କପିଳାସ ଭୂୟାଁ

ଦୀପାବଳି ସରିଗଲା। ଏହା ସହିତ କେବଳ ସରସ୍ଵତୀ ପୂଜାକୁ ଛାଡି ବର୍ଷକର ସର୍ବସାଧାରଣରେ ମୃଣ୍ମୟ ପ୍ରତିମା ପୂଜନ ପରମ୍ପରା ପ୍ରାୟତଃ ଶେଷ ହୋଇଗଲା ବୋଲି କୁହା ଯାଇପାରେ। ପୁଣି ଗଣେଶ ପୂଜାରୁ ଆରମ୍ଭ ହେବ ଆଉ ଗୋଟିଏ ନୂଆ ବର୍ଷ ପାଇଁ ସର୍ବସାଧାରଣ ମଣ୍ଡପ ପୂଜାର ନୂତନ ଯାତ୍ରା।

ସର୍ବସାଧାରଣରେ ମଣ୍ଡପରେ ଦେବୀ ପୂଜା ପରମ୍ପରା ଓଡ଼ିଶାର ନିଜସ୍ଵ ସାଂସ୍କୃତିକ ଧାରା ନୁହେଁ। ଏଠାରେ ମୂଳତଃ ତାନ୍ତ୍ରିକ ପରମ୍ପରା ଅନୁଯାୟୀ ଦେବୀ ପୀଠଗୁଡିକରେ ଦେବୀମାନଙ୍କୁ ପୂଜା କରିବା ପରମ୍ପରା ଥିଲା। ସେହି କ୍ରମରେ ପୁରୀ ନିକଟସ୍ଥ ମା’ ଦକ୍ଷିଣ କାଳୀ ପୀଠ ଅତି ଗୁରୁତ୍ୱପୂର୍ଣ୍ଣ ଓ ଭକ୍ତମାନେ ଏଠାରେ ମା’ କାଳୀଙ୍କୁ ଅତି ପ୍ରତ୍ୟକ୍ଷ ବୋଲି ମଣନ୍ତି।

ହୁଏତ ବ୍ରିଟିଶ ଶାସନ କାଳରେ ବଙ୍ଗାଳୀ ବାବୁମାନେ ପ୍ରଥମେ ରାଜଧାନୀ କଟକରେ ଓ ପରବର୍ତ୍ତୀ କାଳରେ ନୂଆ ରାଜଧାନୀ ଭୂବନେଶ୍ଵରରେ ଏହି ମଣ୍ଡପ ପୂଜା ପରମ୍ପରା ଆରମ୍ଭ କରିଥିବାର ସମସ୍ତ ସମ୍ଭାବନା ରହିଛି।

ଉତ୍ତର ଭାରତରେ ଦୀପାନ୍ଵିତା ଅମାବାସ୍ୟା ତିଥିରେ ଦିୱାଲୀ ଭାବେ ଘରେ ଘରେ ପ୍ରଦୀପ ପ୍ରଜ୍ଜ୍ଵଳନ ସହ ଯେଉଁ ଲକ୍ଷ୍ମୀ ପୂଜା ହୁଏ, ପୂର୍ବ ଭାରତର ପଶ୍ଚିମ ବଙ୍ଗ, ଆସାମ ଓ ଓଡିଶାରେ ସେଭଳି ପରମ୍ପରା ନାହିଁ। ଏହି ପୂର୍ବ ଭୂଖଣ୍ଡରେ ପୁରାତନ ତାନ୍ତ୍ରିକ ପରମ୍ପରାର ପ୍ରଚଳନ ଯୋଗୁ ଏଠାରେ ସେହି ସମାନ ତିଥିରେ ଲକ୍ଷ୍ମୀ ପୂଜା କରା ନଯାଇ କାଳୀ ପୂଜା କାରାଯିବାର ବିଧି ରହିଛି। ଅବଶ୍ୟ ଏହା ପୂର୍ବରୁ ଦୁର୍ଗା ପୂଜା ଶେଷ ହେବା ପରେ କୁମାର ପୂର୍ଣ୍ଣିମାରେ ଆମେ ମା’ ଗଜଲକ୍ଷ୍ମୀ ପୂଜା କରି ସାରିଥାନ୍ତି। ଉଲ୍ଲେଖନୀୟ କି ମା’ ଦୁର୍ଗା ହୁଅନ୍ତୁ କି ମା’ ଲକ୍ଷ୍ମୀ, ସେମାନେ ଶ୍ଵେତାଙ୍ଗୀ ହୋଇଥିବା ବେଳେ ମା’ କାଳୀ ହେଉଛନ୍ତି ଶ୍ୟାମା।

