ଓଡ଼ିଶାଲାଇଭ୍ ବ୍ୟୁରୋ

  • ସୁନ୍ଦରଗଡ଼ ହେଉଛି ଓଡ଼ିଶାର ବିକାଶର ବତୀଘର: ମୁଖ୍ୟମନ୍ତ୍ରୀ
  • ଜଳସେଚନ, ପାନୀୟ ଜଳ, ମତ୍ସ୍ୟ ଚାଷ ଏବଂ ଗମନାଗମନ ହେବ ସୁବିଧାଜନକ
  • ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୪୭ ହଜାର ଲୋକ ହେବେ ଉପକୃତ

ସୁନ୍ଦରଗଡ଼ ଜିଲ୍ଲାର ଜନସାଧାରଣଙ୍କ ସୁବିଧା ପାଇଁ ସଦର ବ୍ଲକ ଅନ୍ତର୍ଗତ କୋପସିଙ୍ଗା ଏବଂ କୁଡ଼ାବଗାଠାରେ ଇବ୍ ନଦୀ ଉପରେ ନିର୍ମାଣ ହେବାକୁ ଯାଉଥିବା ଦୁଇଟି ବ୍ୟାରେଜ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ସୁନ୍ଦରଗଡ଼ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ଜରିଆରେ ଯୋଗଦେଇ ଏହି ଦୁଇଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।ଏହି ପ୍ରକଳ୍ପର ଶିଳାନ୍ୟାସ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘‘ରାଜ୍ୟରେ ଜଳ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ନିଜ ପାଣ୍ଠିରୁ ‘କନଷ୍ଟ୍ରକସନ ଅଫ୍ ଇନ-ଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକଚର’ଯୋଜନା ଆରମ୍ଭ କରିଛନ୍ତି। ଏଥିପାଇଁ ୧୧, ୭୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟର ବିଭିନ୍ନ ନଦୀ ସ୍ରୋତର ୩୦ଟି ସ୍ଥାନରେ ଏଭଳି ବ୍ୟାରେଜ ନିର୍ମାଣ କରାଯିବ, ଯାହାଫଳରେ ଚାଷୀମାନେ ଜମିକୁ ସାରା ବର୍ଷ ପାଣି ପାଇପାରିବେ। ଭୂତଳ ଜଳସ୍ତର ଠିକ୍‌ ରହିବ। ଆଖପାଖ ଗାଁମାନଙ୍କରେ ବିଶୁଦ୍ଧ ପାଇପ ପାଣି ଯୋଗାଣ ମଧ୍ୟ ହୋଇପାରିବ। ସୁନ୍ଦରଗଡ଼ରେ ଆରମ୍ଭ ହୋଇଥିବା ଦୁଇଟି ପ୍ରକଳ୍ପ ଏହି ଯୋଜନାର ଅଂଶବିଶେଷ।’’

ଏହି ଦୁଇଟି ପ୍ରକଳ୍ପ କାର୍ଯ୍ୟ ଆଗାମୀ ୨ ବର୍ଷରେ ଶେଷ ହେବ। ଏହା ଦ୍ୱାରା ସୁନ୍ଦରଗଡ଼ ପୌରପାଳିକା ଏବଂ  ସୁନ୍ଦରଗଡ଼ ସଦର ବ୍ଲକ୍ ସହିତ ଏହାର ଆଖପାଖ ଅଞ୍ଚଳର ପ୍ରାୟ ୪୭ ହଜାର ଲୋକ ବିଶେଷ ଉପକୃତ ହେବେ। ଚାଷଜମିକୁ ଜଳସେଚନ ସହ ମତ୍ସ୍ୟ ଚାଷ, ପାନୀୟ ଜଳ ଏବଂ ଗମନାଗମନ ପାଇଁ ଏହି ଦୁଇଟି ବ୍ୟାରେଜ ସହାୟକ ହେବ।ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ୪୮୮ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିବ। ଫଳରେ ଚାଷୀମାନେ ବିଭିନ୍ନ ୠତୁରେ ଚାଷ ପାଇଁ ପାଣି ପାଇପାରିବେ। ସେହିପରି ଏହି ବ୍ୟାରେଜ ଦୁଇଟି ଜିଲ୍ଲାରେ ମତ୍ସ୍ୟ ଚାଷ ଉତ୍ପାଦନ ପାଇଁ ବ୍ୟାପକ କ୍ଷେତ୍ର ସୃଷ୍ଟି କରିବ।

