି

ଟୁଇନ ସିଟି ସମେତ ରାଜ୍ୟର ସବୁ ଜିଲ୍ଲାରେ ମୁକୁଳା ଡ୍ରେନ୍ ଉପରେ ସ୍ଲାବ ପଡ଼ିବ। ଏଥିସହ ଡ୍ରେନଗୁଡ଼ିକର ରୂପ ରେଖ ମଧ୍ୟ ପରିବର୍ତ୍ତନ କରାଯିବ। ତେଣୁ ନଗର ଉନ୍ନୟନ ବିଭାଗ ୩ଶହ କୋଟି ଟଙ୍କା ଖର୍ଚ୍ଚ କରିବ। ଏନେଇ ବିଧାନସଭାରେ ନଗର ଉନ୍ନୟନ ବିଭାଗର ଷ୍ଟାଣ୍ଡିଂ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ଦେଇଛନ୍ତି କମିଟିର ଅଧ୍ୟକ୍ଷ ପ୍ରଫୁଲ୍ଲ ସାମଲ।

ମଙ୍ଗଳବାର ପ୍ରଫୁଲ୍ଲ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଷ୍ଟାଣ୍ଡିଂ କମିଟି ବୈଠକରେ ରାଜ୍ୟର ଡ୍ରେନ ସମସ୍ୟା ନେଇ ଆଲୋଚନା ହୋଇଥିଲା। ବୈଠକରେ ଉପସ୍ଥିତ ଥିବା ବିଧାୟକମାନେ ସହରାଞ୍ଚଳର ବନ୍ୟା ମୁକାବିଲା ନେଇ କେଉଁ ଯୋଜନା ରହିଛି ସେ ସମ୍ପର୍କରେ ପ୍ରଶ୍ନ କରିଥିଲେ। ତାହାର ଉତ୍ତର ଦେଇ କମିଟିର ଅଧ୍ୟକ୍ଷ କହିଥିଲେ, ମୁକୁଳା ଡ୍ରେନରେ ସ୍ଲାବ ପକାଇବାକୁ ୩ଶହ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ସେ ଆଉ ମଧ୍ୟ କହିଥିଲେ, “ପ୍ରାଥମିକତା ଭିତ୍ତିରେ ୫ ମହାନଗର ନିଗମ, ୪୬ ଏନଏସି, ୬୩ଟି ମୁନିସିପାଲିଟିରେ ଥିବା ଡ୍ରେନଗୁଡ଼ିକ ଉପରେ ସ୍ଲାବ ପଡ଼ିବ। ପ୍ରଥମେ ଏହି କାର୍ଯ୍ୟ ଟୁଇନ ସିଟିରୁ ଆରମ୍ଭ ହେବ। ଖୁବଶୀଘ୍ର ଏନେଇ ଏକ ବଜେଟ ପ୍ରସ୍ତୁତ ହେବ। ତେବେ ଅକ୍ଟୋବର ୫ରେ ହେବାକୁ ଥିବା ବୈଠକରେ ବିଭାଗ ପକ୍ଷରୁ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।”ବିଏମସିର କାର୍ଯ୍ୟ ଶୈଳୀକୁ ନେଇ ଉଠିଛି ପ୍ରଶ୍ନ?

ବରମୁଣ୍ଡାର ଦଶମ ଶ୍ରେଣୀ ଛାତ୍ର ଜ୍ୟୋତି ପ୍ରକାଶ ବେହେରା ଶତାବ୍ଦୀ ନଗରଠାରେ ଥିବା ମୁକୁଳା ଡ୍ରେନରେ ଭାସିଯାଇ ଆଖି ବୁଜିବାପରେ ବିଏମସିର କାର୍ଯ୍ୟ ଶୈଳୀକୁ ନେଇ ରାଜଧାନୀବାସୀ ପ୍ରଶ୍ନ କରିଛନ୍ତି। ବିଏମସି କର୍ମଚାରୀ ତାଙ୍କର କାର୍ଯ୍ୟକୁ ସଠିକ୍ ଭାବରେ ତୁଲାଇ ପାରୁନାହାଁନ୍ତି ଯାହାଫଳରେ ଏଭଳି ଅଘଟଣ ପ୍ରତିବର୍ଷ ଘଟୁଛି ବୋଲି କହିଛନ୍ତି ରାଜଧାନୀ ବାସୀ। ସେପଟେ ଏହାର ସଫେଇ ଦେଇ ବିଏମସି କହିଛି, ରାଜଧାନୀରେ ଡ୍ରେନେଜ ବ୍ୟବସ୍ଥା ସୁଧାରିବା ପାଇଁ ହଜାରେ କୋଟିର ଯୋଜନା କରାଯାଇଥିଲେ ମଧ୍ୟ, ଟଙ୍କା ନଥିବାରୁ ଡ୍ରେନର ବିକାଶ ହୋଇପାରୁନାହିଁ। ଟଙ୍କା ମିଳିବା ମାତ୍ରେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି।

