ସୁନ୍ଦରଗଡ଼ରୁ ପ୍ରୀତିବର୍ଦ୍ଧନ ନାୟକ ଓ ଭୁବନେଶ୍ଵରରୁ ଶୁଭଶ୍ରୀ ନାୟକ
‘‘ଫୋର୍ବସ ଇଣ୍ଡିଆ ଶକ୍ତିଶାଳୀ ମହିଳା ତାଲିକାରେ ଦିନେ ମୋ ନାଁ ଆସିବ ସେ କଥା ମୁଁ କେବେ ଭାବିନଥିଲି। ଜାତୀୟସ୍ତରରେ ମୋ କାମକୁ ଏଭଳି ପ୍ରଶଂସା କେବଳ ମୋର ନୁହେଁ ବରଂ ସବୁ ଆଶା ଦିଦିଙ୍କ ସଫଳତା’’, ଫୋର୍ବସ ଇଣ୍ଡିଆ ଶକ୍ତିଶାଳୀ ମହିଳା ତାଲିକାର ତୃତୀୟ ସ୍ଥାନରେ ଥିବା ସୁନ୍ଦରଗଡ଼ ଜିଲ୍ଲାର ଆଶା କର୍ମୀ ମାତିଲଦା କୁଲ୍ଲୁ ଏଭଳି କହିଛନ୍ତି।ମାତିଲଦା କୁଲ୍ଲୁ। ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ବ୍ଲକ ଗରଗଡ଼ବାହାଲ ଗାଁର ଆଶା ଦିଦି। ଦୀର୍ଘ ୧୫ ବର୍ଷ ଧରି ଆଶା କର୍ମୀ ଭାବେ କାର୍ଯ୍ୟରତ ଥିବା ମାତିଲଦା ଫୋର୍ବସ୍ ଇଣ୍ଡିଆ ଶକ୍ତିଶାଳୀ ମହିଳା ତାଲିକାରେ ସ୍ଥାନ ପାଇଛନ୍ତି। କୋଭିଡ ମହାମାରୀ ବେଳେ ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିବାରୁ ଫୋର୍ବସ୍ ଇଣ୍ଡିଆ ପକ୍ଷରୁ ତାଙ୍କୁ ଏହି ସମ୍ମାନ ମିଳିଛି।
୨୦୦୫ରେ ଯେତେବେଳେ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ଆରମ୍ଭ ହୋଇଥିଲା ସେତେବେଳେ ମାତିଲଦା ଆଶା କର୍ମୀ ଭାବେ ନିଯୁକ୍ତି ପାଇଥିଲେ। ସେବେଠାରୁ ବେଶ୍ ନିଷ୍ଠାର ସହ ସେ କାର୍ଯ୍ୟ କରି ଆସିଛନ୍ତି। ପ୍ରତିଦିନ ଘରର ସବୁ କାମ ସାରି ମାତିଲଦା ନିଜ କାର୍ଯ୍ୟରେ ବାହାରିପଡ଼ନ୍ତି। ସାଇକେଲରେ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ କଥା ବୁଝନ୍ତି। ଗର୍ଭବତୀ ମହିଳାଙ୍କ ଭଲମନ୍ଦ ବୁଝିବା ସହ କରୋନା ସଚେତନତା ବାର୍ତ୍ତା ମଧ୍ୟ ଦେଇଥାନ୍ତି।
“ଆମ ଗାଁ ଆଶାଦିଦି ସବୁବେଳେ ଆମ ପାଖକୁ ଆସନ୍ତି। ମୁଁ ଗର୍ଭବତୀ ଥିବା ବେଳେ ସେ ମୋ ସ୍ଵାସ୍ଥ୍ୟ କଥା ବୁଝିବାକୁ ଆସୁଥିଲେ। ଖାଇବା ପିଇବାଠାରୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ ସବୁ କଥା କେମିତି ଠିକ୍ ସମୟରେ ହେବ କହୁଥିଲେ। ତାଙ୍କୁ ଆଜି ଏତେବଡ଼ ପୁରସ୍କାର ମିଳିଥିବାରୁ ଆମେ ଭାରି ଖୁସି”, କହିଛନ୍ତି ଗରଗଡ଼ବାହାଲ ଗାଁର ଜଣେ ମହିଳା ପ୍ରତିମା ଲାକ୍ରା।
ନିକଟରେ ପ୍ରକାଶ ପାଇଥିବା ଫୋର୍ବସ୍ ଇଣ୍ଡିଆ ଶକ୍ତିଶାଳୀ ମହିଳା ତାଲିକାରେ ଆମାଜନ ପ୍ରାଇମ ଭିଡିଓର ଇଣ୍ଡିଆ ଅରିଜିନାଲ୍ସ ମୁଖ୍ୟ ଅପର୍ଣ୍ଣା ପୁରୋହିତ ଓ ଷ୍ଟେଟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ପୂର୍ବତନ ଅଧ୍ୟକ୍ଷା ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟ ଯଥାକ୍ରମେ ପ୍ରଥମ ଏବଂ ଦ୍ଵିତୀୟରେ ସ୍ଥାନ ପାଇଥିବା ବେଳେ ଆଦିବାସୀ ଅଞ୍ଚଳର ଜଣେ ସାଧାରଣ ମହିଳା ଭାବେ ମାତିଲଦା ତୃତୀୟ ସ୍ଥାନରେ ରହି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ୪୫ ବର୍ଷୀୟ ମାତିଲଦା ଲୋକଙ୍କ ସେବାକୁ ଜୀବନର ବ୍ରତ କରି ନେଇଛନ୍ତି।
