ଶୁଭଶ୍ରୀ ନାୟକ

ଶାନ୍ତି ସ୍ତୂପ ଧଉଳିକୁ ନେଇ ଓଡ଼ିଶାଲାଇଭ୍‌ର ସ୍ୱତନ୍ତ୍ର ରିପୋର୍ଟ।

ଧଉଳି ଓଡ଼ିଶାରେ ଥିବା ଏକ ବୌଦ୍ଧ ବିହାର। ଏହା ଦୟା ନଦୀ କୂଳରେ ଧଉଳି ପାହାଡ଼ ଉପରେ ରହିଛି। ଏଠାରେ କଳିଙ୍ଗ ଯୁଦ୍ଧ ହୋଇଥିଲା ବୋଲି ଐତିହାସିକମାନେ ମତ ଦିଅନ୍ତି। ଏହିଠାରେ ସମ୍ରାଟ ଅଶୋକ ଚଣ୍ଡାଶୋକରୁ ଧର୍ମାଶୋକ ପାଲଟିଥିଲେ। ଏବେ ଏହି ସ୍ଥାନ ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ପାଲଟିଛି।

‘‘ଧଉଳି ଏକ ଶାନ୍ତ ଓ ସୁନ୍ଦର ପରିବେଶ। ଏହା ଏକ ଐତିହାସିକ ସ୍ଥାନ ମଧ୍ୟ। ମୁଁ ଆଗରୁ ଏହି ସ୍ଥାନ ବିଷୟରେ ବହୁତ ଶୁଣିଥିଲି। ଏଠାକୁ ଆସିଲା ପରେ ଏହି ସ୍ଥାନର ମହତ୍ତ୍ୱକୁ ଆହୁରି ପାଖରୁ ବୁଝିପାରିଲି’’, କହନ୍ତି ସୁଦୂର କୋଲକାତାରୁ ଆସିଥିବା ଜଣେ ପର୍ଯ୍ୟଟକ ରୋଶନୀ ମୁଖାର୍ଜୀ।

୧୯୭୦ରେ ଧଉଳି ପାହାଡ଼ ଉପରେ ନିର୍ମିତ ହୋଇଥିଲା ଶାନ୍ତି ସ୍ତୂପ

୧୯୭୦ରେ ଜାପାନ ବୁଦ୍ଧ ସଙ୍ଘ ଓ କଳିଙ୍ଗ ବୁଦ୍ଧ ସଙ୍ଘର ମିଳିତ ଚେଷ୍ଟାରେ ଧଉଳି ପାହାଡ଼ ଉପରେ ଏକ ଶାନ୍ତି ସ୍ତୂପ ତୋଳା ଯାଇଥିଲା। ଭୁବନେଶ୍ୱର ସହରଠାରୁ ୮ କିଲୋମିଟର ଦୂରରେ ଥିବା ଶାନ୍ତି ସ୍ତୂପ ଧଉଳିକୁ ଆଜିର ଦିନରେ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକ ଆସନ୍ତି। ଧଉଳିର ପ୍ରାକୃତିକ ସୌନ୍ଦର୍ଯ୍ୟ ସେମାନଙ୍କୁ ଆତ୍ମତୃପ୍ତି ଦେଇଥାଏ।

‘‘ଧଉଳିର ପ୍ରାଚୀନ ନାଁ ଥିଲା ତୋଷଳି। ଉଭୟ ତୋଷଳି, ଦକ୍ଷିଣ ତୋଷଳି, ଉତ୍ତର ତୋଷଳି, କୋଶଳ, କଙ୍ଗୋଦ, ଉତ୍କଳ, କଳିଙ୍ଗ ମଶି ଏହା ଏକ ବିରାଟ ସାମ୍ରାଜ୍ୟ ଥିଲା। ସେତେବେଳେ ଏହାର ବିଶାଳ ନୌବାଣିଜ୍ୟ ଶକ୍ତି ଥିଲା। ଏହାକୁ ଦେଖି ସମ୍ରାଟ ଅଶୋକ ପ୍ରଲୁବ୍ଧ ହୋଇ କଳିଙ୍ଗ ଆକ୍ରମଣ କରିଥିଲେ। ଏହି ଯୁଦ୍ଧରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା। ଅନେକ ଲୋକ ଆହତ ହୋଇଥିଲେ। ଏହି ଦୃଶ୍ୟ ଦେଖି ଅଶୋକଙ୍କ ଭାବାନ୍ତର ହୋଇଥିଲା। ଉପଗୁପ୍ତ ନାମକ ଜଣେ ବୁଦ୍ଧ ସନ୍ନ୍ୟାସୀଙ୍କଠାରୁ ସେ ଦୀକ୍ଷା ନେଇ ଚଣ୍ଡାଶୋକରୁ ଧର୍ମାଶୋକ ପାଲଟିଥିଲେ’’, ଏ କଥା କହନ୍ତି ବିଶିଷ୍ଟ ଲେଖିକା ତଥା ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ପୂର୍ବତନ କ୍ୟୁରେଟର ଜୟନ୍ତୀ ରଥ।