ସୂଚନା ଥାଉକି, ୨୦୧୯ ଏବଂ ୨୦୨୦ ବର୍ଷରେ ମୁକୁଳା ଡ୍ରେନ ଉପରେ ସ୍ଲାବ ପକାଇବା ପାଇଁ ଏବଂ ରାଜଧାନୀରେ ଥିବା ଅନ୍ୟାନ୍ୟ ଡ୍ରେନ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପକ୍ଷରୁ ୧୧୦ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ମାତ୍ର ୪୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ରହିଛି। ତେବେ ବଳକା ଟଙ୍କା କାହା ହିତରେ ବୋଲି କହିଛନ୍ତି ରାଜଧାନୀ ବାସୀ।ରାଜଧାନୀର ମୁକୁଳା ଡ୍ରେନ ସମସ୍ୟାକୁ ନେଇ ବିଏମସି କମିସନରଙ୍କ ପ୍ରତିକ୍ରିୟା

ରାଜଧାନୀରେ ଥିବା ଡ୍ରେନ ସମସ୍ୟା ଓ କୃତ୍ରିମ ବନ୍ୟାକୁ ନେଇ ମୁହଁ ଖୋଲିଛନ୍ତି ବିଏମସି କମିସନର ସଞ୍ଜୟ ସିଂ। ନିକଟରେ ଦଶମ ଶ୍ରେଣୀ ଛାତ୍ର ମୃତ୍ୟୁ ପରେ ଉଭୟ ବିଜେପି ଓ କଂଗ୍ରେସ ଏଥିପାଇଁ ବିଏମସିକୁ ଦାୟୀ କରିଥିଲେ। ଏମିତି କି ବିଏମସି କମିସନରଙ୍କୁ ଗିରଫ କରିବା ଦାବିରେ ବିଏମସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଏନେଇ ବୁଧବାର କମିସନର ସଞ୍ଜୟ ସିଂ ପ୍ରତିକ୍ରିୟାରେ କହିଛନ୍ତି, “ରାଜଧାନୀରେ ଥିବା ପ୍ରାକୃତିକ ନାଳ କଭର୍ ହୋଇପାରିବ ନାହିଁ ବୋଲି ଏନଜିଟି(ନ୍ୟାସନାଲ ଗ୍ରୀନ ଟ୍ରିବୁନାଲ)ଙ୍କ ନିର୍ଦ୍ଦେଶ ରହିଛି। ସୁପ୍ରିମକୋର୍ଟ ଏବଂ ଏନଜିଟି ଗାଇଡଲାଇନ ଅନୁସାରେ ସେଗୁଡ଼ିକ ବନ୍ଦ କରାଯାଇପାରିବ ନାହିଁ। ତେଣୁ ଯଥା ସମ୍ଭବ ପମ୍ପ ଲଗାଇ ଜଳ ନିଷ୍କାସନ ବ୍ୟବସ୍ଥା କରାଯାଉଛି। ଦୁର୍ଘଟଣା ଜନିତ ସମସ୍ୟା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।”

ସେ ଆଉ ମଧ୍ୟ କହିଛନ୍ତି, “ଭୁବନେଶ୍ବରରେ ପୂର୍ବରୁ ୨୭ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ କରାଯାଇଥିଲା। ବର୍ତ୍ତମାନ ସହରରେ ୭୫ଟି ପଲଣ୍ଡରେ ଓ୍ବାଟର ଲଗିଂ ସମସ୍ୟା ଦେଖା ଦେଇଛି। ଏହି ସମସ୍ୟା ପାଇଁ ପୂର୍ବରୁ ୨୦ଟି, ଏବେ ୩୫ଟି ସ୍ଥାନରେ ପମ୍ପ ଲାଗିଛି।”

ରାଜଧାନୀରେ ୬ ବର୍ଷ ମଧ୍ୟରେ ୭ଜଣଙ୍କ ମୃତ୍ୟୁ

ରାଜଧାନୀରେ ଭୁବନେଶ୍ଵରରେ ମୁକୁଳା ଡ୍ରେନରେ ଭାସି ମୃତ୍ୟୁ ଘଟଣା ପ୍ରଥମ ନୁହେଁ। ଏହା ପୂର୍ବରୁ ୬ ଜଣଙ୍କ ମୃତ୍ୟୁ ହୋଇସାରିଛି। ତଥ୍ୟ ଅନୁସାରେ ଗତ ଛଅ ବର୍ଷ ଭିତରେ ଏଭଳି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜ୍ୟୋତି ପ୍ରକାଶଙ୍କ ଘଟଣାକୁ ମିଶାଇ ଏହା ୭ରେ ପହଞ୍ଚିଛି। ଏତେ ସବୁ ପରେବି କାହିଁକି ଡ୍ରେନ ସମସ୍ୟାର ସ୍ଥାୟୀ ପ୍ରତିକାର କରାଯାଉନାହିଁ ସେନେଇ ରାଜଧାନୀ ବାସୀ ପ୍ରଶ୍ନ କରିଛନ୍ତି।

Comment