ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶାରଦୀୟ ଦୁର୍ଗା ପୂଜାର ଅନ୍ତିମ ପର୍ବ ବିଜୟା ଦଶମୀ ଆଜି ନିରାଡ଼ମ୍ବର ଭାବେ ପାଳନ କରାଯାଇଛି। କୋଭିଡ୍‌ କଟକଣା ପାର୍ବଣକୁ ଫିକା କରିଦେଇଛି। ବିଧି ରକ୍ଷା ପାଇଁ ପୂଜାର୍ଚ୍ଚନା ଶେଷ ହୋଇଛି। ମା’ଙ୍କୁ ମେଲାଣି ଦେବା ପାଇଁ କଟକ ଓ ଭୁବନେଶ୍ୱରରେ ପ୍ରସ୍ତୁତି ଆରମ୍ଭ ହୋଇଛି। କୋଭିଡ୍‌ କଟକଣା ଭିତରେ ଭସାଣ ଉତ୍ସବ ଆୟୋଜନ କରାଯାଉଥିଲେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ମା’ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ଲାଗି କଟକରେ ଏଥର ୬ଟି ଅସ୍ଥାୟୀ ପୋଖରୀ କରାଯାଇଛି। ଦେବୀଗଡ଼ା, ଚହଟା, ଯୋବ୍ରା ମ୍ୟୁଜିୟମ ନିକଟ, କାର୍ତ୍ତିକେଶ୍ୱର ଗଡ଼, ଘାଟକୂଳ ଆଦି ସ୍ଥାନରେ ମୂର୍ତ୍ତି ବିସର୍ଜନ ପାଇଁ ବ୍ୟବସ୍ଥା କରାଯାଇଛି। ପର୍ଯ୍ୟାୟକ୍ରମେ ସନ୍ଧ୍ୟା ୬ଟା ସୁଦ୍ଧା ବିସର୍ଜନ ପ୍ରକ୍ରିୟା ଶେଷ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ରହିଛି। ଆସନ୍ତାକାଲି ଯେଉଁ ମୂର୍ତ୍ତି ବିସର୍ଜନ ହୋଇ ନପାରିବ ସେସବୁକୁ ୧୭ ତାରିଖରେ ବିସର୍ଜନ କରାଯିବ।

ଭସାଣ ଉତ୍ସବକୁ ଦୃଷ୍ଟିରେ ରଖି କମିସନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। କଟକରେ ୩୨ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯିବ। ସେହିପରି ଭୁବନେଶ୍ୱରରେ ମୂର୍ତ୍ତି ବିସର୍ଜନ ପାଇଁ ୫ଟି ସ୍ଥାନ ଚିହ୍ନଟ କରାଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୧୯ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ପୋଲିସ କର୍ମୀମାନେ ବିଭିନ୍ନ ରାସ୍ତା ଏବଂ ସମ୍ବେଦନଶୀଳ ଛକରେ ମୁତୟନ ରହିବେ।

କୋଭିଡ୍‌ କଟକଣା ପାଇଁ ଏଥର ଭସାଣ ଉତ୍ସବ ମଧ୍ୟ ଜାକଜମକରେ ହେବ ନାହିଁ। ବାଜା, ବାଣ ରୋଷଣି ହେବ ନାହିଁ ବୋଲି ପୂର୍ବରୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି।

Comment