ଆଜିକା ଦିନରେ ସତ୍ୟନଗର ମଶାଣି ନିକଟରେ ଓ ବରମୁଣ୍ଡା ଗାଁରେ ଦୁଇ ଦୁଇଟି କାଳୀ ମନ୍ଦିର ହୋଇ ସାରିଲାଣି। କିନ୍ତୁ ପ୍ରାୟ ପାଞ୍ଚ ଛ’ ଦଶନ୍ଧି ପୂର୍ବରୁ ରାଜଧାନୀ ଭୁବନେଶ୍ଵରରେ ସର୍ବସାଧାରଣ ପୂଜା ଭାବେ କ୍ୟାବିନ ଛକ ବା ରାଜମହଲ ଛକରେ କାଳୀବାଡି ସମିତି ପକ୍ଷରୁ ଦୁର୍ଗା ପୂଜା ଓ କାଳୀ ପୂଜା ଅନୁଷ୍ଠିତ ହେଉଥିଲା। ଅତି ଛୋଟ ବୟସରୁ ଆମେ ସେବେକାର ପିଲାମାନେ କାଳୀ ପୂଜା ପରମ୍ପରା ସହ ଯୋଡି ହୋଇ ପାରିଥିଲୁ।

ଏହାଛଡା ମାଉସୀ ମା’ ମନ୍ଦିର ଅଞ୍ଚଳରେ ଥିବା ରାମକୃଷ୍ଣ ମଠରେ ମଧ୍ୟ କାଳୀ ପୂଜା ହୁଏ। ଏଠାରେ ମା’ କାଳୀଙ୍କ ପୂଜା ରାତି ପ୍ରାୟ ୯ଟା’ରୁ ଆରମ୍ଭ ହୋଇ ପାହାନ୍ତା ପହର ଯାଏ ଚାଲେ, ଓ ଶେଷରେ ଖେଚୁଡ଼ି ଭୋଗ ଖାଇ ଉପବାସ କରିଥିବା ଭକ୍ତମାନେ ନିଜ ନିଜ ଘରକୁ ଯାଆନ୍ତି। ପୂର୍ବରୁ ମୁକ୍ତାକାଶ ପ୍ରାଙ୍ଗଣରେ ମା’ କାଳୀଙ୍କ ପୂଜା କରାଯାଉଥିବା ବେଳେ ଏବେ ସେଠାରେ ଏକ ମଣ୍ଡପ ନିର୍ମାଣ କରି ତା’ ମଧ୍ୟରେ ମା’ କାଳୀଙ୍କୁ ପୂଜା କରାଯାଉଛି।

ପିଲାଦିନେ ମା’ କାଳୀଙ୍କ ରୂପ ଅତି ଭୀଷଣକାୟ ମନେ ହେଉଥିଲା। ବେକରେ ଖପୁରିମାଳ ପକାଇ, ଉର୍ଦ୍ଧ୍ଵତୋଳିତ ହାତରେ ଖର୍ପର ଧରି ଚଣ୍ଡୀଚାମୁଣ୍ଡାଙ୍କ ଗହଣରେ ଗୋଟିଏ ପାଦ ପ୍ରଭୁ ଶିବଙ୍କ ଛାତିରେ ପକାଇ ପାଟିରୁ ବାହାରି ଆସିଥିବା ଲାଲ୍ ଟହଟହ ପ୍ରଲମ୍ବିତ ଜିହ୍ଵାକୁ କାମୁଡି ଧରିଥିବା ଅତିକାୟ ଶ୍ୟାମଳ ବର୍ଣ୍ଣର ମା’ଙ୍କ ପ୍ରତିମା ଗୋଟିଏ ଛୋଟିଆ ପିଲାର ମନରେ ଭୟ ସୃଷ୍ଟି କରିବାକୁ ଯଥେଷ୍ଟ ଥିଲା। ଏଭଳି ଏକ ଦୃଶ୍ୟର ପୃଷ୍ଠଭୂମିରେ ଥିବା ପୌରାଣିକ କଥନିକାରେ ମଧ୍ୟ ବାଳୁତ ମନକୁ ଘାରିଯିବା ପାଇଁ ଥିଲା ସମସ୍ତ ଉପାଦାନ।

