ଓଡ଼ିଶାଲାଇଭ୍ ବ୍ୟୁରୋ

covid testing centers-2ରାଜଧାନୀ ଭୁବନେଶ୍ଵରରେ କରୋନା କେସ୍ କମିବାର ନାଁ ଧରୁନାହିଁ। ଏବେ ବି ସେଠାରୁ ଦୈନିକ ୧୫୦ରୁ ଅଧିକ କୋଭିଡ ମାମଲା ବାହାରୁଛି, ଯାହାକୁ ନେଇ ଚିନ୍ତାରେ ପଡ଼ିଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି)। ଏଣୁ ଭୁବନେଶ୍ଵରର ବ୍ୟସ୍ତବହୁଳ ରାସ୍ତା ଏବଂ ଡାକ୍ତରଖାନାରେ ଲୋକଙ୍କଠାରେ ଆକସ୍ମିକ କୋଭିଡ ପରୀକ୍ଷା ଆରମ୍ଭ କରିବାକୁ ନିଷ୍ପତ୍ତି ବିଏମ୍‌ସି ନେଇଛି। ଖୁବ୍ ଶୀଘ୍ର ଏହି ପ୍ରକ୍ରିୟା ଆରମ୍ଭ ହେବାନେଇ ବିଏମ୍‌ସି ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇଛନ୍ତି।

“ରାଜ୍ୟରେ ଦୈନିକ କୋଭିଡ ସଂକ୍ରମଣ ମାମଲାର ଅଧିକାଂଶ ଖୋର୍ଦ୍ଧା ଜିଲ୍ଲାରୁ ରହୁଛି। ବିଶେଷକରି ଭୁବନେଶ୍ୱରରୁ ସବୁଠାରୁ ଅଧିକ ମାମଲା ରିପୋର୍ଟ କରାଯାଉଛି। ଏଣୁ ଆମେ ଦୈନିକ କୋଭିଡ ପରୀକ୍ଷା ବୃଦ୍ଧି କରିବାକୁ ଏବଂ ଅଧିକ ନମୁନା ସଂଗ୍ରହ କରିବାକୁ ଯୋଜନା କରୁଛୁ। ଏଥିଲାଗି ବିଏମ୍‌ସି ପକ୍ଷରୁ ଦୈନିକ ଆକସ୍ମିକ କୋଭିଡ ପରୀକ୍ଷା କରାଯିବ। ଭେଣ୍ଡିଂ ଜୋନ୍, ଦୈନିକ ବଜାର ଏବଂ ମଲ୍‌ରେ ଲୋକଙ୍କ କୋଭିଡ ପରୀକ୍ଷା ହେବ। ଏହା ବ୍ୟତୀତ ସହରର ଡାକ୍ତରଖାନାକୁ ଆସୁଥିବା ଲୋକମାନଙ୍କର ବି ପରୀକ୍ଷା ହେବ”, କହିଛନ୍ତି ବିଏମ୍‌ସି ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ।ବିଏମ୍‌ସିର ଏହି ନିଷ୍ପତ୍ତିକୁ ସ୍ୱାଗତ କରି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ କହିଛନ୍ତି ଯେ, ରୋଗୀ ଏବଂ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଉପରେ ମଧ୍ୟ ଏହି ପରୀକ୍ଷା କରାଯିବା ଉଚିତ୍।

Comment