କପିଳାସ ଭୂୟାଁ

ଚିତ୍ର ମାଧ୍ୟମରେ କାହାଣୀ ବର୍ଣ୍ଣନା କରିବା ଆମ ଦେଶରେ ଏକ ପୁରୁଣା ପରମ୍ପରା। ତାହାର ଏକ ନିଦର୍ଶନ ହେଉଛି ‘ପଟୁଆ ଚିତ୍ରକଳା’। ପ୍ରାୟ ତ୍ରୟୋଦଶ ଶତାବ୍ଦୀଠାରୁ ପ୍ରଚଳିତ ଏହି ଲୋକକଳା ପରମ୍ପରା ଇତିହାସର ବହୁ ଉତ୍ଥାନ ପତନର ସମ୍ମୁଖୀନ ହୋଇ ମଧ୍ୟ ଏବେ ବି ବଞ୍ଚି ରହିଛି। ଏହାର କିଛିଟା ଝଲକ ଦେଖିବାକୁ ମିଳିଥିଲା ନିକଟରେ ଶେଷ ହୋଇଥିବା ଜାତୀୟ ଆଧୁନିକ ଚାରୁକଳା ଗ୍ୟାଲେରୀ ବା ଏନଜି ଏମଏ, ନୂଆଦିଲ୍ଲୀ ପକ୍ଷରୁ ଭୁବନେଶ୍ଵରଠାରେ ଆୟୋଜିତ ‘କଳା କୁମ୍ଭ’ ଅବସରରେ।ଏକ ପ୍ରଲମ୍ବିତ ପଟି ବା କାନଭାସ ଉପରେ ଅତି ସରଳ ଅଙ୍କନ ପଦ୍ଧତି ଅନୁସରଣ କରି ପଟୁଆ ଚିତ୍ରକାର ବା ଚିତ୍ରଶିଳ୍ପୀମାନେ କାହାଣୀଧର୍ମୀ ଚିତ୍ର ଆଙ୍କନ୍ତି। କାହାଣୀକୁ ଜୀବନ୍ତ କରିବା ପାଇଁ ଚରିତ୍ର ଓ ଘଟଣାବଳିର ବର୍ଣ୍ଣନା ଚିତ୍ର ମାଧ୍ୟମରେ ଅବତାରଣା କରା ଯାଇଥାଏ।  ସ୍ଵାଧୀନତା ପ୍ରାପ୍ତିର ୭୫ତମ ବର୍ଷପୂର୍ତ୍ତି ଅବସରରେ ପାଳିତ ହେବାକୁ ଥିବା ଉତ୍ସବରେ ଏନଜି ଏମଏ ପକ୍ଷରୁ ଇତିହାସ ପୃଷ୍ଠାରୁ ସ୍ଵାଧୀନତା ସଂଗ୍ରାମୀମାନଙ୍କ ସଂଗ୍ରାମ ଓ ତ୍ୟାଗର କଥାକୁ ଲୋକଙ୍କ ମନରେ ପୁନଃର୍ଜୀବିତ କରିବା ପାଇଁ ଚିତ୍ରକଳା ମାଧ୍ୟମରେ ଏକ ବୃହତ୍ତ-ବର୍ଣ୍ଣନା କରିବା ହେଉଛି କଳା କୁମ୍ଭ ଆଯୋଜନର ମୁଖ୍ୟ ଉଦ୍ଦେଶ୍ୟ। ଏହି ଉଦ୍ଦେଶ୍ୟ ସାଧନ ପାଇଁ ପଟୁଆ ଚିତ୍ରକଳା ଏକ ସହଜ ସାଧ୍ୟ ମାଧ୍ୟମ ବୋଲି କୁହାଯାଇ ପାରେ।ଏକ ସପ୍ତାହ ଧରି ଚାଲିଥିବା ଏହି କଳା ଶିବିରରେ ମିଦିନାପୁରରୁ ଆସିଥିବା ଚାରି ପାଞ୍ଚଟି ପରିବାରର ପ୍ରାୟ ତିରିଶ ଜଣ ପଟୁଆ ଚିତ୍ରକାରମାନେ ୬ ଫୁଟ ପ୍ରସ୍ଥ ଓ ୭୫ ଫୁଟ ଦୈର୍ଘ୍ୟର ସମୁଦାୟ ତିନିଟି କାନଭାସ ଉପରେ ସ୍ଵାଧୀନତା ସଂଗ୍ରାମରେ ଝାସ ଦେଇଥିବା ପଶ୍ଚିମବଙ୍ଗର ବହୁ ବିସ୍ମୃତ ଓ ପରିଚିତ ବ୍ୟକ୍ତିତ୍ଵମାନଙ୍କ ସମ୍ପର୍କରେ ଜଣା ଅଜଣା ଉପାଖ୍ୟାନଗୁଡିକୁ ଅତି ଜୀବନ୍ତ ଭାବେ ଅଙ୍କନ କରିଥିଲେ। ସେଥି ମଧ୍ୟରୁ ଗୋଟିଏ କାନଭାସରେ ସଂପୂର୍ଣ୍ଣ ଭାବେ ବିପ୍ଳବୀ ସୁଭାଷ ବୋଷଙ୍କ ଜୀବନାଲେଖ୍ୟକୁ ଏକାଧିକ ଭାଗରେ ଓ ସରଳ ରେଖାଚିତ୍ର ମାଧ୍ୟମରେ ବର୍ଣ୍ଣନା କରଯାଇଥିଲା। ବିପ୍ଳବୀ ସୁଭାଷଙ୍କର ଚିତ୍ର-ଜୀବନୀ ବୟସ ନିର୍ବିଶେଷରେ ସମସ୍ତେ ବିମୁଗ୍ଧ ହୋଇ ଦେଖୁଥିଲେ ଓ ସହଜରେ ବୁଝିପାରୁଥିଲେ।   ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଏତେ ବଡ଼ କାନଭାସ ଉପରେ ଚିତ୍ର ଆଙ୍କିବା କିଛି ସହଜ କାମ ନଥିଲା। ଚିତ୍ର ଆଙ୍କିବା ବେଳେ ସେମାନେ ଗୋଟିଏ ବଡ଼ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ନିୟମିତ ଭାବେ ଛୋଟ ଛୋଟ କାନଭାସ ଉପରେ ଚିତ୍ର ଆଙ୍କିବା ସେମାନଙ୍କର ଅଭ୍ୟାସ। କିନ୍ତୁ ଏହି ‘କଳା କୁମ୍ଭ’ ଶିବିରରେ ଛ’ ଫୁଟ ଉଚ୍ଚତାର କାନଭାସ ଉପରେ ଚିତ୍ର ଆଙ୍କିଲା ବେଳେ ଚରିତ୍ର ଓ ପରିବେଶର ସମାନୁପାତିକ ଆକାର ବୃଦ୍ଧି କରିବାର ଆବଶ୍ୟକତା ଥିଲା। ତେବେ ପଟୁଆ ଚିତ୍ରକାରମାନେ ଖୁବ ଶୀଘ୍ର ସେହି ବାଧାକୁ ସହଜରେ ଅତିକ୍ରମ କରି ସେମାନଙ୍କ କାମକୁ ସଂପୂର୍ଣ୍ଣ କରି ପାରିଲେ। ଏତେ ସୁନ୍ଦର ଚିତ୍ରକଳା ଅଙ୍କନ କରି ପାରୁଥିଲେ ମଧ୍ୟ ପଟୁଆ ଚିତ୍ରକାରମାନେ ଅତି ଦରିଦ୍ର ଜୀବନଯାପନ କରନ୍ତି। ଛୋଟ ଛୋଟ ପଟି ଉପରେ କାହାଣୀଧର୍ମୀ ଚିତ୍ର ଅଙ୍କନ କରି ସେମାନେ ଗାଁ ଗାଁରେ ଦୁଆର ଦୁଆର ବୁଲି ସରଳ ଗୀତ ମାଧ୍ୟମରେ ସେମାନଙ୍କ କାହାଣୀ ବର୍ଣ୍ଣନା କରନ୍ତି, ଓ ଲୋକେ ସେହି କାହାଣୀ ଶୁଣି ମନ ଖୁସିରେ ଚାଉଳ ପାରିବାଠାରୁ ଆରମ୍ଭ କରି କିଛି ପଇସା ପର୍ଯ୍ୟନ୍ତ ଯାହା କିଛି ମନ ଖୁସିରେ ଦିଅନ୍ତି ତାହା ହିଁ ସେମାନଙ୍କର ରୋଜଗାର। ସେହି ସ୍ୱଳ୍ପ ଆୟରେ ପଟୁଆମାନେ ସେମାନଙ୍କ ବଡ଼ ପରିବାର ଚଳେଇବାକୁ ଚେଷ୍ଟା କରନ୍ତି। ଅଭାବ ସେମାନଙ୍କ ଜୀବନର ଅବିଚ୍ଛେଦ୍ୟ ଅଂଶ ହୋଇ ରହିଛି। ତଥାପି ସେମାନେ ପଟୁଆ ଚିତ୍ରକଳା ପରମ୍ପରାକୁ ବଞ୍ଚାଇ ରଖିଛନ୍ତି। ଉଲ୍ଲେଖନୀୟ କି ପଟୁଆ ଚିତ୍ରକାର ପରିବାରର ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଚିତ୍ର ଆଙ୍କିବାରେ ଓ ଯେଉଁ ଘଟଣା ଆଧାରରେ ଚିତ୍ର ଆଙ୍କନ୍ତି ତାହାର କାହାଣୀକୁ ପଦରେ ପଦ ଯୋଡ଼ି ଗୀତ ତିଆରି ତଥା ସ୍ଵର ଦେଇ ଗାଇବାରେ ବେଶ ସିଦ୍ଧହସ୍ତ। ଗୋଷ୍ଠୀ ଜୀବନ ବଞ୍ଚୁଥିବା ପଟୁଆ ଚିତ୍ରକାରମାନେ ମୁଖ୍ୟତଃ ପଶ୍ଚିମବଙ୍ଗର ମିଦିନାପୁର ଓ କାଳୀଘାଟ ଅଞ୍ଚଳରେ ଦେଖିବାକୁ ମିଳନ୍ତି। ଏହି ମୂଳ ପରମ୍ପରାର ହୁଗୁଳି ଓ ବୀରଭୂମି, ବାଙ୍କୁଡା ଓ ବର୍ଦ୍ଧମାନ ଉପଧାରା ମଧ୍ୟ ଦେଖିବାକୁ ମିଳେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଇସଲାମ ଧର୍ମାବଲମ୍ବୀ ହୋଇଥିଲେ ବି ହିନ୍ଦୁ ଜୀବନଧାରା ଅନୁଯାୟୀ ଜୀବନ ବଞ୍ଚନ୍ତି। ଇତିହାସକାରମାନଙ୍କ ଅନୁଯାୟୀ ହିନ୍ଦୁ ଧର୍ମର କଠୋର ବ୍ୟବସ୍ଥା ବିରୋଧରେ ସେମାନେ ହୁଏତ ଧର୍ମାନ୍ତରଣ କରିଥାଇ ପାରନ୍ତି। ସେମାନଙ୍କ ମଧ୍ୟରୁ କେତେକ ଗୋଷ୍ଠୀଙ୍କୁ ପଶ୍ଚିମବଙ୍ଗର ପଡ଼ୋଶୀ ରାଜ୍ୟ ବିହାର ଓ ଝାଡ଼ଖଣ୍ଡରେ ଓ ପଡ଼ୋଶୀ ଦେଶ ବାଂଲାଦେଶରେ ମଧ୍ୟ ଦେଖିବାକୁ ମିଳେ।ପଟୁଆ ଚିତ୍ରଗୁଡ଼ିକୁ ଦେଖିଲା ବେଳେ ତାହା ମତେ ସହସା ଚଳଚିତ୍ରର ପୂର୍ବ-ସୂରୀ ବାଏସ୍କୋପ କଥା ମନେ ପକାଇ ଦେଲା। ଚରିତ୍ର ଓ ଘଟଣାବଳୀର ଚିତ୍ରଗୁଡ଼ିକୁ କ୍ରମାନ୍ଵୟରେ ଆଙ୍କି ବଏସ୍କୋପ ଡବା ମଧ୍ୟରେ ଗତିଶୀଳ କରିବା ଦ୍ଵାରା ତାହା ଗୋଟିଏ କାହାଣୀର ଭ୍ରମ ସୃଷ୍ଟି କରି ଦର୍ଶକଙ୍କ ମନୋରଞ୍ଜନ କରୁଥିଲା। ସେହି ଭଳି ଗୁଡ଼ାହୋଇ ରହିଥିବା ପଟୁଆ ଚିତ୍ରଗୁଡ଼ିକୁ ଧୀରେ ଧୀରେ ଖୋଲିବା ସହ ଗୀତ ମାଧ୍ୟମରେ କାହାଣୀ ବର୍ଣ୍ଣନା କରି ଲୋକମାନଙ୍କ ମନୋରଞ୍ଜନ ଏବେ ବି କରାଯାଇ ପାରୁଛି। ଗଣଯୋଗାଯୋଗ କ୍ଷେତ୍ରରେ, ବିଶେଷ କରି ଦୃଶ୍ୟ-ଶ୍ରାବ୍ୟ ମାଧ୍ୟମରେ ଯଥେଷ୍ଟ ଅଭିବୃଦ୍ଧି ଘଟିଥିଲେ ମଧ୍ୟ ପଟୁଆ ଚିତ୍ରକଳା ମାଧ୍ୟମରେ କାହାଣୀ ବର୍ଣ୍ଣନା ଭଳି ପରମ୍ପରା ଆଜି ମଧ୍ୟ କିଛି କମ ତାପ୍ତର୍ଯ୍ୟପୂର୍ଣ୍ଣ ନୁହେଁ।

[ଲେଖକ ଜଣେ ବରିଷ୍ଠ ସାମ୍ବାଦିକ, କଳା ସମୀକ୍ଷକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚିତ୍ର ନିର୍ଦେଶକ]

Comment