ଓଡ଼ିଶାଲାଇଭ୍ ବ୍ୟୁରୋ
ପିପିଲି ଉପନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଜାରି ରହିଛି। ପିପିଲିବାସୀ ଶାନ୍ତିଶୃଙ୍ଖଳାର ସହ ମତଦାନ କେନ୍ଦ୍ରରେ ଭୋଟ ଦେଉଛନ୍ତି। ତେବେ ଦିନ ୧୧ଟା ସୁଦ୍ଧା ୨୪.୭୬ ପ୍ରତିଶତ ମତଦାନ ଦେଇଥିବା ଜଣାପଡ଼ିଛି।
ଆଜି ସକାଳ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ପ୍ରକ୍ରିୟା ସନ୍ଧ୍ୟା ୬ ଯାଏଁ ଚାଲିବ। ସମୁଦାୟ ୩୪୮ଟି ବୁଥରେ ମତଦାନ ଦେବାର ବ୍ୟବସ୍ଥା କରାଯାଇଛି। ସେଥି ମଧ୍ୟରୁ ୨୦୧ଟି ବୁଥକୁ ସମ୍ବେଦନଶୀଳ ବୁଥ୍ ଘୋଷଣା କରାଯାଇଛି। ଏହି ସମ୍ବେଦନଶୀଳ ବୁଥଗୁଡ଼ିକ ମଧ୍ୟରୁ ୧୭୫ଟିରେ ୱେବକାଷ୍ଟିଙ୍ଗ ଓ ୧୨ଟିରେ ଭିଡିଓଗ୍ରାଫି ବ୍ୟବସ୍ଥା କରାଯାଇଛି। ସେହିପରି ୨୩ଟି ବୁଥରେ ମାଇକ୍ରୋ ଅବଜରଭର୍ ମୁତୟନ ହୋଇଛନ୍ତି। ସମ୍ବେଦନଶୀଳ ବୁଥ ଉପରେ କଡ଼ା ନଜର ରଖାଯାଇଛି।
ଆଜି ସକାଳେ ପାଣିଦୋଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବୁଥ ନମ୍ବର ୧୩୩ରେ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ତାଙ୍କ ପରିବାର ସହ ଧାଡ଼ିରେ ଛିଡ଼ାହୋଇ ଭୋଟ ଦେଇଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ଡେଲାଙ୍ଗ ବ୍ଳକର ଝାରପଡ଼ା ସ୍କୁଲର ୫ ନମ୍ବର ବୁଥରେ ପରିବାର ସହ ଆସି ମତଦାନ ଦେଇଛନ୍ତି। ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ମଧ୍ୟ ପିପିଲିର କମାକନ୍ତିଆ ସରକାରୀ ଉଚ୍ଚବିଦ୍ୟାଳୟର ୨୩୪ ନମ୍ବର ବୁଥରେ ଭୋଟ ଦେଇଛନ୍ତି।
ଆଇନ ଶୃଙ୍ଖଳା ପାଇଁ ସମସ୍ତ ବୁଥରେ ବ୍ୟାପକ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପ୍ରାର୍ଥୀମାନେ କରୋନା କଟକଣା ଭିତରେ ଯାଇ ଭୋଟ ଦେଉଛନ୍ତି। ସମସ୍ତଙ୍କ ମୁହଁରେ ମାସ୍କ ରହିଛି। ଭୋଟିଙ୍ଗ କେନ୍ଦ୍ରରେ ଥର୍ମାଲ ସ୍କ୍ରିନିଙ୍ଗର ବ୍ୟବସ୍ଥା ମଧ୍ୟ କରାଯାଇଛି।
ବିଜେଡି ପକ୍ଷରୁ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହରାଥୀ ଏଠାରୁ ପ୍ରାର୍ଥୀ ହୋଇଥିବାବେଳେ ବିଜେପିରୁ ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସରୁ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ପ୍ରାର୍ଥୀ ହୋଇଛନ୍ତି। ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ମୃତ୍ୟୁ ପରେ ଏହି ପିପିଲି ବିଧାୟକ ଆସନ ଖାଲିପଡ଼ିଛି। ତେବେ ଦୁଇ ଦୁଇଥର ନିର୍ବାଚନ ସ୍ଥଗିତ ରହିବା ପରେ ଆଜି ପିପିଲି ଉପନିର୍ବାଚନ ପାଇଁ ଭୋଟରମାନେ ମତଦାନ ଦେଉଛନ୍ତି।