କପିଳାସ ଭୂୟାଁ

କେନ୍ଦ୍ର ସରକାରଙ୍କ ପକ୍ଷରୁ ବିତର୍କିତ କୃଷି ବିଲ ପ୍ରତ୍ୟାହାର କରିନିଆଯିବା ପରେ ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ୍ଵ ସମୟ ଧରି ଚାଲିଥିବା କୃଷକମାନଙ୍କ ଆନ୍ଦୋଳନ ଡିସେମ୍ବର ୯ ତାରିଖରେ ସମାପ୍ତ କରି ୧୧ ତାରିଖରେ ସେମାନେ ନିଜ ନିଜ ଘରକୁ ଫେରିଗଲେ। ସେହି ପରିପ୍ରେକ୍ଷୀରେ ନିକଟରେ ଭାରତୀୟ କିଷାନ ସଂଘର ପ୍ରବକ୍ତା ରାକେଶ ଟିକାୟତ ଭୁବନେଶ୍ଵର ଆସିଥିଲେ। ୨୦୨୧ ମସିହାର ଜଣେ ନ୍ୟୁଜ ମେକର ରୂପେ ନିମନ୍ତ୍ରିତ ହୋଇ ଆସିଥିବା ରାକେଶ ଟିକାୟତ, ଆୟୋଜିତ ସଭାରେ କହିଥିଲେ ଯେ ଗତ ୧୩ ମାସର କୃଷକ ଆନ୍ଦୋଳନ କେବଳ ଏକ ଟ୍ରେନିଂ ଥିଲା, ଆଗକୁ ଦେଶବ୍ୟାପୀ ଫସଲର ସହାୟକ ମୂଲ୍ୟ (ଏମଏସପି)କୁ ନେଇ ଏକ ବଡ଼ ଆନ୍ଦୋଳନ ହେବ।ମୋଦୀ ସରକାରଙ୍କ ପକ୍ଷରୁ ପ୍ରଣିତ ହେବାକୁ ଥିବା କୃଷି ସଂସ୍କାର ଆଇନ ଏକ ସମୟୋପଯୋଗୀ ପଦକ୍ଷେପ ବୋଲି କୁହାଯାଉଥିଲେ ମଧ୍ୟ ଆଗକୁ ଉତ୍ତର ପ୍ରଦେଶ ନିର୍ବାଚନକୁ ଦୃଷ୍ଟିରେ ରଖି ଏହାକୁ ପ୍ରତ୍ୟାହାର କରିନିଆଗଲା ବୋଲି ଅନେକ ଜାଣିବା ଶୁଣିବା ଲୋକେ ମତ ଦିଅନ୍ତି। ସେ ଯାହା ବି ହେଉ ଲୋକଙ୍କ ଜମିକୁ ବଡ଼ ବଡ଼ କମ୍ପାନି ହାତକୁ ଟେକି ଦେବା ପାଇଁ ୨୦୧୫ରେ ମଧ୍ୟ କୃଷି ବିଲ ମାଧ୍ୟମରେ ଚେଷ୍ଟା କରାଯାଇଥିଲା। ତେବେ ରାଜସ୍ଥାନର କୃଷକ ଗଜେନ୍ଦ୍ର ସିଂଙ୍କ ଆତ୍ମହତ୍ୟା କାରଣରୁ ସାରା ଦେଶରେ ଯେଉଁ ବିତର୍କ ସୃଷ୍ଟି ହେଲା ତାହାକୁ ଦୃଷ୍ଟିରେ ରଖି ବିଲ ଉପସ୍ଥାପନକୁ ସ୍ଥଗିତ ରଖାଯାଇଥିଲା।

ତେବେ ଏ ସମ୍ପର୍କରେ ମୂଳ ପ୍ରଶ୍ନ ହେଉଛି ଯେ କେବଳ ବର୍ତ୍ତମାନର ସରକାର ନୁହେଁ, ବରଂ ଯେ କୌଣସି ରାଜନୈତିକ ଦଳ ଶାସନ କ୍ଷମତାକୁ ଆସିଲେ କାହିଁକି ଦେଶର ବିକାଶ ନାଁରେ ଚାଷ ଜମି ଅଧିଗ୍ରହଣ କରିବା ପାଇଁ ସର୍ବାଧିକ ଗୁରୁତ୍ଵ ଦିଅନ୍ତି? ଶିଳ୍ପପତିମାନେ ଯଦି