ଓଡ଼ିଶାଲାଇଭ୍ ବ୍ୟୁରୋ

  • ତିନୋଟି କେନ୍ଦ୍ର ମାଧ୍ୟମରେ ଚାଲିଛି ମାଗଣାରେ କୋଚିଂ କାର୍ଯ୍ୟକ୍ରମ
  • ଏଯାବତ୍ ୨୪୫ ଜଣଙ୍କୁ ମିଳିଛି ନିଯୁକ୍ତି ସୁଯୋଗ
  • ତିନୋଟି ବ୍ୟାଚର କୋଚିଂ ଶେଷ, ଚତୁର୍ଥ ବ୍ୟାଚ୍ ଲାଗି ନାମଲେଖା

‘‘ପାଠ ପଢ଼ା ସରିବା ପରେ ମୁଁ ଘରେ ରହି ସରକାରୀ ଚାକିରି ପାଇଁ ଆବେଦନ କରୁଥିଲି। ହେଲେ ଏଥିପାଇଁ ଆବଶ୍ୟକ ବିଭିନ୍ନ ପରୀକ୍ଷା ଲାଗି କିପରି ପ୍ରସ୍ତୁତ ହେବାକୁ ପଡ଼ିବ ତାହା ଭଲଭାବେ ଜାଣି ନଥିଲି। ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲିଥିବା ‘ସୁଦକ୍ଷ’ କାର୍ଯ୍ୟକ୍ରମରେ ମାଗଣା କୋଚିଂ ନେଇ ମୁଁ ସଫଳତା ପାଇ ପାରିଛି। ମୁଁ ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାରେ (ଆଇଟିଡିଏ) କନିଷ୍ଠ ରାଜସ୍ୱ ସହାୟକ ଭାବେ ନିଯୁକ୍ତି ପାଇପାରିଛି’’, ଏହା ହେଉଛି ସୁନ୍ଦରଗଡ଼ ଜିଲ୍ଲାର ଜଣେ ଶିକ୍ଷିତ ଯୁବକ ନୁତପ ବେହେରାଙ୍କ କଥା।ସୁନ୍ଦରଗଡ଼ ଜିଲ୍ଲାର ଖଣି ପ୍ରଭାବିତ କୁତ୍ରା ବ୍ଲକ୍ ଅନ୍ତର୍ଗତ ଗଙ୍ଗାଜଳ ଗାଁରେ ନୁତପଙ୍କ ଘର। ତାଙ୍କ ବାପା ଯୁଧିଷ୍ଠିର ବେହେରା ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ। ହେଲେ ଅସୁସ୍ଥତା ଫଳରେ ଏବେ ସେ ଘରେ ଅଛନ୍ତି। ମା’ଉର୍ମିଳା ଜଣେ ଅଙ୍ଗନବାଡ଼ି କର୍ମୀ। ନୁତପଙ୍କ କ୍ୟାରିୟର ସ୍ୱପ୍ନକୁ ବାସ୍ତବ ରୂପ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ସରକାରଙ୍କ ନିଯୁକ୍ତି ଉପଯୋଗୀ ତାଲିମ କାର୍ଯ୍ୟକ୍ରମ ‘ସୁଦକ୍ଷ’।

