ଓଡ଼ିଶାଲାଇଭ୍ ବ୍ୟୁରୋ

ଏଥର ଦଶହରାରେ ରାଜ୍ୟବାସୀ ପାଇବେ ପାରମ୍ପରିକ ସୁସ୍ଵାଦୁ ଓଡ଼ିଆ ପିଠାର ସ୍ଵାଦ। ଶାରଦୀୟ ଦୁର୍ଗା ପୂଜାକୁ ଦୃଷ୍ଟିରେ ରଖି ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ(ଓଟିଡିସି) ପକ୍ଷରୁ ରାଜଧାନୀ ଭୁବନେଶ୍ୱର ସମେତ କଟକ ଏବଂ ସମ୍ବଲପୁରର ବିଭିନ୍ନ ସ୍ଥାନରେ ‘ପିଠା ଅନ୍ ହ୍ୱିଲ’ଓ ପିଠା କାଉଣ୍ଟରର ଶୁଭାରମ୍ଭ ହୋଇଛି। ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ଏହି କାଉଣ୍ଟରଗୁଡ଼ିକରେ ବିଭିନ୍ନ ପ୍ରକାର ସୁସ୍ଵାଦୁ ଓଡ଼ିଆ ପିଠା ଉପଲବ୍ଧ ହେବ। ଏଥିସହିତ ଓଟିଡିସି ପରିଚାଳିତ ଭୁବନେଶ୍ଵରର ‘ନିମନ୍ତ୍ରଣ’ରେଷ୍ଟୁରାଣ୍ଟରେ ମଧ୍ୟ ଦଶହରା ପାଇଁ ସ୍ଵତନ୍ତ୍ର ଓଡ଼ିଆ ବ୍ୟଞ୍ଜନ ପ୍ରସ୍ତୁତ ହୋଇଛି।