ବୃହତ୍ତ ଶିଳ୍ପ ପ୍ରତିଷ୍ଠା କରିବାକୁ ଚାହାନ୍ତି, ତେବେ ସରକାର କାହିଁକି ସେମାନଙ୍କ ପାଇଁ ଜମି ଅଧିଗ୍ରହଣ କରି ଯୋଗାଇ ଦିଅନ୍ତି? ଶିଳ୍ପପତିମାନେ କାହିଁକି ନିଜେ ଲୋକମାନଙ୍କ ସହ ଆଲୋଚନା କରି ଆପୋଷ ବୁଝାମଣାରେ ଜମି ଅଧିଗ୍ରହଣ ସହ କାରଖାନା ପ୍ରତିଷ୍ଠା କରନ୍ତି ନାହିଁ?ଏପରି ପ୍ରଶ୍ନ କରିବାର ଉଦ୍ଦେଶ୍ୟ ହେଉଛି କି ଯେ ସରକାର ଜମି ଅଧିଗ୍ରହଣ କଲାବେଳେ କାହାର ସ୍ଵାର୍ଥକୁ ଅଧିକ ଗୁରୁତ୍ଵ ଦିଅନ୍ତି? ଜମି ମାଲିକମାନଙ୍କର ନା ଶିଳ୍ପପତିମାନଙ୍କର ସ୍ଵାର୍ଥକୁ? ଅବଶ୍ୟ ସାର୍ବଜନୀନ ବିକାଶ ପାଇଁ ସରକାର ଜମି ଅଧିଗ୍ରହଣ କରି ନିଜେ କିଛି କରିବାକୁ ଚାହୁଁଥିଲେ ସେଥିରେ କାହାର କିଛି ଆପତ୍ତି କରିବାର ନାହିଁ। କିନ୍ତୁ ଶିଳ୍ପପତି ବା ଖଣି ମାଲିକମାନଙ୍କ ପାଇଁ ଗାଁ ଉଠାଇ ଦେବା କିମ୍ବା ଚାଷ ଜମି ଅଧିଗ୍ରହଣ କରିବା କେତେ ଯୁକ୍ତିଯୁକ୍ତ?

ଚାଷ ଜମି ଚାଷୀର ମେରୁଦଣ୍ଡ। କେବଳ ଚାଷୀର ନୁହଁ, ବରଂ ସାରା ଦେଶର ମଧ୍ୟ। ଏକ ସୁସଂହତ ଓ ଆତ୍ମନିର୍ଭରଶୀଳ ସମାଜ ଗଠନ ପାଇଁ ଚାଷ ଜମି ଓ ଚାଷୀକୁଳଙ୍କର ରହିଛି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା। ରାଷ୍ଟ୍ର ଗଠନ ନାଁରେ ଚାଷୀମାନଙ୍କ ଠାରୁ ଚାଷ ଜମି ଛଡାଇ ନେବା, ବା ସରକାରୀ ଭାଷାରେ ଅଧିଗ୍ରହଣ କରିବା ଅର୍ଥ ହେଲା ଗରିବ ତିଆରି କରିବା। ଚାଷୀର ଚାଷ ଜମି ଥିବା ପର୍ଯ୍ୟନ୍ତ, ଚାଷ ଜମିକୁ ଜଳସେଚିତ କରିବା ପାଇଁ ସୁବିଧା ଓ ସୁଯୋଗ ଥିବା ପର୍ଯ୍ୟନ୍ତ ଚାଷୀ ଗରିବ ନୁହେଁ। ଆତ୍ମସମ୍ମାନ ସହ ଜୀବନଧାରଣ କରିବା ପ୍ରତ୍ୟେକ ଚାଷୀକୁ ଏକ ଧନୀକ ବା ସଫଳ ବ୍ୟକ୍ତି ରୂପେ ଜୀବନ ବଞ୍ଚିବାର ସୁଯୋଗ ଦିଏ। ଗଣତାନ୍ତ୍ରିକ ବ୍ୟବସ୍ଥା ମଧ୍ୟରେ ଏହା ପ୍ରତ୍ୟେକ ଚାଷୀର ଅଧିକାର ମଧ୍ୟ।