ଗରଗଡ଼ବାହାଲ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ସେଠାକାର ଲୋକଙ୍କ ମନରୁ ଅନ୍ଧବିଶ୍ୱାସ ହଟାଇ ସେମାନଙ୍କୁ ଡାକ୍ତରୀ ଚିକିତ୍ସା ପ୍ରତି ଆକର୍ଷିତ କରାଇବାରେ ମାତିଲଦା ଆଜି ବଡ଼ ଭୂମିକା ନେଇଛନ୍ତି।“ଆମ ସୁନ୍ଦରଗଡ଼ ଭଳି ଏକ ଆଦିବାସୀ ଅଞ୍ଚଳରେ ଏବେ ବି ଲୋକଙ୍କ ଭିତରେ ଅନେକ ଅନ୍ଧବିଶ୍ଵାସ ରହିଛି। ହେଲେ ମୋ ମା’ ୧୫ ବର୍ଷ ହେଲା ଆଶାଦିଦି ଭାବେ ଲୋକଙ୍କ ପାଖକୁ ଯାଇ, ସେମାନଙ୍କୁ ବୁଝାଇ, ଡାକ୍ତରୀ ଚିକିତ୍ସା ଆଡ଼େ ଆକର୍ଷିତ କରି ଅନ୍ଧବିଶ୍ଵାସକୁ ଦୂର କରିବାକୁ ଚେଷ୍ଟା କରିଆସିଛନ୍ତି ଏବଂ ସେଥିରେ ସଫଳ ମଧ୍ୟ ହୋଇଛନ୍ତି। ତାଙ୍କ ଝିଅ ହୋଇଥିବାରୁ ଏଥିପାଇଁ ମୋତେ ଭାରି ଗର୍ବ ଲାଗେ”, କହିଛନ୍ତି ମାତିଲଦାଙ୍କ ଝିଅ ମନୀଷା କୁଲ୍ଲୁ।
ସେହିପରି ମାତିଲଦାଙ୍କ ସ୍ଵାମୀ ମଧ୍ୟ ମାତିଲଦାଙ୍କ ଏହି କାମ ପାଇଁ ଗର୍ବ ଅନୁଭବ କରୁଥିବା କହନ୍ତି।ସେବା କ୍ଷେତ୍ରରେ ମାତିଲଦାଙ୍କ ନିଷ୍ଠାପର କାର୍ଯ୍ୟ ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରଶଂସା କରିଥିଲେ। ମାତିଲଦାଙ୍କ ଭଳି ଜଣେ କୋଭିଡ୍ ଯୋଦ୍ଧାଙ୍କ ପାଇଁ କୋଭିଡ୍ ଭଳି ଏକ ମହାମାରୀ ସମୟରେ ଅନେକ ବହୁମୂଲ୍ୟ ଜୀବନ ସୁରକ୍ଷିତ ରହିପାରିଛି ବୋଲି ସେ ଟୁଇଟ୍ କରି କହିଥିଲେ।
Congratulate Matilda Kullu, ASHA worker from Baragaon Tehsil of #Sundargarh District on being named in @ForbesIndia W-Power 2021 list. She represents thousands of dedicated #COVIDWarriors who are at forefront to save precious lives. #OdishaCareshttps://t.co/Lh5g1Uu4Fp
— Naveen Patnaik (@Naveen_Odisha) November 27, 2021
“ଗାଁରେ ବୁଢ଼ାବୁଢ଼ୀମାନଙ୍କୁ ରୋଗ ହେଲେ ସେମାନଙ୍କ କଥା ବୁଝିବାକୁ କେହି ନଥାନ୍ତି। ଏହି ସମୟରେ ତାଙ୍କୁ ଚିକିତ୍ସା ସହ କେହି ନିଜ ଲୋକ ଦରକାର। ତେଣୁ ମୁଁ ପ୍ରାୟ ସମୟ ଯାଇ ସେମାନଙ୍କ ପାଖରେ ବସେ। ତାଙ୍କୁ ଔଷଧ ଦେଇ ଭଲମନ୍ଦ ପଚାରି ବୁଝେ। ସେମାନଙ୍କ ମୁହଁରେ ହସ ଦେଖିଲେ ସବୁ କଷ୍ଟ ଦୂର ହେଇଯାଏ। ଲୋକଙ୍କ ସେବା କରି ଆତ୍ମସନ୍ତୁଷ୍ଟି ମିଳେ”, କହିଛନ୍ତି ଆଶା କର୍ମୀ ମାତିଲଦା କୁଲ୍ଲୁ।ଆଦିବାସୀ ଅଧ୍ୟୁଷିତ ବଡ଼ଗାଁ ବ୍ଲକର ମାତିଲଦା ଜାତୀୟସ୍ତରରେ ପ୍ରଶଂସିତ ହେବାପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ତାଙ୍କର ଏହି ସଫଳତା କେବଳ ସୁନ୍ଦରଗଡ଼ ଜିଲ୍ଲା ପାଇଁ ନୁହେଁ ବରଂ ସମଗ୍ର ଓଡ଼ିଶାକୁ ଜାତୀୟସ୍ତରରେ ଗୌରବାନ୍ୱିତ କରିଛି।