ନୁତପଙ୍କ ଭଳି ଜିଲ୍ଲାର ଏମିତି ଅନେକ ଶିକ୍ଷିତ ଯୁବକ ଯୁବତୀଙ୍କ କ୍ୟାରିୟର ସ୍ୱପ୍ନ ଆଜି ‘ସୁଦକ୍ଷ’ କାର୍ଯ୍ୟକ୍ରମ ମାଧ୍ୟମରେ ପୂରଣ ହୋଇପାରୁଛି। ୨୦୨୧ ଫେବ୍ରୁଆରି ମାସରୁ ଆରମ୍ଭ ହୋଇଥିବା ସୁନ୍ଦରଗଡ଼ ଜିଲ୍ଲାର ଏହି ବିଶେଷ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅଧୀନରେ ଇତିମଧ୍ୟରେ ୩ଟି ବ୍ୟାଚର କୋଚିଂ କାର୍ଯ୍ୟକ୍ରମ ଶେଷ ହୋଇଛି। ଏଥିଲାଗି ଥିବା ୩ଟି (ସୁନ୍ଦରଗଡ଼, ବଣାଇଁ ଏବଂ ରାଉରକେଲା) କେନ୍ଦ୍ରରୁ ମାଗଣାରେ କୋଚିଂ ନେଇ ୨୪୫ ଜଣ ପ୍ରାର୍ଥୀ ବିଭିନ୍ନ ସରକାରୀ ଓ ଘରୋଇ ସଂସ୍ଥାରେ ନିଯୁକ୍ତି ପାଇପାରିଛନ୍ତି।‘‘ମୋ ପୁଅ ପିଲାବେଳୁ ଭଲ ପାଠ ପଢ଼େ। ଭଲ ଚାକିରିଟିଏ କରିବା ପାଇଁ ତା’ର ସ୍ୱପ୍ନ ଥିଲା। ସରକାରଙ୍କ ‘ସୁଦକ୍ଷ’କାର୍ଯ୍ୟକ୍ରମ ଯୋଗୁଁ ଏବେ ତା’ର ସ୍ୱପ୍ନ ପୂରଣ ହୋଇଛି। ସେ ଚାକିରି ପାଇଥିବାରୁ ଆମ ପରିବାରର ଆର୍ଥିକ ସ୍ଥିତି ମଧ୍ୟ ବଦଳିଛି। ଏଥିପାଇଁ ରାଜ୍ୟ ସରକାର ଏବଂ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନକୁ ମୁଁ ଧନ୍ୟବାଦ ଜଣାଉଛି’’, କହନ୍ତି ନୁତପଙ୍କ ମା’ଉର୍ମିଳା ବେହେରା।

ମାଟ୍ରିକ ପରୀକ୍ଷାରେ ନୁତପ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ସେ ବାଣିଜ୍ୟରେ ସ୍ନାତକ କରିବା ପରେ ଏମବିଏ ପଢ଼ିଥିଲେ। ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସୂଚନା ପାଇ ସେ ସୁନ୍ଦରଗଡ଼ ‘ସୁଦକ୍ଷ’କେନ୍ଦ୍ରରେ ପ୍ରଥମ ବ୍ୟାଚରେ ନାମ ଲେଖାଇଥିଲେ। ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ କମିସନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସୁନ୍ଦରଗଡ଼ସ୍ଥିତ ଆଇଟିଡିଏରେ ଚାକିରି ପାଇଛନ୍ତି। ଆଗାମୀ ଦିନରେ ସେ ନିଜକୁ ପ୍ରସ୍ତୁତ କରି ଉଚ୍ଚ ପଦବୀରେ ନିଯୁକ୍ତି ପାଇଁ ଉଦ୍ୟମ କରିବେ ବୋଲି ନୁତପ କହିଛନ୍ତି।‘‘ଏବେ ବି ମୁଁ ସୁଦକ୍ଷ କେନ୍ଦ୍ର ସହିତ ସମ୍ପର୍କରେ ଅଛି। ବିଭିନ୍ନ ସମୟରେ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସାହାଯ୍ୟ ନେଉଛି। ସୁଦକ୍ଷ ଆପ୍ ମତେ ଆଗକୁ ପ୍ରସ୍ତୁତ କରିବାରେ ସହାୟକ ହେଉଛି। ଆମ ଭଳି ଯୁବକ ଯୁବତୀଙ୍କ କ୍ୟାରିୟର ପାଇଁ ଏହି କାର୍ଯ୍ୟକ୍ରମ ବିଶେଷ ସହାୟକ ହୋଇପାରିଛି’’, କହନ୍ତି ନୁତପ।