ବିଗତ ତିନିଶହ ବର୍ଷର ଇତିହାସ ଉପରେ ଆଖି ପକାଇଲେ ଯାହା ସ୍ପଷ୍ଟ ଦିଶେ ତା’ ହେଲା ଯେ ଇଂଲଣ୍ଡରେ ଶିଳ୍ପ ବିପ୍ଲବ ହେବା ପର୍ଯ୍ୟନ୍ତ ସାରା ଦେଶ ଚାଷ ଉପରେ ନିର୍ଭରଶୀଳ ଥିଲା ଓ ଚାଷୀମାନେ ଏକ ସୁସଂହତ ଜୀବନ ବଞ୍ଚୁଥିଲେ। ସେତେବେଳ ପର୍ଯ୍ୟନ୍ତ ଇଂଲଣ୍ଡରେ ‘ପଭରଟି’ ଭଳି ଶବ୍ଦ ଇଂରାଜୀ ଶବ୍ଦକୋଷରେ ନଥିଲା। ଦେଶକୁ ଶିଳ୍ପ ସମୃଦ୍ଧ କରିବାକୁ ଯାଇ ତତ୍କାଳୀନ ସରକାର ଯେଉଁସବୁ ପଦକ୍ଷେପ ନେଲେ ତାହାରି ଫଳରେ ଗରିବ ସୃଷ୍ଟି ହେଲେ ଓ କ୍ରମେ ସେମାନଙ୍କର ସଂଖ୍ୟା ବଢ଼ିବାରେ ଲାଗିଲା। ସେମାନେ ନିଜ ଭିଟାମାଟି ଛାଡି ଶିଳ୍ପସମୃଦ୍ଧ ସହରାଞ୍ଚଳକୁ ଯିବାକୁ ଲାଗିଲେ। ନିଜ ନିଜ ଜମିରେ ଚାଷ କରି ଯେଉଁମାନେ ଜୀବିକା ଅର୍ଜ୍ଜନ କରି ପାରୁଥିଲେ, ପରିସ୍ଥିତି ସେମାନଙ୍କୁ ସହରାଞ୍ଚଳରେ ଶ୍ରମଜୀବୀ ରୂପେ ମଜୁରୀ ବିନିମୟରେ କାମ କରିବାକୁ ବାଧ୍ୟ କଲା। ଯଥେଷ୍ଟ ପରିମାଣର କାମ ନଥିବାରୁ ସେମାନଙ୍କୁ ଯଥେଷ୍ଟ ପରିମାଣରେ ମଜୁରୀ ମିଳିଲା ନାହିଁ। ଫଳରେ ଗରିବୀ ବଢ଼ିବା ସହ ଗରିବଙ୍କ ସଂଖ୍ୟା ମଧ୍ୟ ବଢ଼ିବାକୁ ଲାଗିଲା।

ଦେଶ ଭିତରର ସ୍ଥିତିକୁ ସୁଦୃଢ଼ କରିବା ପାଇଁ ଇଂରେଜ ଉପନିବେଶବାଦୀମାନେ ଏସିଆ, ଆଫ୍ରିକା ଓ ଆମେରିକାରେ ଯାଇ ପହଞ୍ଚିଲେ। କାଳକ୍ରମେ ସେମାନେ ସେଠାକାର ସ୍ଥାନୀୟ ଜମି ଓ ଜଳ ଉପରେ ସେମାନଙ୍କର ହକ ଜମାଇଲେ। ଜମି ଓ ଜଳ ବ୍ୟବହାର ଉପରେ କର ବସାଇଲେ ଓ ପ୍ରଭୁତ୍ଵ ବିସ୍ତାର କଲେ। ଆଫ୍ରିକୀୟମାନଙ୍କୁ କ୍ରୀତଦାସ କଲେ। ଉତ୍ତର ଆମେରିକାର ସ୍ଥାନୀୟ ଆଦିମ ଅଧିବାସୀମାନଙ୍କୁ ସେମାନଙ୍କ ନିଜ ବାସସ୍ଥାନରୁ ଉଚ୍ଛେଦ କଲେ। ଭାରତର ଚାଷୀମାନଙ୍କୁ ଅକୁଣ୍ଠ ଶୋଷଣ କଲେ। ଫଳରେ ଗରିବ ତିଆରି କରିବା ସୁଦୂରପ୍ରସାରୀ ହେଲା।