ସୁନ୍ଦରଗଡ଼ ସଦର ବ୍ଲକ ଅଞ୍ଚଳରେ ହେବାକୁ ଯାଉଥିବା କୋପସିଙ୍ଗା ଓ କୁଡ଼ାବଗା ବ୍ୟାରେଜ ଆଗାମୀ ଦିନରେ ଜିଲ୍ଲାରେ ପାନୀୟ ଜଳ ଆବଶ୍ୟକତା ମେଣ୍ଟାଇବାରେ ସହାଯ୍ୟ କରିବ। ତା’ସହିତ ଏହି ବ୍ୟାରେଜ ଉପରେ ବ୍ରିଜ କରାଯାଉଥିବାରୁ ଲେଫ୍ରିପଡ଼ା ଓ ଟାଙ୍ଗରପାଲି ବ୍ଲକର ଲୋକମାନଙ୍କ ପାଇଁ ଗମନାଗମନ ସୁବିଧାଜନକ ହୋଇପାରିବ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ସୁନ୍ଦରଗଡ଼ ହେଉଛି ଓଡ଼ିଶାର ବିକାଶର ବତୀଘର। ରାଉରକେଲା ସହର, ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ ଓ ରାଉରକେଲାର ଏନଆଇଟି ଓଡ଼ିଶାର ଗୌରବ ବୃଦ୍ଧି କରିଛି। ଏହି ତିନୋଟିଯାକ ଗୁରୁତ୍ୱପୁର୍ଣ୍ଣ ପ୍ରକଳ୍ପରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସ୍ମୃତି ଜଡ଼ିତ। ସୁନ୍ଦରଗଡ଼ ସାରା ଦେଶକୁ ବହୁତ କିଛି ଦେଇଛି। ସୁନ୍ଦରଗଡ଼ର କୋଇଲା ସାରା ଦେଶକୁ ଶକ୍ତି ଯୋଗାଉଛି।ସୁନ୍ଦରଗଡ଼ରେ ଏସିଆର ସବୁଠୁ ବଡ଼ ହକି ଷ୍ଟାଡିୟମ ହେବାକୁ ଯାଉଛି। ସୁନ୍ଦରଗଡ଼ର ହକି ଖେଳାଳିମାନେ ଦେଶ ପାଇଁ ଗୌରବ ଆଣିଛନ୍ତି ଓ ଗର୍ବିତ କରିଛନ୍ତି। ତେଣୁ ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା ସୁନ୍ଦରଗଡ଼ବାସୀଙ୍କର ହକ୍‌ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଥିଲେ।

ସୁନ୍ଦରଗଡ଼ରେ ୫-ଟି ହାଇସ୍କୁଲ ଟ୍ରାନ୍ସଫରମେସନଠାରୁ ଆରମ୍ଭକରି ମିଶନ ଶକ୍ତି ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରିତା ପାଇଁ ମୁଖ୍ୟମନ୍ତ୍ରୀ ଆନନ୍ଦ ପ୍ରକାଶ କରିଥିଲେ। ଜିଲ୍ଲାର ବହୁ ଲୋକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡର ସୁଯୋଗ ନେଇ ଉନ୍ନତ ଚିକିତ୍ସା ସୁବିଧା ପାଉଥିବାରୁ ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ।

ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶ ଓ କଲ୍ୟାଣ କାର୍ଯ୍ୟକ୍ରମର ସୁଯୋଗ ନେଇ ନୂଆ ଓଡ଼ିଶା ଗଠନରେ ନିଜ ନିଜର ଅବଦାନ ରଖିବା ପାଇଁ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଜଣାଇଥିଲେ।ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିବା ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ପରିଚାଳନା କରିଥିଲେ। ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସହିତ ରାଜ୍ୟ ସରକାରଙ୍କର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ଜଳସଂପଦ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ ସ୍ୱାଗତ ଭାଷଣ ଦେଇ ‘କନଷ୍ଟ୍ରକ୍ସନ ଅଫ୍ ଇନ-ଷ୍ଟ୍ରିମ ଷ୍ଟୋରେଜ୍ ଷ୍ଟ୍ରକଚର’ସଂପର୍କରେ ସୂଚନା ଦେଇଥିଲେ। ଜଳସମ୍ପଦ ବିଭାଗର ଇଞ୍ଜିନିୟର ଇନ୍ ଚିଫ୍ ଧନ୍ୟବାଦ ଅର୍ପଣ କରିଥିଲେ।

ସୁନ୍ଦରଗଡ଼ ସଦର ବ୍ଲକଠାରେ କୋଭିଡ୍ ସତର୍କତା ଭିତରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ତଥା ସୁନ୍ଦରଗଡ଼ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ଉପସ୍ଥିତ ରହି ଜିଲ୍ଲାର ବିଭିନ୍ନ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଯେଉଁଭଳି ପଦକ୍ଷେପ ନେଉଛନ୍ତି, ସେଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏହି ଦୁଇଟି ଜନ କଲ୍ୟାଣକାରୀ ପ୍ରକଳ୍ପର ଶିଳାନ୍ୟାସ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ। ଏହା ଦ୍ୱାରା ସ୍ଥାନୀୟ ଲୋକମାନଙ୍କର ବିଭିନ୍ନ ଆବଶ୍ୟକତାକୁ ପୂରଣ କରିପାରିବ ବୋଲି ଜିଲ୍ଲାପାଳ କହିଥିଲେ।

କୋପସିଙ୍ଗା ବ୍ୟାରେଜ ପ୍ରକଳ୍ପ ଅଧୀନରେ ୧୫ଟି ଗାଁର ପ୍ରାୟ ୨୮ ହଜାର ଲୋକ ଉପକୃତ ହେବା ସହିତ ୩୧୭ ହେକ୍ଟର ଚାଷଜମିକୁ ଜଳସେଚନର ସୁବିଧା ମିଳିବ। ସେହିପରି କୁଡ଼ାବଗା ବ୍ୟାରେଜ ପ୍ରକଳ୍ପ ଅଧୀନରେ ୨୧ଟି ଗାଁର ପ୍ରାୟ ୧୮ ହଜାର ଲୋକ ଉପକୃତ ହେବେ ଏବଂ ୧୭୧ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ମିଳିପାରିବ।ସୁନ୍ଦରଗଡ଼ଠାରେ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ବିନୟ ଟପ୍ପୋ, ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର ଏବଂ ସୁନ୍ଦରଗଡ଼ ସଦର ବ୍ଲକ ବିଡିଓ ବିନୟ ପଟେଲଙ୍କ ସହିତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।

Comment