ଓଡ଼ିଶାଲାଇଭ୍ ବ୍ୟୁରୋ

ପୂଜାମଣ୍ଡପରେ ଚାଲିଛି ମହାମାୟୀଙ୍କ ମହାଷ୍ଟମୀ ପୂଜା। ହେଲେ କରୋନା ପାଇଁ ଗତଥର ପରି ଏବର୍ଷ ବି ସବୁ ଫିକା। ସିଲଭର୍‌ସିଟି କଟକରୁ ସ୍ମାର୍ଟସିଟି ଭୁବନେଶ୍ୱର ପର୍ଯ୍ୟନ୍ତ ସବୁଠି ପୂଜାମଣ୍ଡପ ଖାଁ ଖାଁ ପଡ଼ିଛି। ସରକାରଙ୍କ କୋଭିଡ୍ ଗାଇଡଲାଇନ୍ ଅନୁସାରେ କେବଳ ପୂଜା କମିଟିର ସୀମିତ ସଦସ୍ୟଙ୍କୁ ନେଇ ମଣ୍ଡପରେ ମା’ଙ୍କ ଅଷ୍ଟମୀ ପୂଜା ଚାଲିଛି।

ଆଜି ଭଳି ଦିନରେ ପ୍ରତିଟି ପୂଜା ମଣ୍ଡପ ଘଣ୍ଟଘଣ୍ଟା ଓ ପଣ୍ଡିତଙ୍କ ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ହେଉଥାନ୍ତା। ଅଷ୍ଟମୀ ପୂଜା ପାଇଁ ମଣ୍ଡପରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମିଥାନ୍ତା। କିନ୍ତୁ କରୋନା ପାଇଁ ସବୁ ନିରାଡମ୍ଵର ଭାବେ ହେଉଛି। ମହିଳାମାନେ ଘରେ ରହି ଅଷ୍ଟମୀ ବ୍ରତ ପୂଜା କରୁଛନ୍ତି। କରୋନା ପାଇଁ ଏଥର ପୂଜାମଣ୍ଡପରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ପାଇଁ ବାରଣ ହୋଇଥିଲେ ହେଁ ଘରେ ରହି କିଭଳି ଦର୍ଶନ ହୋଇପାରିବ ସେଥିପାଇଁ କେତେକ କମିଟି ସ୍ଵତନ୍ତ୍ର ଆୟୋଜନ କରିଛନ୍ତି। ଫେସ୍‌ବୁକ୍‌, ୟୁଟ୍ୟୁବ୍ ଏବଂ ବିଭିନ୍ନ ସାଇଟ୍‌ରେ ମା’ଙ୍କ ପୂଜାର ଲାଇଭ୍ କରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନର ସୁବିଧା ଦେଉଛନ୍ତି। କଟକ ଚଣ୍ଡୀ ରୋଡ୍ ଶେଖ୍ ବଜାର ପୂଜା କମିଟି ପକ୍ଷରୁ ଫେସ୍‌ବୁକ୍ ଲାଇଭ୍ ଜରିଆରେ ମଣ୍ଡପରେ ମା’ଙ୍କ ପ୍ରତିଟି ପୂଜାର୍ଚ୍ଚନାକୁ ଶ୍ରଦ୍ଧାଳୁମାନେ ଘରେ ବସି ଦେଖିପାରୁଛନ୍ତି।

ପୂଜାମଣ୍ଡପରେ ଆଜି ମା’ଙ୍କ ମହାଷ୍ଟମୀ ପୂଜା ଚାଲିଥିବା ବେଳେ ଦେବୀପୀଠରେ ମହାନବମୀ ପୂଜା କରାଯାଉଛି। ଷୋଡ଼ଶ ଉପଚାରରେ ମା’ଙ୍କ ପୂଜାର୍ଚ୍ଚନା ହେଉଛି।

Comment