ଏବେ ଅବଶ୍ୟ ଉପନିବେଶବାଦ ଆଉ ନାହିଁ। କିନ୍ତୁ ଉପନିବେଶବାଦୀ ସାମ୍ରାଜ୍ୟ ସମୟରେ ତିଆରି ହୋଇଥିବା ଗରିବଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଉପନିବେଶବାଦ ବଦଳରେ ଏବେ ଚାଲିଛି ବହୁରାଷ୍ଟ୍ରୀୟ କମ୍ପାନିମାନଙ୍କ ରାଜତ୍ଵ। ଜୀବନ ବଞ୍ଚିବାର ମାନବୃଦ୍ଧି ହୋଇଛି ନିଶ୍ଚୟ। କିନ୍ତୁ ଜୀବନ ବଞ୍ଚିବାର ମାନବୃଦ୍ଧି ଆଳରେ ଆମ ଜମି, ଆମ ଜଙ୍ଗଲ ଓ ଆମ ଜଳ ଆଉ ଆମର ହୋଇ ନାହିଁ। ଉପନିବେଶବାଦ ସମୟରେ ଲୋକମାନଙ୍କ ଅସନ୍ତୋଷ ଓ ଆନ୍ଦୋଳନକୁ ଉପନିବେଶବାଦୀ ଶାସକଙ୍କୁ ସାମ୍ନା କରିବାକୁ ପଡୁଥିଲା। ବର୍ତ୍ତମାନ କିନ୍ତୁ ବହୁରାଷ୍ଟ୍ରୀୟ କମ୍ପାନିଗୁଡ଼ିକୁ ସେଭଳି ଅକାଳିଆ ପରିସ୍ଥିତିର ସାମ୍ନା କରିବାକୁ ପଡୁନାହିଁ। ଦେଶରେ କେଉଁ ରାଜନୈତିକ ଦଳର ସରକାର ଗଠନ କରାଯିବ ତା’ର ହିସାବ କମ୍ପାନିଗୁଡ଼ିକ ନିର୍ଦ୍ଧାରିତ କରୁଛନ୍ତି। ନିର୍ବାଚନରେ ଜିତିବା ପାଇଁ ସେହିସବୁ କମ୍ପାନିଗୁଡ଼ିକ ରାଜନୈତିକ ଦଳଗୁଡ଼ିକୁ ପ୍ରଚୁର ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି।

ଯେଉଁ ରାଜନୈତିକ ଦଳ ହେଉନା କାହିଁକି ନିର୍ବାଚନ ଜିତି ସରକାର ଗଢ଼ିଲା ପରେ କର୍ପୋରେଟ ହାଉସଗୁଡ଼ିକରେ ହାତବାରିଶି ହେବା ଛଡ଼ା ସେମାନଙ୍କ ପାଖରେ ଅନ୍ୟ କୌଣସି ବାଟ ରହୁନାହିଁ। ତେଣୁ ସରକାର ଯେ କୌଣସି ଦଳ ଗଠନ କରୁନା କାହିଁକି ସେହି କମ୍ପାନି ବା କର୍ପୋରେଟ ହାଉସଗୁଡ଼ିକୁ ସୁହାଇଲା ଭଳି ପଦକ୍ଷେପ ନିଆଯାଉଛି। ଏହି କ୍ରମରେ ଯଦି ଜନ ଅସନ୍ତୋଷ ଦେଖା ଦେଉଛି, ତା’ ହେଲେ ତାକୁ ସାମ୍ନା କରୁଛି ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ସରକାର। ସେଥିରେ କର୍ପୋରେଟ ହାଉସ ବା କମ୍ପାନିଗୁଡ଼ିକର କିଛି ଯାଏଆସେ ନାହିଁ। ବୁଝିବାକୁ ଚେଷ୍ଟା କଲେ ଜାଣି ପାରିବା ଯେ ଆମ ଦେଶରେ ପ୍ରଚଳିତ ଗଣତାନ୍ତ୍ରିକ ପଦ୍ଧତି ବି କମ୍ପାନି ବା କର୍ପୋରେଟ ହାଉସଗୁଡ଼ିକର ଧନ ପାଖରେ ବନ୍ଧା ପଡିଛି!