ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ସଂସ୍ଥାର ପୂର୍ବତନ ତାଲିମ କମିସନର (ଗାଇଡ୍‌) ତଥା ବାଘରାଣୀ ଖଇରୀର ମା’ ଭାବେ ଜଣାଶୁଣା ନିହାର ନଳିନୀ ଦେବୀଙ୍କ ବୁଧବାର ପରଲୋକ ହୋଇଛି। ତାଙ୍କ ପରଲୋକରେ ସ୍କାଉଟସ୍ ଏବଂ ଗାଇଡସ୍ ପରିବାରର ସଦସ୍ୟମାନେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଶେଷ ସମ୍ମାନ ରୂପେ ତାଙ୍କ ମରଶରୀରକୁ ଭାରତ ସ୍କାଉଟ ଗାଇଡ୍‌ର ପତାକା ଅର୍ପଣ କରାଯାଇ ଶେଷକୃତ୍ୟ କରାଯାଇଛି।  ନିହାର ନଳିନୀ ଦେବୀ ଦୀର୍ଘ ୨୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ସଂସ୍ଥାର ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ସହିତ ଯୋଡି ହୋଇ ରହିଥିଲେ। ମୁଖ୍ୟ କାର୍ଯ୍ୟାଳୟରେ ଥାଇ ମଧ୍ୟ ସେ ସ୍କାଉଟିଂ ଗାଇଡିଂ ତାଲିମ୍ ପାଇଁ ଯଥେଷ୍ଟ ସମୟ ଦେଉଥିଲେ। ଜୀବନବ୍ୟାପୀ ସ୍କାଉଟ ଗାଇଡ୍‌ରେ ଉନ୍ନତ ସେବା ପାଇଁ ରାଷ୍ଟ୍ରପତି ଏବଂ ରାଜ୍ୟପାଳଙ୍କଠାରୁ ସେ ‘ସର୍ଭିସ ଷ୍ଟାର’ ଗ୍ରହଣ କରିଥିଲେ।ଭାରତ ସ୍କାଉଟସ୍ ଏବଂ ଗାଇଡସ୍‌ର ଜାତୀୟ ଉପସଭାପତି ତଥା ରାଜ୍ୟ ମୁଖ୍ୟ କମିସନର ଡକ୍ଟର କାଳିପ୍ରସାଦ ମିଶ୍ରଙ୍କ ସମେତ ବହୁ ସ୍କାଉଟ ପ୍ରେମୀମାନେ ନିହାର ନଳିନୀ ଦେବୀଙ୍କୁ ଶେଷ ଦର୍ଶନ କରିଥିଲେ।ଓଡ଼ିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ସଂସ୍ଥାର ସଭାପତି ଅତନୁ ସବ୍ୟସାଚୀ ନାୟକ, ସମ୍ପାଦକ ଶରତ ଚନ୍ଦ୍ର ପାଇକରାୟ, କୋଷାଧ୍ୟକ୍ଷ ଭବାନୀ ପ୍ରସାଦ ମିଶ୍ର, ଯୁଗ୍ମ ସମ୍ପାଦକ ମିହିର ରଞ୍ଜନ ପଟ୍ଟନାୟକ, ଗାଇଡ୍ ବିଭାଗର ସାଂଗଠନିକ କମିସନର ଏବଂ ଆଡିମିନିଷ୍ଟ୍ରେଟିଭ ଅଫିସର ଅନାମିକା ଦାସଙ୍କ ସମେତ ରାଜ୍ୟ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତାମାନେ ନିହାର ନଳିନୀ ଦେବୀଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି।

Comment