ଓଡ଼ିଶାଲାଇଭ୍ ବ୍ୟୁରୋ

ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଏମଏମଭି ବା ମୋବାଇଲ୍ ମେଡିକାଲ ଭ୍ୟାନଗୁଡ଼ିକୁ ନିୟୋଜିତ କରାଯାଉଛି। ଜିଲ୍ଲାର ସମସ୍ତ ପଞ୍ଚାୟତ ଏବଂ ବିଭିନ୍ନ ଅପହଞ୍ଚ ସ୍ଥାନରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ କାର୍ଯ୍ୟ କରୁଥିବା ଏମଏମଭି ଏହି ଦୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ରାଉରକେଲା ମହାନଗର ନିଗମର ବିଭିନ୍ନ ବସ୍ତି ଅଞ୍ଚଳ ସହିତ ୧୦ଟି ବ୍ଲକର ବିଭିନ୍ନ ସ୍ଥାନକୁ ଯାଇ ଏହି ଏମଏମଭି ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା ୪୪ ହଜାର ୨୮୮ ଜଣଙ୍କୁ ଟିକା ଦିଆଯାଇଛି।

ସୁନ୍ଦରଗଡ଼ ଜିଲ୍ଲାରେ କୋଭିଡ୍ ଟିକାକରଣ ପାଇଁ ବିଭିନ୍ନ ଟିକାଦାନ କେନ୍ଦ୍ର କରାଯାଇଛି। ୧୮-୪୪ ବର୍ଷ, ୪୫ରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତିମାନେ କୋ-ୱିନ୍ ପୋର୍ଟାଲରେ ପଞ୍ଜୀକରଣ କରିବା ସହ ସ୍ଲଟ୍ ବୁକ୍ କରି ନିଜ ପାଳି ଅନୁସାରେ ନିର୍ଦ୍ଧାରିତ କେନ୍ଦ୍ରକୁ ଆସି ଟିକା ନେଉଛନ୍ତି। ମୁଖ୍ୟତଃ ଜିଲ୍ଲାର ଗ୍ରାମାଞ୍ଚଳର ହିତାଧିକାରୀଙ୍କ ପାଖରେ ଏହି ସେବା ପହଞ୍ଚାଇବା ପାଇଁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ପ୍ରଦାନ କରୁଥିବା ଏମଏମଭିଗୁଡ଼ିକୁ ବ୍ୟବହାର କରାଯାଉଛି।ଯେଉଁମାନେ ବିଭିନ୍ନ କାରଣରୁ ନିର୍ଦ୍ଧାରିତ ଟିକାକରଣ କେନ୍ଦ୍ରକୁ ଆସିପାରୁ ନାହାନ୍ତି ସେମାନଙ୍କ ପାଇଁ ଏହି ସେବା ବିଶେଷ ସୁବିଧାଜନକ ହୋଇପାରିଛି। ମୁଖ୍ୟତଃ ଗ୍ରାମାଞ୍ଚଳର ଅନେକ ବୟସ୍କ ବ୍ୟକ୍ତି, ମହିଳା ଓ ଭିନ୍ନକ୍ଷମ ହିତାଧିକାରୀମାନେ ନିଜ ଘର ପାଖରେ ଏମଏମଭି ଜରିଆରେ କରାଯାଉଥିବା ଅସ୍ଥାୟୀ ଟିକାଦାନ କେନ୍ଦ୍ରକୁ ଆସି କୋଭିଡ୍ ଟିକା ନେଇ ପାରୁଛନ୍ତି। ଫଳରେ ଜିଲ୍ଲାରେ କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବା ସହ ବିଭିନ୍ନ ଅପହଞ୍ଚ ସ୍ଥାନରେ ଏହି ସେବା ପହଞ୍ଚିବା ସମ୍ଭବ ହୋଇପାରିଛି।“ଆମ ଗାଁଠାରୁ ଟିକାକରଣ କେନ୍ଦ୍ର ଦୂର ହେଉଥିବାରୁ ମୁଁ ଟିକା ନେବାକୁ ଯାଇପାରି ନଥିଲି। ଏବେ ଆମ ଗାଁରେ କ୍ୟାମ୍ପ କରି ଟିକା ଦିଆଯାଉଥିବାରୁ ମୁଁ ବହୁତ ଖୁସି। ମୁଁ ସେଠାରେ ଟିକା ନେଇଛି’’, କହିଛନ୍ତି ବିଶ୍ରା ବ୍ଲକ୍ ଟାଙ୍ଗରପାଲି ଗ୍ରାମର ପାର୍ବତୀ ମୁର୍ମୁ।

