ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି। ଏହି ପର୍ବ ହେଉଛି ଆନନ୍ଦ, ଆଲୋକ ଏବଂ ଉଜ୍ଜ୍ୱଳତାର ପର୍ବ। ଏହି ଦିନ ପରସ୍ପରକୁ ଉପହାର ଭେଟି ଦେଇ ଲୋକେ ଦୀପାବଳିର ଶୁଭେଚ୍ଛା ଜଣାନ୍ତି। କ’ଣ ଆପଣ ବି ଏହି ଦୀପାବଳିରେ ପ୍ରିୟଜନଙ୍କୁ କିଛି ଉପହାର ଦେବାକୁ ଭାବୁଛନ୍ତି? ତାହେଲେ ଆପଣଙ୍କ ପାଇଁ ଭୁବନେଶ୍ୱରସ୍ଥିତ ବକୁଳ ଫାଉଣ୍ଡେସନ ଏକ ନିଆରା ପ୍ରୟାସ କରିଛି। ଫାଉଣ୍ଡେସନ ପକ୍ଷରୁ ଏକ ସ୍ୱତନ୍ତ୍ର ଦୀପାବଳି ପ୍ୟାକେଟ୍‌ କରାଯାଇଛି, ଯାହାକୁ ଆପଣ ଆପଣଙ୍କ ପ୍ରିୟଲୋକଙ୍କୁ ଉପହାର ଦେଇପାରିବେ। ଏଥିରେ ଆପଣ ସୁନ୍ଦର ଫୁଲଗଛ, ଔଷଧୀୟ ଗଛ ସହିତ ରଙ୍ଗୀନ ଦୀପ ଓ ହାତ ତିଆରି ଚକଲେଟ୍‌ ପାଇପାରିବେ।

ଏହି ଉପହାର ପ୍ୟାକେଟ୍‌କୁ ଅଧିକ ଆକର୍ଷଣୀୟ କରିବା ପାଇଁ ଫାଉଣ୍ଡେସନର ସ୍ୱେଚ୍ଛାସେବୀମାନେ ନିଜେ ଏହାକୁ ସଜାଉଛନ୍ତି। ଦୀପଗୁଡ଼ିକୁ ନିଜେ ରଙ୍ଗତୂଳୀରେ ରଙ୍ଗ ଦେବା ସହିତ ଚକଲେଟ୍ ମଧ୍ୟ ତିଆରି କରୁଛନ୍ତି।

ଦୀପାବଳି ପାଳନ କରିବାକୁ ଲୋକେ ବାଣ ଫୁଟାନ୍ତି। ଏହାଦ୍ୱାରା ପରିବେଶ ପ୍ରଦୂଷଣ ହୋଇଥାଏ। ଏହା ମଣିଷଙ୍କ ସମେତ ଜୀବଜନ୍ତୁଙ୍କୁ ମଧ୍ୟ କ୍ଷତି ପହଞ୍ଚାଇଥାଏ। ତେଣୁ ଏକ ସବୁଜ ଦୀପାବଳି ବା ପରିବେଶ ଅନୁକୂଳ ଦୀପାବଳି ବାର୍ତ୍ତା ଦେବାକୁ ଯାଇ ବକୁଳ ଫାଉଣ୍ଡେସନ ପକ୍ଷରୁ ଏଭଳି ପ୍ରୟାସ କରାଯାଇଛି।

ବକୁଳ ଫାଉଣ୍ଡେସନର ମୁଖ୍ୟ ସୁଜିତ ମହାପାତ୍ରଙ୍କ କହିବା କଥା ଏଭଳି ପରିକଳ୍ପନା ପଛରେ ବହୁ ଉଦ୍ଦେଶ୍ୟ ରହିଛି। ପ୍ରଥମ କଥା ହେଉଛି ଗୋଟିଏ ଛୋଟ ପଦକ୍ଷେପ ଦ୍ୱାରା ଏକ ବଡ଼ ପରିବର୍ତ୍ତନ ଲାଗି ସୁଯୋଗ ସୃଷ୍ଟି କରିବା।ଦ୍ଵିତୀୟ କଥା ହେଉଛି ସହରାଞ୍ଚଳର ଲୋକମାନେ ପରିବେଶ ସୁରକ୍ଷା ପ୍ରତି ବିଶେଷ ଗୁରୁତ୍ୱ ଦେଉନାହାନ୍ତି। ତେଣୁ ସହରବାସୀଙ୍କ ମନରେ ପରିବେଶ ପ୍ରତି ସଚେତନା ଆଣିବା ଏହାର ଅନ୍ୟ ଏକ ଉଦ୍ଦେଶ୍ୟ।

‘‘ଦୀପାବଳି ହେଉଛି ଅନ୍ଧାର ଉପରେ ଆଲୋକର ବିଜୟ। ଏହି ଭାବନାକୁ ଆମେ ପାଳନ କରିବା ଦରକାର। ତେଣୁ ବାଣ ଫୁଟାଇ ପରିବେଶକୁ ପ୍ରଦୂଷଣ କରିବା ପରିବର୍ତ୍ତେ ବୃକ୍ଷରୋପଣ କରିପାରିଲେ ଆମ ପରିବେଶ ସୁରକ୍ଷିତ ରହିବ। ତାହା ହିଁ ଆମ ପାଇଁ ହେବ ଅସଲ ଦୀପାବଳି’’, କହନ୍ତି ସୁଜିତ ମହାପାତ୍ର।

ବୃକ୍ଷରୋପଣକୁ ପ୍ରୋତ୍ସାହିତ କରିବା ପାଇଁ ୨୦୦୯ରୁ ବକୁଳ ଫାଉଣ୍ଡେସନ କାର୍ଯ୍ୟ କରୁଛି। ବିଭିନ୍ନ ସମୟରେ ପରିବେଶ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରୁଛି। ସେହିପରି ଜନ୍ମଦିନ, ବିବାହ ଉତ୍ସବ ଆଦିରେ ଗଛ ଉପହାର ସଂସ୍କୃତିକୁ ଫାଉଣ୍ଡେସନ ପ୍ରୋତ୍ସାହିତ କରିବା ପାଇଁ କାର୍ଯ୍ୟ କରୁଛି।

ଭୁବନେଶ୍ଵରର ସତ୍ୟନଗରଠାରେ ଥିବା ବକୁଳ ଫାଉଣ୍ଡେସନର ନାଁ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିଷ୍ଠିତ ବକୁଳ ବନବିଦ୍ୟାଳୟରୁ ଆସିଛି। ବକୁଳ ଫାଉଣ୍ଡେସନର ଏହି ନିଆରା ଢଙ୍ଗର କାମ ପାଇଁ ତାହାକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି।

ଆପଣ ଏହି ଗଛ ଉପାହାର ନିଜର ପ୍ରି୍ୟଜନଙ୍କୁ ଦେବରକୁ ଚାହୁଁଥିଲେ ୭୦୭୭୩୪୭୨୫୬ ନମ୍ବରରେ ଯୋଗାଯୋଗ କରିପାରିବେ। ଏହାଛଡ଼ା Contactbakul@gmail.comରେ ଯୋଗାଯୋଗ କରିପାରିବେ।

Comment