ଏହି ପରିପ୍ରେକ୍ଷୀରେ ଆମକୁ ଏକ ମୂଳ ପ୍ରଶ୍ନର ଉତ୍ତର ଖୋଜିବାକୁ ପଡ଼ିବ। ପ୍ରଶ୍ନଟି ହେଲା ଲୋକେ ଭଲରେ ରହିଲେ ଦେଶ ଚାଲିବ କି? ଟିକିଏ ଗହିରେଇକି ଦେଖିଲେ ଆମେ ବୁଝି ପାରିବା ଯେ ଦେଶରେ ଦୁଇ ପ୍ରକାର ଲୋକ ଥାଆନ୍ତି। ଦଳେ ହେଲେ ଶାସକ ଓ ଅବଶିଷ୍ଟ ସମସ୍ତେ ହେଲେ ଶାସିତ। ଶାସିତମାନଙ୍କ ମଧ୍ୟରେ ଏକାଧିକ ସ୍ତର ସୃଷ୍ଟି କରି ସେମାନଙ୍କୁ ଶାସକମାନେ ସର୍ବଦା ବିଭାଜିତ କରି ରଖି ଥାଆନ୍ତି, ଯାହା ଦ୍ଵାରା ସେମାନଙ୍କୁ ଶାସନ କରିବା ସହଜସାଧ୍ୟ ହୁଏ। ଏହା ଛଡ଼ା ସେହି ଶାସିତମାନଙ୍କୁ ସହଜରେ ଶାସନ କରିବାର ମୁଖ୍ୟ ଉପାୟଟି ହେଉଛି ସେମାନଙ୍କୁ ଚିରନ୍ତନ ଭାବେ ଅଭାବର ବଳୟ ଭିତରେ ରଖିବା। ଅର୍ଥାତ ଶିକ୍ଷାରେ ଅଭାବ ସୃଷ୍ଟି କର ଓ ସ୍ଵାସ୍ଥ୍ୟସେବା ଯୋଗାଇ ଦିଅ ନାହିଁ। ଏପରିକି ସେମାନଙ୍କୁ ବାସଚ୍ୟୁତ କର ଓ ଉପଯୁକ୍ତ ମଜୁରୀ ନଦେଇ ଶୋଷିତ କରି ରଖ। ତେବେ ଯାଇ ସେମାନେ ଶାସକ ବର୍ଗର ଅନୁଗାମୀ ହେବେ ଓ ସେମାନଙ୍କ କଥା ମାନିବେ ଓ ନତମସ୍ତକ ହୋଇ ଶାସିତ ହୋଇ ରହିବେ।ଶାସିତମାନଙ୍କର ଆର୍ଥିକ ସ୍ଥିତି ଉନ୍ନତ ହେଲେ ସେମାନେ ଅଧିକ ଅଧିକାର ପାଇଁ ଦାବି କରିବେ ଓ ସେହି ଦାବି ପୂରଣ କରିବାକୁ ଆନ୍ଦୋଳନ ମଧ୍ୟ କରିବେ। ତେବେ ଯେ କୌଣସି ଜନ ଆନ୍ଦୋଳନକୁ ଦମନ କରିବାକୁ ରାଷ୍ଟ୍ର ନିକଟରେ ପୋଲିସ ଫୋର୍ସ ଅଛି। ସବୁ ପ୍ରକାର ଆନ୍ଦୋଳନକୁ ଭଣ୍ଡୁର କରିଦେବାର ସମସ୍ତ ସାଧନ ରାଷ୍ଟ୍ର ନିକଟରେ ଅଛି।

ଶାସକ ଶ୍ରେଣୀ ତେଣୁ ଶାସିତମାନଙ୍କୁ ଅଭାବରେ ରଖିବା ସହ ସବୁବେଳେ ଲୋକମାନଙ୍କ ହିତ ପାଇଁ କିଭଳି ରାଷ୍ଟ୍ର ସର୍ବଦା କାର୍ଯ୍ୟରତ, ତାହା କହି କୁମ୍ଭୀର କାନ୍ଦଣା କାନ୍ଦିବେ ଓ ଶାସନ କରି ଚାଲିବେ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ, କଳା ସମୀକ୍ଷକ ଓ ଜାତୀୟ ପୁରସ୍କାରପ୍ରାପ୍ତ ଚଳଚିତ୍ର ନିର୍ଦ୍ଦେଶକ)

LEAVE A REPLY

Please enter your comment!
Please enter your name here