“ମୋବାଇଲ ମେଡିକାଲ ଭ୍ୟାନ ଜରିଆରେ ସୁନ୍ଦରଗଡ଼ ଜିଲ୍ଲାର ଗ୍ରାମାଞ୍ଚଳର ଲୋକମାନଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ତା’ସହିତ ଆମେ ଗତ କିଛି ମାସ ହେଲା ବିଭିନ୍ନ ସ୍ଥାନକୁ ଯାଇ କୋଭିଡ୍ ଟିକାକରଣ କରୁଛୁ। ହିତାଧିକାରୀମାନେ କିଭଳି ସୁବିଧାରେ କୋଭିଡ୍ ଟିକା ନେଇପାରିବେ ସେଥିପାଇଁ ଏଭଳି ପଦକ୍ଷେପ ନିଆଯାଇଛି,” କହିଛନ୍ତି ଏମଏମଭିରେ କାର୍ଯ୍ୟ କରୁଥିବା ଜଣେ ଡାକ୍ତର ଜନ୍ମେଜୟ ପାତ୍ର।୨୦୨୧ ଏପ୍ରିଲ ମାସରୁ ବର୍ତ୍ତମାନ ସୁଦ୍ଧା ଜିଲ୍ଲାର କୋଇଡ଼ା, ରାଜଗାଙ୍ଗପୁର, ଲେଫ୍ରିପଡା, ଲହୁଣୀପଡ଼ା, ବଣାଇଁ, ନୁଆଗାଁ, କୁଆରମୁଣ୍ଡା, ସୁନ୍ଦରଗଡ଼ ସଦର, ସବଡେଗା ଏବଂ ବିଶ୍ରା ଆଦି ବ୍ଲକର ବିଭିନ୍ନ ପଞ୍ଚାୟତ ଓ ଗାଁରେ ପହଞ୍ଚି ଏମଏମଭି ଟିମ୍ ଟିକାଦାନ କରୁଛନ୍ତି। ସେହିପରି ରାଉରକେଲା ମହାନଗର ନିଗମ ଅଧୀନରେ ଥିବା କେତେକ ବସ୍ତି ଅଞ୍ଚଳରେ ମଧ୍ୟ ଏମଏମଭି ଜରିଆରେ ଟିକାକରଣ କରାଯାଇଛି। ଏମଏମଭି ଟିମ୍ ଟିକାକରଣ ପାଇଁ କେଉଁ ଗାଁକୁ କେଉଁଦିନ ଯିବ ତାହା ପୂର୍ବରୁ ସ୍ଥିରୀକୃତ କରାଯାଇ ସ୍ଥାନୀୟ ଆଶା ଏବଂ ଅଙ୍ଗନବାଡ଼ି କର୍ମୀଙ୍କ ମାଧ୍ୟମରେ ଲୋକଙ୍କୁ ଜଣାଇ ଦିଆଯାଉଛି।

ଆଶା ଏବଂ ଅଙ୍ଗନବାଡ଼ି କର୍ମୀମାନେ ପୂର୍ବରୁ ସ୍ଥାନୀୟ ଲୋକମାନଙ୍କୁ ଘର ଘର ବୁଲି ଟିକାକରଣ ସମ୍ପର୍କରେ ସୂଚନା ଦେଇଥାନ୍ତି। ସ୍ଥାନୀୟ ଅଞ୍ଚଳର ସ୍କୁଲ ପରିସର କିମ୍ବା ସର୍ବସାଧାରଣ ସ୍ଥାନରେ କ୍ୟାମ୍ପ କରାଯାଇ କୋଭିଡ୍ ଟିକା ଦିଆଯାଉଛି। ଘର ପାଖରେ ସୁବିଧାରେ କୋଭିଡ୍ ଟିକା ଦିଆଯାଉଥିବାରୁ ହିତାଧିକାରୀମାନେ କୋଭିଡ୍ ସତର୍କତା ଭିତରେ ଆଗ୍ରହର ସହ କ୍ୟାମ୍ପକୁ ଆସି ଟିକା ନେଉଛନ୍ତି।ଗ୍ରାମାଞ୍ଚଳରେ ଲୋକଙ୍କ ଘର ପାଖରେ ମାଗଣାରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ମଡେଲରେ ମୋବାଇଲ ମେଡିକାଲ ଭ୍ୟାନ ନିୟୋଜିତ କରାଯାଇଛି। ଜିଲ୍ଲାର ୧୭ଟି ବ୍ଲକ ଲାଗି ମୋଟ ୨୫ଟି ଏମଏମଭି ରହିଛି। ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଆର୍ଥିକ ସହାୟତାକ୍ରମେ ୨୦୧୭ ଏପ୍ରିଲ ୧ରୁ ଏହି ଅଭିନବ ସେବା ଆରମ୍ଭ ହୋଇଥିଲା। ୨୦୨୧ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ୧୫ ଲକ୍ଷ ୫୯ ହଜାର ୯୪୬ ଜଣ ଲୋକ ଏହା ମାଧ୍ୟମରେ ସ୍ୱାସ୍ଥ୍ୟ ସେବା ପାଇ ପାରିଛନ୍ତି।

ଗାଁରୁ ଗାଁକୁ ବୁଲୁଥିବା ପ୍ରତି ଏମଏମଭିରେ ଜଣେ ଡାକ୍ତର, ଜଣେ ଏଏନଏମ, ଜଣେ ଫାର୍ମାସିଷ୍ଟ ନିଯୁକ୍ତ ଅଛନ୍ତି। ଲୋକମାନଙ୍କୁ ମାଗଣାରେ ଚିକିତ୍ସା ପରାମର୍ଶ ଦେବା ସହିତ ବିଭିନ୍ନ ପ୍ରକାରର ପରୀକ୍ଷା କରାଯାଉଛି। ଯେଉଁ ରୋଗୀମାନଙ୍କର ଅତିରିକ୍ତ ଚିକିତ୍ସା ଆବଶ୍ୟକ ସେମାନଙ୍କୁ ଡାକ୍ତରଖାନାକୁ ରେଫର କରାଯାଉଛି। ଏମଏମଭି ଟିମ୍ ଗର୍ଭବତୀ ମହିଳା ଏବଂ ଶିଶୁମାନଙ୍କର ଆବଶ୍ୟକ ଚିକିତ୍ସା ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି।

Comment