ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଧରାପୃଷ୍ଠକୁ ଅବତରଣ କରିବେ ଜଗତଜନନୀ ମା’ ଦୁର୍ଗା। ମହାଷଷ୍ଠୀରେ ଆବିର୍ଭାବ ହେବେ ଦଶଭୁଜା। ଏଥିପାଇଁ ସମସ୍ତ ପୂଜାମଣ୍ଡପରେ ପ୍ରସ୍ତୁତି ଶେଷ ହୋଇଛି। କରୋନା ପାଇଁ ଗଲା ବର୍ଷ ପରି ଏବର୍ଷ ବି ଦଶହରା ନିରାଡମ୍ଵର ଭାବେ ପାଳନ ହେଉଥିଲେ ମଧ୍ୟ ନୂଆରଙ୍ଗରେ ସଜେଇ ହୋଇଛି ରାଜ୍ୟର ବିଭିନ୍ନ ପୂଜାମଣ୍ଡପ।

କଟକର ଦୁର୍ଗାପୂଜା ସାରା ରାଜ୍ୟରେ ପ୍ରସିଦ୍ଧ। ହଜାରେ ବର୍ଷ ପୁରୁଣା ଏହି ସହରରେ ମା’ଙ୍କ ପୂଜାକୁ ଖୁବ୍ ଧୁମ୍‌ଧାମ୍‌ରେ ପାଳନ କରାଯାଏ। ଚିକିମିକି ଆଲୋକ ସଜାକୁ ସୁଉଚ୍ଚ ତୋରଣରେ କଟକର ଶୋଭା ଆହୁରି ବଢ଼ିଯାଏ। ସୁନାରୁପା ତାରକସୀର ମେଢ଼ରେ ସଜେଇ ହୋଇଥାନ୍ତି ମା’ ଦୁର୍ଗା। ହେଲେ କରୋନା ପାଇଁ ୨ ବର୍ଷ ହେଲା କଟକରେ ଦଶହରା ଫିକା ପଡ଼ିଯାଇଛି। ନା ଅଛି ସାଜସଜା ନା ତୋରଣ। କେବଳ ପରମ୍ପରା ରକ୍ଷା ନିମନ୍ତେ ମଣ୍ଡପରେ ଦେବୀ ଆରାଧନା ହେଉଛି।କଟକ ପରେ ରାଜଧାନୀ ଭୁବନେଶ୍ଵରରେ ମଧ୍ୟ ଦୁର୍ଗା ପୂଜାକୁ ଧୁମ୍‌ଧାମ୍‌ରେ ପାଳନ କରାଯାଏ। ବିଶେଷ କରି ଦୁର୍ଗା ପୂଜାରେ ବଡ଼ ବଡ଼ ତୋରଣ ରାଜଧାନୀର ଶୋଭାକୁ ଦ୍ଵିଗୁଣିତ କରିଦିଏ। କିନ୍ତୁ କରୋନା କଟକଣା ପାଇଁ ସବୁ ଫିକା।

ଅନ୍ୟପଟେ ସରକାର ମା’ଙ୍କ ମୂର୍ତ୍ତିର ଉଚ୍ଚତାକୁ ମଧ୍ୟ ୪ ଫୁଟ ମଧ୍ୟରେ ନିର୍ମାଣ କରିବାକୁ ନିୟମ କରିଛନ୍ତି। ଏଥିସହ ମଣ୍ଡପକୁ ତିନିପଟୁ ଢାଙ୍କି ପୂଜାର୍ଚ୍ଚନା କରାଯାଉଛି। ତେଣୁ ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ କରିପାରିବେ ନାହିଁ।

LEAVE A REPLY

Please enter your comment!
Please enter your name here