ମଙ୍ଗଳବାର ଭୁବନେଶ୍ୱରସ୍ଥିତ ପାନ୍ଥନିବାସ ପରିସରରେ ଏହି କାର୍ଯ୍ୟକ୍ରମକୁ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଉଦଘାଟନ କରି ସମସ୍ତଙ୍କୁ ଶାରଦୀୟ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ସେ କହିଥିଲେ ଯେ, ଦଶହରା ହେଉଛି ଅସତ୍ୟ ଉପରେ ସତ୍ୟର ବିଜୟର ପର୍ବ। ତେବେ ମହାମାରୀର ଏହି ଘଡ଼ିସନ୍ଧି ବେଳାରେ କୋଭିଡ୍ ଗାଇଡଲାଇନକୁ ମାନି ସମସ୍ତେ ଘରେ ରହି ପବିତ୍ର ଦୁର୍ଗା ପୂଜା ପାଳନ କରିବା ଏବଂ କରୋନା ରୂପକ ବିପଦକୁ ସମସ୍ତେ ମିଳିତ ଭାବେ ଦୂରେଇ ଦେଇପାରିବା।“ଓଟିଡିସି ଦ୍ୱାରା ରଜ ମହୋତ୍ସବ ସମୟରେ ‘ପିଠା ଅନ୍ ହ୍ୱିଲ’କାର୍ଯ୍ୟକ୍ରମ ମାଧ୍ୟମରେ ପିଠା ବିକ୍ରିକୁ ଲୋକେ ବେଶ୍ ପସନ୍ଦ କରିଥିଲେ। ପିଠା ବିକ୍ରିର ସଫଳତା ଓ ଲୋକମାନଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ଓଟିଡିସି ଦଶହରା ପୂଜାରେ ବି ପିଠା ବିକ୍ରି କରିବାକୁ ନିଷ୍ପତ୍ତି ନେଇଛି। ଭୁବନେଶ୍ୱର, କଟକ ଓ ସମ୍ବଲପୁର ପାନ୍ଥନିବାସ ସମେତ ଭୁବନେଶ୍ୱର ନିମନ୍ତ୍ରଣ ରେଷ୍ଟୁରାଣ୍ଟ, କଟକର ସିଲିଭରସିଟି ବୋଟ୍ କ୍ଲବରେ ସ୍ୱତନ୍ତ୍ର କାଉଣ୍ଟରମାନ ଖୋଲାଯାଇ ଏହି ପିଠା ବିକ୍ରି ଆରମ୍ଭ ହୋଇଛି। ଏହାସହିତ ପୂର୍ବାହ୍ନରେ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକ ଓ ଅପରାହ୍ନରେ ପଟିଆ ଛକଠାରେ ଏବଂ କଟକର ସିଲିଭରସିଟି ବୋଟ କ୍ଲବ ଓ ସିଡିଏ ଠାରେ ‘ପିଠା ଅନ୍ ହ୍ୱିଲ’ମାଧ୍ୟମରେ ବି ପିଠା ଯୋଗାଇ ଦିଆଯିବ”, କହିଥିଲେ ଓଟିଡିସି ପରିଚାଳନା ନିର୍ଦ୍ଦେଶକ ତଥା ରାଜ୍ୟ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ।ସେହିପରି ଓଟିଡିସି ଜେନେରାଲ ମ୍ୟାନେଜର ଶାନ୍ତନୁ ମହାନ୍ତି କହିଥିଲେ ଯେ, ଏଥର ଦଶହରା ପୂଜାର ୪ଦିନ ଆରିଷା ପିଠା, କାକରା, ଭଜା ମଣ୍ଡା, ସିଝା ମଣ୍ଡା, କ୍ଷୀରଗଜା, ଲବଙ୍ଗଲତା, ଛେନାପୋଡ଼, ପୋଡ଼ ପିଠା ପ୍ରସ୍ତୁତ କରି ବିକ୍ରି କରାଯିବ। ଓଟିଡିସିର ନିଜସ୍ୱ ରେଷ୍ଟୁରାଣ୍ଟ ‘ନିମନ୍ତ୍ରଣ’ରେ ମଧ୍ୟ ଦଶହରା ପାଇଁ ବିଭିନ୍ନ ପ୍ରକାରର ପାରମ୍ପରିକ ଓଡ଼ିଆ ବ୍ୟଞ୍ଜନ ପ୍ରସ୍ତୁତ ହେଉଛି। ନିମନ୍ତ୍ରଣରେ ଓଡ଼ିଆ ‘ପିଠା’ମଧ୍ୟ ଉପଲବ୍ଧ ହେବ। ଏଥିସହିତ ସହିତ ବୁଟ ଡାଲି ବରା ଓ ପାତାଳଘଣ୍ଟା ଚଟନୀ, ନିମନ୍ତ୍ରଣ ଚିକେନ କୋଫ୍ତା ପୋଡ଼ା, ନିମନ୍ତ୍ରଣ ମଶରୁମ୍ କୋଫ୍ତା ପୋଡ଼ା, ମଟନ କୋଫ୍ତା, ସୋରିଷ ବଟା ଫିସ୍ ଫିଙ୍ଗର, ପତ୍ର ପୋଡ଼ା ମଶରୁମ୍, ପ୍ରନ୍ ଛେଚା, ବାଲି ପ୍ରନ୍, କାକରା-ଘୁଗୁନି, ପାମ୍ପଡି ଚାଟ୍, ବରା- ଘୁଗୁନି, ଦହିବରା ଆଦି ସ୍ପେଶାଲ ବ୍ୟଞ୍ଜନ ଉପଲବ୍ଧ ହେବ।

ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଓଟିଡିସିର ବରିଷ୍ଠ ପଦାଧିକାରୀଙ୍କ ସମେତ ଭୁବନେଶ୍ୱର ପାନ୍ଥନିବାସର କର୍ମଚାରୀମାନେ ଉପସ୍ଥିତ ଥିଲେ।

Comment