ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରାୟ ଏକ ସପ୍ତାହ ହେବ ତେଲ ଦର ବଢ଼ିବାରେ ଲାଗିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଉତ୍ପାଦନ କମ୍ ଯୋଗୁଁ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଛି। ତେବେ ରାଜଧାନୀ ଭୁବନେଶ୍ଵରରେ ପେଟ୍ରୋଲ ଲିଟର ପିଛା ୨୬ ପଇସା ବୃଦ୍ଧି ପାଇଥିବାବେଳେ ଡିଜେଲ ୩୩ ପଇସା ବୃଦ୍ଧି ପାଇଛି। ସେପଟେ ମାଲକାନଗିରିରେ ଆକାଶ ଛୁଆଁ ହୋଇଛି ପେଟ୍ରୋଲ ଓ ଡିଜେଲ ଦର।
ମାଲକାନଗିରିରେ ପେଟ୍ରୋଲ ଲିଟର ପିଛା ୧୦୮ ଟଙ୍କା ୮୫ ପଇସା ହୋଇଥିବାବେଳେ, ଡିଜେଲ ଦର ୧୦୪ ଟଙ୍କା ୦୬ ପଇସାରେ ପହଞ୍ଚିଲାଣି। ଏଠାରେ ୫ ଦିନ ଭିତରେ ବାରମ୍ବାର ତେଲ ଦର ବୃଦ୍ଧି ପାଉଥିବାରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।
ସେହିପରି ଭୁବନେଶ୍ଵରରେ ପେଟ୍ରୋଲ ଦର ୧୦୩ ଟଙ୍କା ୦୪ ପଇସା ରହିଛି ଏବଂ ଡିଜେଲ ଦର ୯୮ ଟଙ୍କା ୭୭ ପଇସା ରହିଛି। ସେପ୍ଟେମ୍ବର ୩୦ ତାରିଖରୁ କ୍ରମାଗତ ଭାବେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବାରେ ଲାଗିଛି। କଟକରେ ପେଟ୍ରୋଲ ଲିଟର ପିଛା ୧୦୩ଟଙ୍କା ୬୨ ପଇସା ଏବଂ ଡିଜେଲ ୯୯ ଟଙ୍କା ୩୨ ପଇସା ହୋଇଛି।
ରାଜ୍ୟରେ ତେଲ ଦର ହୁ ହୁ ହୋଇ ବଢୁଥିବା ହେତୁ ସିଧାସଳଖ ଗ୍ରାହକଙ୍କ ପକେଟ ଉପରେ ତାହା ପ୍ରଭାବ ପକାଉଛି। ତେଣୁ କୌଣସି ମତେ ରାଜ୍ୟରେ ତେଲ ଦର କମାଇବାକୁ ସାଧାରଣରେ ଦାବି ହେଉଛି।