ଦୁଷ୍ଟ ଶକ୍ତି ଚଣ୍ଡ-ମୁଣ୍ଡ ବା ଅନ୍ୟ କେତେକ ସ୍ଥଳରେ ବର୍ଣ୍ଣିତ ଶୁମ୍ଭ-ନିଶୁମ୍ଭଙ୍କୁ ବିନାଶ କରିବା ପରେ ସମସ୍ତ ରାକ୍ଷସ କୁଳକୁ ଧ୍ଵଂସ କରି ସାରିବା ବେଳକୁ ମା’ ମହାକାଳୀ ଏପରି ପ୍ରଚଣ୍ଡ ଓ କ୍ଷିପ୍ର ଗତିଶୀଳା ହୋଇଯାଇଥିଲେ ଯେ ସେ ଦେବତାମାନଙ୍କୁ ମଧ୍ୟ ସଂହାର କରିବା ଆରମ୍ଭ କରି ଦେଇଥିଲେ। ମା’ଙ୍କର ସେହି ପ୍ରଚଣ୍ଡ ଗତିକୁ ଅଟକାଇବା ପାଇଁ ସ୍ଵୟଂ ବିଷ୍ଣୁଙ୍କ ନିକଟରେ ମଧ୍ୟ କୌଣସି ସାଧନ ନଥିଲା। ସମସ୍ତ ଦେବତାମାନେ ବିଷ୍ଣୁଙ୍କ ପ୍ରରୋଚନାରେ ସମବେତ ଭାବେ ପ୍ରଭୁ ଶିବଙ୍କୁ ପ୍ରାର୍ଥନା କଲେ। ମା’ କାଳୀ ହେଉଛନ୍ତି ପ୍ରଭୁ ଶିବଙ୍କ ପତ୍ନୀ ପାର୍ବତୀଙ୍କ ଅଂଶ। ଅମାବାସ୍ୟା ରାତିର ଅନ୍ଧାରରେ ପ୍ରଭୁ ଶିବ ମା’ କାଳୀଙ୍କ ରାସ୍ତାରେ ପ୍ରସ୍ତ ଭାବେ ଶୋଇ ରହିଲେ। ଅନ୍ଧାର ରାତିରେ କିଛି ଦିଶୁ ନଥିବା ବେଳେ ମା’ଙ୍କ ଅଜାଣତରେ ତାଙ୍କ ପାଦ ପ୍ରଭୁ ଶିବଙ୍କ ଛାତିରେ ପଡିଲା। ତତକ୍ଷଣାତ ମା’ କାଳୀ ତାହା ଜାଣିବା ପରେ ଚକିତ ହୋଇ ମା’ଙ୍କ ଜିହ୍ଵା ବାହାରକୁ ପ୍ରଲମ୍ବିତ ହୋଇଗଲା ଓ ତାଙ୍କ ଦାନ୍ତ ମଧ୍ୟରେ ଚାପି ହୋଇଗଲା, ଏବଂ ତାଙ୍କ ଗତି ରୋଧ ହେଲା। ତେଣୁ ମା’ ମହାକାଳୀଙ୍କୁ ସେହି ରୂପରେ ହିଁ ପୂଜା କରିବାର ବିଧି ଜାରି ରହିଲା।

ଉଲ୍ଲେଖନୀୟ କି ଲକ୍ଷ୍ମୀ, ସରସ୍ଵତୀଙ୍କ ପରି କୌଣସି ଶ୍ଵେତାଙ୍ଗୀ ଦେବୀମାନଙ୍କର ଏଭଳି କିଛି ବୀରତ୍ଵର ଗାଥା ନଥିଲା ବେଳେ କେବଳ ଦେବୀ ମହାମାୟା ଓ ତାଙ୍କର ଅନ୍ୟ ରୂପ ଶ୍ୟାମାଙ୍ଗୀ କାଳୀଙ୍କର ଏଭଳି ଦକ୍ଷତାର ବର୍ଣ୍ଣନା ଆମ ପୁରାଣଗୁଡିକରେ ରହିଛି।

ଆମ ସାମାଜିକ ପରିବେଶରେ ଗୌରବର୍ଣ୍ଣା ଝିଅମାନଙ୍କୁ ସୁନ୍ଦରୀ ରୂପେ ଯେଉଁ ମର୍ଯ୍ୟାଦା ମିଳେ, ଶ୍ୟାମଳ ଝିଅଙ୍କୁ ସେଭଳି ଗୁରୁତ୍ଵ ଦିଆଯାଏ ନାହିଁ। କିନ୍ତୁ ମା’ କାଳୀଙ୍କୁ ପୂଜା କରିବା ଅବସରରେ ଆମେ ମନେ ରଖିବା ଦରକାର ଯେ ଜଣେ ଝିଅ ଗୌରବର୍ଣ୍ଣା ହୋଇଥାନ୍ତୁ କି ଶ୍ୟାମଳୀ, କେହି କାହା ଠାରୁ କୌଣସି ଗୁଣରେ କମ ନୁହଁ। ବରଂ ସ୍ଥଳ ବିଶେଷରେ ସେମାନେ ପ୍ରତ୍ୟେକ ଯଥେଷ୍ଟ ଶକ୍ତିଶାଳୀ। ମା’ କାଳୀ ରୂପରେ ଶ୍ୟାମଳୀ ଝିଅଟିଏ ବରଂ ଅଧିକ ଶକ୍ତିଶାଳୀ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଓ ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚିତ୍ର ନିର୍ଦ୍ଦେଶକ)  

LEAVE A REPLY

Please enter your comment!
Please enter your name here