ଶିଳାଲେଖରେ ରହିଛି ଅଶୋକଙ୍କ ଅନୁଶାସନ

ସେ ଆହୁରି ମଧ୍ୟ କହନ୍ତି, ‘‘ଧଉଳିରେ ସମ୍ରାଟ ଅଶୋକଙ୍କ ଶିଳାଲେଖ ରହିଛି। ଏହା ବ୍ରାହ୍ମୀ ଲିପିରେ, ପାର୍ଲି ଭାଷାରେ ଲେଖାଯାଇଛି। ଏଥିରେ ଅଶୋକଙ୍କ ଅନୁଶାସନ ଲେଖାଯାଇଛି। ପ୍ରଜାମାନଙ୍କ ହିତ ସାଧନ ପାଇଁ କାମ କରିବେ, ପ୍ରଜାଙ୍କୁ ସନ୍ତାନ ତୁଲ୍ୟ ଦେଖିବେ। ଏହିସବୁ ସେଥିରେ ବର୍ଣ୍ଣନା କରାଯାଇଛି’’।

ସେହିପରି ଉତ୍କଳ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀ ଐଶ୍ୱର୍ଯ୍ୟା ଡିଗୁ କହନ୍ତି, ‘‘ଆମେ ଆଗରୁ ବହିରେ କଳିଙ୍ଗ ଯୁଦ୍ଧ, ବୌଦ୍ଧ ଧର୍ମ ଓ ଧଉଳି ଶାନ୍ତି ସ୍ତୂପ ବିଷୟରେ ପଢ଼ିଛୁ। କିନ୍ତୁ ଏହି ଜାଗାକୁ ଆସିଲେ ଏକ ନିଆରା ଅନୁଭୂତି ମିଳେ। ସାରାବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେଉଥିବା ଶାନ୍ତି ସ୍ତୂପ ଆମକୁ ସ୍ନେହ ଓ ଶ୍ରଦ୍ଧାର ସନ୍ଦେଶ ଦିଏ। ତେଣୁ ସମସ୍ତେ ଏହି ସ୍ଥାନକୁ ଆସିବା ଦରକାର।’’

ଶାନ୍ତିସ୍ତୂପ ଧଉଳି ପଛ ପଟରେ ଏକ ଶିବ ମନ୍ଦିର ରହିଛି। ଏହାର ନାଁ ଧବଳେଶ୍ୱର ମନ୍ଦିର। ଧଉଳିକୁ ଆସୁଥିବା ସମସ୍ତ ପର୍ଯ୍ୟଟକ ଏଠାକୁ ଯାଇଥାନ୍ତି। କୁହାଯାଏ ଯେଉଁଠି ବି ବୌଦ୍ଧ କୀର୍ତ୍ତିରାଜି ରହିଛି ସେହି ନିକଟରେ ଶିବ ମନ୍ଦିର ରହିଛି। ଐତହାସିକମାନଙ୍କ ମତରେ ବୌଦ୍ଧ ଧର୍ମକୁ ବିଲୁପ୍ତ କରିବା ପାଇଁ ଯେଉଁ ଚେଷ୍ଟା ହୋଇଥିଲା ଏହା ତାହାର ପ୍ରମାଣ।

ଧଉଳି ପାଦଦେଶରେ ସାଂସ୍କୃତିକ କାର୍ଯ୍ୟକ୍ରମ

ଦିନେ ଦିଗ୍‌ବିଜୟୀ ସମ୍ରାଟ ଏହିଠାରେ ବିଜୟ ସ୍ତମ୍ଭ ନିର୍ମାଣ ନକରି ମାନବ କଲ୍ୟାଣ ପାଇଁ ସଂକଳ୍ପ ନେଇଥିଲେ। ଆଜି ଏହି ସ୍ଥାନ ଶାନ୍ତି ପୀଠ ଭାବେ ପରିଗଣିତ ହୋଇଛି। ରାଜ୍ୟ ସରକାର ଏଠାରେ ଧଉଳି କଳିଙ୍ଗ ମହୋତ୍ସବ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି।

Comment