ଓଡ଼ିଶାଲାଇଭ୍ ବ୍ୟୁରୋ

ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ସକାଳ ୮ଟାରୁ ଆରମ୍ଭ ହୋଇଯାଇଛି ପୋଷ୍ଟାଲ ବାଲାଟ ଗଣତି। ପୁରୀ ପେଣ୍ଠକଟା ୱେର ହାଉସଠାରେ ଚାଲିଛି ଗଣତି ପ୍ରକ୍ରିୟା। ଏଥି ପାଇଁ ପ୍ରଶାସନ ପକ୍ଷରୁ ୱେର ହାଉସ ଚାରିପାଖରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରଥମେ ପୋଷ୍ଟାଲ ବାଲାଟ ଓ ପରେ ୮.୩୦ ମିନିଟରେ ଇଭିଏମ ଭୋଟ ଗଣତି ହେବ। ଚଳିତଥର ପିପିଲିରେ ମୋଟ ୨ ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର ଥିବାବେଳେ ଏଥିରୁ ୧ ଲକ୍ଷ ୭୯ ହଜାର ୯୮୦ ଜଣ ଭୋଟ ଦେଇଛନ୍ତି। ମୋଟ ଭୋଟଦାନ ହାର ୭୮.୨୫ ପ୍ରତିଶତ ରହିଛି।

ଆଜି ପିପିଲି ଉପନିର୍ବାଚନର ଫଳାଫଳ ଘୋଷଣା ହେବ। ସେଥିପାଇଁ ୱେର ହାଉସର ୩ଟି ରୁମରେ ଭୋଟ ଗଣତି ବ୍ୟବସ୍ଥା କରାଯାଇଛି। ଗୋଟିଏ ରୁମରେ ପୋଷ୍ଟାଲ ବାଲଟ ଓ ଦୁଇଟି ରୁମରେ ଇଭିଏମ ଗଣାଯିବ। ଭୋଟ ଗଣତି ପାଇଁ ୧୪ଟି ଟେବୁଲ ପ୍ରସ୍ତୁତ କରାଯାଇଛି। ୧୪ଟି ଟେବୁଲରେ ୨୪ ରାଉଣ୍ଡ ଗଣତି ହେବ। ଟେବୁଲଗୁଡ଼ିକରେ ୬୨ ଜଣ ସରକାରୀ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି।

୨୦୨୦ରେ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ପିପିଲି ବିଧାନସଭା ଆସନ ଖାଲି ପଡ଼ିଥିଲା। ଏହା ପରେ ୨୦୨୧ ଏପ୍ରିଲ ମାସରେ ଉପନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। କିନ୍ତୁ ଏପ୍ରିଲ ୧୭ରେ ଭୋଟ ଗ୍ରହଣ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କର କରୋନାରେ ମୃତ୍ୟୁ ହୋଇଯାଇଥିଲା। ତେଣୁ ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଗଲା। ଏହାପରେ ରାଜ୍ୟରେ କରୋନା ସଂକ୍ରମଣର ଭୟାବହତା ଯୋଗୁଁ ମେ’ ମାସରେ ହେବାକୁ ଥିବା ଉପନିର୍ବାଚନ ତାରିଖକୁ ପୁଣିଥରେ ସ୍ଥଗିତ ରଖାଯାଇଥିଲା। ଆଜି ସମସ୍ତ କରୋନା କଟକଣା ଭିତରେ ପିପିଲି ଉପନିର୍ବାଚନ ପାଇଁ ଭୋଟରମାନେ ମତଦାନ କରିଛନ୍ତି।

ବିଜେଡି ପକ୍ଷରୁ ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହରାଥୀ ଏଠାରୁ ପ୍ରାର୍ଥୀ ହୋଇଥିବାବେଳେ ବିଜେପିରୁ ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସରୁ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ପ୍ରାର୍ଥୀ ହୋଇଛନ୍ତି। ଏହିପରି ବିଭିନ୍ନ ଦଳରୁ ଆଉ ୭ ଜଣ ପ୍ରାର୍ଥୀ ରହିଛନ୍ତି।

Comment