ଓଡ଼ିଶାଲାଇଭ ବ୍ୟୁରୋ

ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ନିରପେକ୍ଷ ତଦନ୍ତ ସହ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଦାବିରେ ରାଜଭବନ ଆଗରେ ଅହୋରାତ୍ର ଗଣଧାରଣା ଆରମ୍ଭ କରିଛି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ। ଆଜି ପୂର୍ବାହ୍ନ ୧୧ଟାରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡକ୍ଟର ସ୍ମୃତି ରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ଶତାଧିକ ଯୁବ କଂଗ୍ରେସ କର୍ମୀ ଅହୋରାତ୍ର ଗଣଧାରଣା ଆରମ୍ଭ କରିଛନ୍ତି ।

ଏହି ଅବସରରେ ଯୁବ କଂଗ୍ରେସ ସଭାପତି ଡକ୍ଟର ସ୍ମୃତି ରଞ୍ଜନ ଲେଙ୍କା  କହିଛନ୍ତି, ‘‘ମମିତା ମେହରଙ୍କ ପରିବାରକୁ ନ୍ୟାୟ ପ୍ରଦାନ ସହ ଏହି ହତ୍ୟା ମାମଲାରେ ଯେଉଁମାନେ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ରହିଛନ୍ତି, ସମସ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ହେବା ପର୍ଯ୍ୟନ୍ତ ରାଜଭବନଠାରୁ ରାଷ୍ଟ୍ରପତି ଭବନ ଓ ପର୍ଯ୍ୟନ୍ତ ଆନ୍ଦୋଳନ ବ୍ୟାପକ କରାଯିବ। ଯେହେତୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗୃହରାଷ୍ଟ୍ର ମନ୍ତ୍ରୀ ରହିଛନ୍ତି, ତେଣୁ ପୋଲିସ ଏହି ହତ୍ୟା ମାମଲାରେ ନିରପେକ୍ଷ ତଦନ୍ତ କରିପାରୁନାହିଁ। ତେଣୁ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ।’’

ଯୁବ କଂଗ୍ରେସ ଆସନ୍ତା ୮ ତାରିଖ ଦିନ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିବ ବୋଲି ସେ କହିଛନ୍ତି। ଏ ଭିତରେ ଯଦି ମନ୍ତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯାଏ, ତେବେ ଆସନ୍ତା ୯ ତାରିଖରେ ଯୁବ କଂଗ୍ରେସ ଦିଲ୍ଲୀ ଚଲ୍ଲୋ ଡାକରା ଦେବ । ୧୦ ତାରିଖରେ ଦିଲ୍ଲୀସ୍ଥିତ ଆବାସିକ କମିଶନରଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହ ସ୍ମାରକପତ୍ର ପ୍ରଦାନ କରାଯିବ । ୧୧ ତାରିଖରେ ହଜାର ହଜାର ଯୁବ କଂଗ୍ରେସ କର୍ମୀ ଜନ୍ତରମନ୍ତରଠାରେ ମମିତା ମେହେରକୁ ନ୍ୟାୟ ପ୍ରଦାନ ପାଇଁ ବିକ୍ଷୋଭ ପ୍ରଦର୍ଶନ କରିବେ । ଏଥିସହ ରାଷ୍ଟ୍ରପତିଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯିବ ବୋଲି ଡକ୍ଟର ଲେଙ୍କା କହିଛନ୍ତି।

ଆଜି ରାଜଭବନ ଆଗରେ ଗଣଧାରଣାର ପ୍ରଥମ ଦିନରେ ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ, ଅଖିଳ ଭାରତୀୟ କଂଗ୍ରେସ କମିଟି ସମ୍ପାଦକ ଡ. ବିଶ୍ୱରଞ୍ଜନ ମହାନ୍ତି, ବରିଷ୍ଠ ନେତା ଶରତ ରାଉତ, ବିଧାୟକ ଇଂ. ମହମ୍ମଦ ମୋକିମ, ସୁରେଶ ରାଉତରାୟ, ଅଧିରାଜ ପାଣିଗ୍ରାହୀ, ପୂର୍ବତନ ସାଂସଦ ଅନନ୍ତ ସେଠୀ, ପୂର୍ବତନ ବିଧାୟକ ଚିନ୍ମୟ ବେହୁରା, ସତ୍ୟାନନ୍ଦ ରାଉତ, ମହମ୍ମଦ ଅଲିମ, ରଞ୍ଜିତ ପାତ୍ର, ଆର୍ଯ୍ୟବୀର ଲେଙ୍କା, ସତ୍ୟପ୍ରିୟ ସାମଲ, ବିଶ୍ୱରଞ୍ଜନ ଦାସ, ବୀରେନ ଦଳାଇ, ଜ୍ଞାନଚନ୍ଦ୍ର ଦାସ, ପ୍ରଶାନ୍ତ ମଲ୍ଲିକ, ବିଜୟରାଜ ପାଣିଗ୍ରାହୀ, ଆଶୁତୋଷ ରାଉତ, ଜ୍ଞାନରଞ୍ଜନ ଦାସ, ବିକି ଚକ୍ରବର୍ତୀ, ଜ୍ଞାନେନ୍ଦ୍ର ମହାନ୍ତି, ସ୍ୱାଗତ କର, ପୃଥ୍ୱୀରାଜ ନାୟକ, ଅମ୍ରିତା ଦାସ ପ୍ରମୁଖ ସାମିଲ ହୋଇଥିଲେ।

Comment