ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ପୋଲିସର ନୂଆ ମହାନିର୍ଦ୍ଦେଶକ (ଡିଜିପି) ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ୍ ସୁନୀଲ କୁମାର ବଂଶଲ। ଶୁକ୍ରବାର କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟରେ ବିଦାୟୀ ଡିଜିପି ଅଭୟଙ୍କଠାରୁ ସୁନୀଲ କୁମାର ବଂଶଲ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି।ସୁନୀଲ କୁମାର ବଂଶଲ ହେଉଛନ୍ତି ୧୯୮୭ ବ୍ୟାଚ୍‌ର ଆଇପିଏସ୍‌ ଅଫିସର। ଗତ ଡିସେମ୍ଵର ୧୫ରେ ତାଙ୍କୁ ପୋଲିସ ଡିଜି ଭାବେ ରାଜ୍ୟ ସରକାର ନିଯୁକ୍ତି ଦେଇଥିଲେ।

ଆଇପିଏସ୍ ସୁନୀଲ କୁମାର ବଂଶଲ ପୂର୍ବରୁ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ ମୁମ୍ବାଇରେ କାର୍ଯ୍ୟରତ ଥିଲେ। ସେ ଦୀର୍ଘ ୨୫ ବର୍ଷରୁ ଊର୍ଦ୍ଧ୍ଵ ସମୟ ଧରି କେନ୍ଦ୍ରୀୟ ଡେପୁଟେସନ୍‌ରେ ରହିଥିଲେ। ଡିସେମ୍ଵର ୨୭ ତାରିଖରେ କେନ୍ଦ୍ର ସରକାର ତାଙ୍କୁ କେନ୍ଦ୍ରୀୟ ଡେପୁଟେସନରୁ ମୁକ୍ତ କରିଥିଲେ।ନୂଆ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସୁନୀଲ କୁମାର ବଂଶଲ କହିଛନ୍ତି, ‘‘ଲୋକଙ୍କ ସୁରକ୍ଷା ଓ ସେବାକୁ ପ୍ରାଥମିକତା ଦେବି। ମାଓ ଦମନ କ୍ଷେତ୍ରରେ ଓଡ଼ିଶା ଅର୍ଜନ କରିଥିବା ସୁନାମକୁ ବଜାୟ ରଖିବି। ମହିଳା ଓ ବରିଷ୍ଠ ନାଗରିକଙ୍କୁ ବନ୍ଧୁଭାବାପନ୍ନ ବ୍ୟବହାର ଉପରେ ଗୁରୁତ୍ଵ ଦେବି।’’ସେ ଆହୁରି ମଧ୍ୟ କହିଛନ୍ତି ଯେ, ସାଇବର୍ କ୍ରାଇମ୍ ଏବେ ସାରା ବିଶ୍ଵ ପାଇଁ ଚ୍ୟାଲେଞ୍ଜ ହୋଇଛି। ଓଡ଼ିଶାରେ ସାଇବର୍ କ୍ରାଇମ୍‌କୁ ରୋକିବାକୁ ସମସ୍ତ ପଦକ୍ଷେପ ଗ୍ରହଣ କରିବି। ମୁଖ୍ୟମନ୍ତ୍ରୀ ମୋ ଉପରେ ରଖିଥିବା ଭରସା ଭଲଭାବେ ତୁଲାଇବି।

Comment