+୨ ବା +୩ ପାସ୍ କରିଥିବା ଜିଲ୍ଲାର ଶିକ୍ଷିତ ଯୁବକ ଯୁବତୀଙ୍କୁ ମାଗଣାରେ ନିଯୁକ୍ତି ଉପଯୋଗୀ କୋଚିଂ ଦେବାକୁ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ‘ସୁଦକ୍ଷ’କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏଥିରେ ବ୍ୟାଙ୍କିଙ୍ଗ ଓ ବୀମା, ଷ୍ଟାଫ୍ ସିଲେକ୍ସନ୍, ରେଲୱେ, ଆର୍ମି, ଏୟାରଫୋର୍ସ, ନାଭାଲ୍, ଓଡ଼ିଶା ପୋଲିସ, ଅର୍ଦ୍ଧସାମରିକ ବାହିନୀ ଆଦି କ୍ଷେତ୍ର ଲାଗି ମାଗଣାରେ କୋଚିଂ ଦିଆଯାଉଛି।ପ୍ରାର୍ଥୀମାନେ କିପରି ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ହାସଲ କରିପାରିବେ ସେଥିପାଇଁ ସେମାନଙ୍କୁ ଶ୍ରେଣୀରେ ଗଣିତ ଓ ରିଜନିଂ, ସାଧାରଣ ଜ୍ଞାନ, କମ୍ପ୍ୟୁଟର ଶିକ୍ଷା, ବ୍ୟକ୍ତିତ୍ୱ ବିକାଶ, ଯୋଗାଯୋଗ ଦକ୍ଷତା ଆଦି ବିଷୟରେ ପଢ଼ା ଯାଉଛି। ତା’ସହିତ ନିୟମିତ ସାପ୍ତାହିକ ଟେଷ୍ଟ୍ ଓ ମକ୍ ଇଣ୍ଟରଭ୍ୟୁର ଅଭ୍ୟାସ କରାଯାଉଛି। ବିଭିନ୍ନ ପରୀକ୍ଷା ପାଇଁ ପାଠ୍ୟ ଉପକରଣ ଓ ପୁରୁଣା ପ୍ରଶ୍ନପତ୍ର ମଧ୍ୟ ଯୋଗାଇ ଦିଆଯାଉଛି। ପୋଲିସ ଓ ସାମରିକ ବାହିନୀରେ ଚାକିରି ଆଶାୟୀମାନଙ୍କୁ ଆବଶ୍ୟକ ଶାରୀରିକ ଦକ୍ଷତା ତାଲିମ ଦିଆଯାଉଛି।ଜିଲ୍ଲାର ଖଣି ପ୍ରଭାବିତ କୋଇଡ଼ା, ରାଜଗାଙ୍ଗପୁର, କୁତ୍ରା, ଲହୁଣୀପଡ଼ା, ହେମଗିରି ଓ କୁଆରମୁଣ୍ଡା ବ୍ଲକର ପ୍ରାର୍ଥୀଙ୍କ ସହ ଅନୁସୂଚିତ ଜାତି ଓ ଜନଜାତି ଏବଂ ବିପିଏଲ କାର୍ଡଧାରୀ ପରିବାରର ପିଲାଙ୍କୁ ନାମଲେଖା ବେଳେ ଅଗ୍ରାଧିକାର ଦିଆଯାଉଛି। ପ୍ରାର୍ଥୀମାନଙ୍କୁ ମାଗଣାରେ କୋଚିଂ ସହ ହଷ୍ଟେଲରେ ରହିବା, ଖାଇବା ଏବଂ ୟୁନିଫର୍ମ ସୁବିଧା ମଧ୍ୟ ଯୋଗାଇ ଦିଆଯାଉଛି। ଫଳରେ ଜିଲ୍ଲାର ଗରିବ, ଆଦିବାସୀ ଓ ସାଧାରଣ ପରିବାରର ଶିକ୍ଷିତ ଯୁବକ ଯୁବତୀମାନେ ନିଜର ଦକ୍ଷତା ବିକାଶ କରି ବିଭିନ୍ନ ସରକାରୀ ଓ ଘରୋଇ ସଂସ୍ଥାରେ ଚାକିରି ଲାଗି ସୁଯୋଗ ପାଇପାରୁଛନ୍ତି।

‘ସୁଦକ୍ଷ’କାର୍ଯ୍ୟକ୍ରମ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଆର୍ଥିକ ସହାୟତା ଯୋଗାଇ ଦେଉଥିବା ବେଳେ ନିୟତି ଫାଉଣ୍ଡେସନ ସହଯୋଗୀ ସଂସ୍ଥା ଭାବେ ଏହାର ପରିଚାଳନା ଦାୟିତ୍ୱ ନେଇଛି।

Comment